News 18 Odia Digital
ସମ୍ବଲପୁର: ସ୍ବାଧୀନତାର ୭୫ ବର୍ଷ ପରେ ବି ଅପହଞ୍ଚ ଅନେକ ଗାଁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତରେ ବଡ଼ବିଲ ଗାଁରେ। ରାସ୍ତା ନଥିବାରୁ ଠିକ ସମୟରେ ଡାକ୍ତରଖାନାକୁ ନେଇ ନ ପାରି ଜଣେ ରେଗୀଙ୍କର ମୃତ ହୋଇଥିବା ଅଭିଯୋଗ ହୋଇଛି।
ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁକୁ ଭଲ ରାସ୍ତା ନ ଥିବାରୁ ରୋଗୀଙ୍କ ଜୀବନ ଯାଇଛି । ବଡ଼ବିଲ ଗାଁର ବିରଞ୍ଚି ଦେହୁରୀ ଉଚ୍ଚ ରକ୍ତଚାପ ରୋଗରେ ପିଡୀତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ । ତେବେ ବିରଞ୍ଚି ସକାଳୁ ଚାଷ କରିବା ପାଇଁ ଜମିକୁ ଯାଇଥିବା ବେଳେ ସେଠାରେ ସେ ହଠାତ୍ ଜମିରେ ପଡ଼ି ଯାଇଥିଲେ। ଖବର ପାଇବା ପରେ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଡ଼ାକିଥିଲେ। ତେବେ ରାସ୍ତା ଖରାପ ଥିବାରୁ ୧୦୮ ଆମ୍ବୁଲାନ୍ସ ବଡ଼ବିଲ ଗାଁକୁ ଆସି ନ ପାରି ଧାତୁକିମାଳ ଗାଁ ମୁଣ୍ଡରେ ଅଟକି ରହିଥିଲା। ବଡ଼ବିଲ ଗାଁରୁ ଧାତୁକିମାଳର ଦୂରତା ୫ କିମି ହୋଇଥିବା ବେଳେ ପରିବାର ଓ ଗାଁ ଲୋକେ ବିରଞ୍ଚି ଦେହୁରୀକୁ ଏକ ଖଟରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ନାଳ ନର୍ଦ୍ଦମା ଦେଇ ବୋହି ଆଣି ଆମ୍ବଲାନ୍ସ ପାଖରେ ପହଞ୍ଚିଥିଲେ।
ସେଠାରେ ପହଞ୍ଚିବା ପରେ ୧୦୮ ଆମ୍ବଲାନ୍ସ ରୋଗୀକୁ ଧରି ରେଢ଼ାଖୋଲ ମେଡିକାଲରେ ପହଞ୍ଚିଥିଲା । ସେଠାରେ ଡାକ୍ତର ବିରଞ୍ଚି ଦେହୁରୀଙ୍କୁ ମୃତ ଘୋଷଣା କରିଥିଲେ। ‘‘ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲା ନାହିଁ। ଖଟରେ ୫ କିମି ବୋହି ଆଣି ଆମ୍ବଲାନ୍ସ ପାଖରେ ପହଞ୍ଚିଲୁ। ରାସ୍ତା ଭଲ ଥିଲେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଥାନ୍ତା ଓ ସେ ବଞ୍ଚି ପାରିଥିନ୍ତେ,’’ କହିଛନ୍ତି ମୃତ ବିରଞ୍ଚିଙ୍କ ସ୍ତ୍ରୀ ସୁକାନ୍ତି ଦେହୁରୀ।
ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ବହୁତ ଖରାପ ଥିବାରୁ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖରାପ ଥିବାରୁ ଗାଁକୁ ଗାଡି ଆସୁପାରୁ ନାହିଁ । ଗାଁରେ କାହାର ଦେହ ଖରାପ ହେଲେ ରୋଗୀଙ୍କୁ ଖଟରେ ବୋହି ଆଣିବାକୁ ପଡୁଛୁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ସହ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।