ହସ୍ପିଟାଲର ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା; ସୁରକ୍ଷାକର୍ମୀଙ୍କ ଅବହେଳାକୁ ନେଇ ପ୍ରଶ୍ନବାଚୀ

ଢେଙ୍କାନାଳ ମୁଖ୍ୟ ହସ୍ପିଟାଲ ପାଲଟିଛି ଡେଥ ଜୋନ। ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀ ଛାତରୁ ଡେଇଁ ବାରମ୍ବାର ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ପିଟାଲର ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ହସ୍ପିଟାଲର ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

  • Share this:
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ହସ୍ପିଟାଲର ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ଚାରି ବର୍ଷରେ ଚାରି ଜଣ ରୋଗୀ ଛାତରୁ ଡେଇଁ ମୃତ୍ୟୁ ବରଣ କରି ସାରିଥିବା ବେଳେ ଚଳିତ ସପ୍ତାହରେ ହସ୍ପିଟାଲ ଛାତରୁ ଡେଇଁ ଦୁଇଜଣ ରୋଗୀ ପ୍ରାଣ ହରାଇ ସାରିଲେଣି। ହସ୍ପିଟାଲର ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ପ୍ରଥମେ ଗତ ଅଗଷ୍ଟ ୧୩ ତାରିଖ ଦିନ ୨ଟା ସମୟରେ ପରଜଙ୍ଗ ଡମସାହିର ଚନ୍ଦନ ନାୟକ ନାମକ ଜଣେ ଯୁବକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ହଠାତ୍ ପାଞ୍ଚ ମହଲାରୁ ଡେଇଁ ପଡ଼ି ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଦିନ ପ୍ରାୟ ୨ଟା ସମୟରେ ହସ୍ପିଟାଲରେ ଗହଳି ଚହଳି ଥିବା ସମୟରେ ରୋଗୀ ଜଣଙ୍କ ପଞ୍ଚମ ମହଲାରୁ କିଭଳି ଡେଇଁ ଥିଲେ ବୋଲି ତାକୁ ନେଇ ଉଠିଛି ପ୍ରଶ୍ନ।

ପ୍ରଥମ ଘଟଣା ଘଟିବାର ପାଞ୍ଚ ଦିନ ବିତି ନଥିବା ବେଳେ ଗୁରୁବାର ଭୋର ୪ଟା ସମୟରେ ପରଜଙ୍ଗ ଅଞ୍ଚଳର ଆଉ ଜଣେ ୫୦ ବର୍ଷୀୟ ଗୋବର୍ଦ୍ଧନ ନାୟକ ହସ୍ପିଟାଲର ଚାରି ମହଲାରୁ ଚିକିତ୍ସାଧିନ ଅବସ୍ଥାରେ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ।

ଯାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୃତକ ଗୋବର୍ଦ୍ଧନ ନାୟକ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ହସ୍ପିଟାଲ ପକ୍ଷରୁ ଶଯ୍ୟା ନମିଳିବାରୁ ବାରଣ୍ଡାରେ ଚିକିତ୍ସିତ ହେଉଥିଲେ। ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଗୋଟିଏ ସାଲାଇନ ଲଗାଇ ସେଠାରୁ ଚାଲି ଯାଇଥିଲେ। ତେଣୁ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା, ଶଯ୍ୟା ନମିଳିବା ଓ ହସ୍ପିଟାଲରେ ରାତ୍ରିକାଳୀନ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କ ଖାମଖିଆଲ ପାଇଁ ଏଭଳି ଘଟଣା ଘଟିଛି ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସହରଠାରୁ ଦୁଇ କିଲୋମିଟର ଦୂରତାରେ ଖୋଲିଥିଲା ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ୫୦ କୋଟି ଟଙ୍କା ବିନିମୟରେ ଗତ ୨୦୧୮ରେ ସାତ ମହଲା ବିଶିଷ୍ଟ ଏହି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହୋଇଥିଲା। ସେହି ଦିନ ଠାରୁ ଜିଲ୍ଲାର ଏକମାତ୍ର ଭରସାଯୋଗ୍ୟ ଏହି ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ରହିଆସିଛି।

ଏବେ ଏଠାରେ ୫୬ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ମେଡିକାଲରେ ଅଛନ୍ତି ମାତ୍ର ୨୪ଜଣ ଡାକ୍ତର। ଏପଟେ SIS ନାମକ ଏକ ଠିକା ସଂସ୍ଥା ଅଧିନରେ ଏଠାରେ ୮୫ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଏତେ ସବୁ ସତ୍ତ୍ବେ ବାରମ୍ବାର ହସ୍ପିଟାଲ ଛାତରୁ ଡେଇଁ ରୋଗୀମାନେ କିଭଳି ଆତ୍ମହତ୍ୟା କରୁଛନ୍ତି ତାହା ବର୍ତ୍ତମାନ ସମସ୍ତଙ୍କ ମନ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାରମ୍ବାର ହସ୍ପିଟାଲ ଛାତରୁ ଡେଇଁ ରୋଗୀ ଆତ୍ମହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଗୁରୁବାର ଢେଙ୍କାନାଳ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପୁର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଆଗକୁ କିଭଳି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ।

"ସାତ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ଅଗ୍ନି ନିରାପତ୍ତା ପାଇଁ କିଛି ଝରକା ବାଟକୁ ଜରୁରୀକାଳୀନ ଭାବେ ଖୋଲା ରଖାଯାଇଥିଲା। ସେହି ବାଟ ଦେଇ ରୋଗୀ ଆତ୍ମହତ୍ୟା କରିବାକୁ ବାରମ୍ବାର ଉଦ୍ୟମ କରୁଥିବାରୁ ଏବେ ସେହିସବୁ ସ୍ଥାନକୁ ରେଲିଂ ଲଗାଯାଇ ତାଲା ପକାଇ ରଖାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।
ଆବଶ୍ୟକ ସ୍ଥଳେ ହସ୍ପିଟାଲ ପାଇଁ ସୁରକ୍ଷାରେ କାର୍ଯ୍ୟରତ ଠିକା ସଂସ୍ଥା SISକୁ ଛଟେଇ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ।
Published by:Lipina Das
First published: