ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦେଶ ବ୍ୟାପୀ ବନ୍ଦ ଡାକରା: ରାଜ୍ୟରେ ବସ ଚଳାଚଳ ବନ୍ଦ; ଯାତ୍ରୀ ହନ୍ତସନ୍ତ

ଦେଶ ବ୍ୟାପୀ ବନ୍ଦ ଡାକରା: ରାଜ୍ୟରେ ବସ ଚଳାଚଳ ବନ୍ଦ; ଯାତ୍ରୀ ହନ୍ତସନ୍ତ

ରାଜ୍ୟରେ ଶତାଧିକ ରୁଟ୍ରେ ଦୈନିକ ଗଢୁଥିବା ୧୪ ହଜାରରୁ ଅଧିକ ବସ ରାସ୍ତାକୁ ଆସି ନ ଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଦୂରଦୂରାନ୍ତର ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ନଜର ଆସିଛି।

ଦେଶ ବ୍ୟାପୀ ବନ୍ଦ ଡାକରା: ରାଜ୍ୟରେ ବସ ଚଳାଚଳ ବନ୍ଦ; ଯାତ୍ରୀ ହନ୍ତସନ୍ତ
ଭାରତ ବନ୍ଦ ଯୋଗୁଁ ବସଷ୍ଠାଣ୍ଡରେ ବସଗୁଡ଼ିକ ଛିଡ଼ା ହୋଇରହିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 27, 2021, 8:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୋମବାର ଦେଶ ବ୍ୟାପୀ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବିଶେଷ କରି ଯାତାୟତ କ୍ଷେତ୍ରରେ ଅଧିକ ପ୍ରଭାବ ପଡ଼ିଥିଲା। ରାଜ୍ୟରେ ଶତାଧିକ ରୁଟ୍‌ରେ ଦୈନିକ ଗଢୁଥିବା ୧୪ ହଜାରରୁ ଅଧିକ ବସ ରାସ୍ତାକୁ ଆସି ନ ଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଦୂରଦୂରାନ୍ତର ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ନଜର ଆସିଛି।

ଭାରତ ବନ୍ଦର ପ୍ରଭାବ ସାରା ରାଜ୍ୟରେ କାଁ ଭାଁ ଦେଖିବାକୁ ମିଳିଥିବା ବେଳେ ବସଚଳାଚଳରେ କିନ୍ତୁ ଏହାର  ପ୍ରଭାବ ଅନୁଭୂତ ହୋଇଥିଲା । ଶତାଧିକ ରୁଟ୍‌ରେ ଦୈନିକ ଗଢୁଥିବା ୧୪ ହଜାରରୁ ଅଧିକ ବସ ରାସ୍ତାକୁ ଆସି ନ ଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀମାନେ ବହୁ ଅସୁବିଧା ଭୋଗିଥିଲେ । ଦୂରଦୂରାନ୍ତକୁ ଯିବାକୁ ଥିବା ଅନେକ ଯାତ୍ରୀ ବସଷ୍ଟାଣ୍ଡରେ ଏକ ପ୍ରକାର ଅଟକ ଅବସ୍ଥାରେ ରହି ଯାଇଥିଲେ । ତେବେ ରେଳ ଚଳାଚଳ ଉପର ବନ୍ଦ ଡ଼ାକରାର ପ୍ରଭାବ କମ୍ ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱର ବରମୁ୍‌ଣ୍ଡାର ବସଷ୍ଟାଣ୍ଡରରେ ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ବସଷ୍ଟାଣ୍ଡରୁ ଦୈନିକ ପ୍ରାୟ ଦେଢ ହଜାରରୁ ଅଧିକ ବସ ଶତାଧିକ ରୁଟ୍‌ରେ ଚଳପ୍ରଚଳ କରିଥାନ୍ତି । କିନ୍ତୁ ଭାରତ ବନ୍ଦ ଡ଼ାକରାର ପ୍ରଭାବ କାରଣରୁ ପୁରା ବସଷ୍ଟାଣ୍ଡ ଏକ ପ୍ରକାର ଜନଶୂନ୍ୟ ହୋଇ ପଡ଼ିଥିଲା । ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ହତାଶ ହୋଇଥିବା ବେଳେ ବସର କର୍ମଚାରୀମାନେ ଏକ ପ୍ରକାର ହାତବାନ୍ଧି ବସି ରହିଥିଲେ । ବସ ଚଳାଚଳ ବନ୍ଦ ରହିଥିବା କାରଣରୁ ବସଷ୍ଟାଣ୍ଡ ଭିତରେ ଛୋଟ ଦୋକାନ କରି ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀମାନେ ଗ୍ରାହକ ଅପେକ୍ଷାରେ ରହିଥିଲେ । ତେବେ ଅଧିକାଂଶ ବସଯାତ୍ରୀ ଏଭଳି ବନ୍ଦ ଡ଼ାକରାକୁ ନାପସନ୍ଦ କରୁଥିଲେ ।

ବସ ବନ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି (ପ୍ରତୀକାତ୍ମକ ଛବି)


ମୟୁରଭଞ୍ଜ ଯିବା ପାଇଁ ଅପେକ୍ଷା କରିଥିବା ସୁବାସ ମୁଣ୍ଡ କହିଛନ୍ତି,"ଏଭଳି ଭାରତ ବନ୍ଦ ଡାକରା ଠିକ ନୁହେଁ। ମୋ ଘରେ ଖୁଵ ଅସୁବିଧା କିନ୍ତୁ ଘରେ ପହଞ୍ଚିବା ପାଇଁ ମତେ ଆହୁରି ୧୮ ଘଣ୍ଟା ଲାଗିବ। କଣ କରିବି କିଛି ଜାଣି ପାରୁନାହିଁ।" ସେହିଭଳି ଗଞ୍ଜାମ ଯିବାକୁ ଅପେକ୍ଷା କରିଥିବା ଆଉ ଜଣେ ଯାତ୍ରୀ ମୁକେଶ ବସ୍ତିଆ କହିଛନ୍ତି,"ମୁଁ ବହୁତ ଜରୁରୀ କାମରେ ଭଞ୍ଜନଗର ଯିବାକୁ ଚାହୁଁଥିଲି। ହେଲେ ବସଷ୍ଟାଣ୍ଡ ଆସିବାରୁ  ଜାଣିଲି ଯେ ଭାରତ ବନ୍ଦ। ଏବେ କଣ କରିବି କିଛି ଜାଣିପାରୁନି। '

ସେହିଭଳି ବସ କର୍ମଚାରୀ ରଘୁନାଥ ବେହେରାଙ୍କ ଅଭିଯୋଗ କରି କହିଛନ୍ତି , "ଗତ ଦେଢବର୍ଷ ହେଲା କୋଭିଡ଼ କାରଣରୁ ବସ ବ୍ୟବସାୟ ଯଥେଷ୍ଟ ପ୍ରଭାବିତ ହୋଇଥିବା ବେଳେ ପୁଣି ଥରେ ଭାରତବନ୍ଦ ଡ଼ାକରା ଗ୍ରହଣୀୟ ନୁହେଁ ।   ବସ ମାଲିକ ମୁକ୍ତିକାନ୍ତ ପ୍ରଧାନ କହିଛନ୍ତି' "କୋଭିଡ଼ ଆମର ଆର୍ଥିକ ସ୍ଥିତିକୁ ଦୋହରାଇଲା। ଏବେବି ସ୍ଥିତି ସୁଧରି ନଥିବା ବେଳେ ଏଭଳି ବନ୍ଦ ଡାକରା ଭାରି ବାଧୁଛି। '

ବନ୍ଦ ଡ଼ାକରାକୁ ନେଇ ଅଧିକାଂଶ ବସ ମାଲିକ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । କୋଭିଡ଼ ଯୋଗୁଁ ବସ ମାଲିକମାନେ ହାତ ବାନ୍ଧି ବସିଥିଲେ। ବସ ଚଳାଇବାକୁ ସେମାନେ ଅସମର୍ଥ ହେଉଥିବା କାରଣରୁ ଏବେ ବି ୩୦ ପ୍ରତିଶତ ବସ ରାସ୍ତା ଉପରକୁ ଆସି ପାରି ନାହିଁ । ସେଥିପାଇଁ ସେମାନେ ସରକାରୀ ସହାୟତା ଲୋଡ଼ିଛନ୍ତି । ଏଭଳି ସମୟରେ ପୁଣି ଥରେ ବନ୍ଦ ଡ଼ାକରାର ପ୍ରଭାବ ମାଲିକମାନଙ୍କ ପେଟକୁ ନାତ ମାରିବା ସଦୃଶ୍ୟ ।

ଲୋକମାନେ ବସକୁ ଅପେକ୍ଷା କରି ରହିଛନ୍ତି (ପ୍ରତୀକାତ୍ମକ ଛବି)


"ଏହା ଅନୁମତିପ୍ରାପ୍ତ ବନ୍ଦ ଡ଼ାକରା ହୋଇଥିବାରୁ ଏଥିରେ ଗାଡ଼ି ପାଇଁ ବୀମା ମିଳିବ ନାହିଁ । ଅର୍ଥାତ ଏହି ବନ୍ଦ ଡ଼ାକରା ସମୟରେ ଗାଡ଼ିର କିଛି କ୍ଷୟକ୍ଷତି ହେଲେ ଏହା ବୀମାଭୁକ୍ତ ହୋଇପାରିବ ନାହିଁ। ସେହି କାରଣରୁ ବସ ବନ୍ଦ କରିବାକୁ ବାଧ୍ୟ ହେଉଛି," କହିଛନ୍ତି ରାଜ୍ୟର ଘରୋଇ ବସମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ।

ସେପଟେ ରେଳଯାତ୍ରା ଉପରେ ବନ୍ଦର ପ୍ରଭାବ ପ୍ରାୟତଃ ଦେଖିବାକୁ ମିଳି ନ ଥିଲା। କିଛି ସମୟ ପାଇଁ ବନ୍ଦ ଡ଼ାକାରାରେ ସାମିଲ ହୋଇଥିବା ସମର୍ଥକମାନେ ପିକେଟିଂ କରିବାରୁ ରେଳ ଅଟକି ରହିଥିଲା ।

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ୧୨ ଘଣ୍ଟିଆ ବନ୍ଦ କାରଣରୁ ରାତି ବେଳା ଦୂରଗାମୀ ବସ ଚଳାଚଳ ପାଇଁ ନିଷ୍ପତି ହୋଇଥିବାରୁ ଏହାକୁ ନେଇ କିଛି ଯାତ୍ରୀ ଓ ବସ ମାଲିକମାନେ ଆଶ୍ୱସ୍ତ ଥିବା କହିଛନ୍ତି ।
Published by: Soumya Das
First published: September 27, 2021, 7:36 PM IST