ଦୂର ହେବ ଦାରୁଠେଙ୍ଗ ବାସୀଙ୍କ ଚିନ୍ତା: ଡମ୍ପିୟାର୍ଡ ସ୍ଥାନରେ ନିର୍ମାଣ ହେବ ପାର୍କ

ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ନିକଟରେ ବି.ଏମ.ସି.ର ଭୁଆଷୁଣି ଡମ୍ପିୟାର୍ଡ। ସେଠାରେ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ କରି ବର୍ଜ୍ୟବସ୍ତୁର ପ୍ରକ୍ରୀୟାକରଣ ଓ ପରିଚାଳନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଦୂର ହେବ ଦାରୁଠେଙ୍ଗ ଗ୍ରାମବାସୀଙ୍କ ଦୀର୍ଘ ଦିନର ଚିନ୍ତା

ଦୂର ହେବ ଦାରୁଠେଙ୍ଗ ଗ୍ରାମବାସୀଙ୍କ ଦୀର୍ଘ ଦିନର ଚିନ୍ତା

  • Share this:
News18 Odia Digital

ଭୁବନେଶ୍ବର: ଦୂର ହେବ ଦାରୁଠେଙ୍ଗ ଗ୍ରାମବାସୀଙ୍କ ଦୀର୍ଘ ଦିନର ଚିନ୍ତା । ଡମ୍ପିୟାର୍ଡ ସ୍ଥାନରେ ନିର୍ମାଣ ହେବ ପାର୍କ । ବାୟୋ ମାଇନିଂ ପ୍ଲାଣ୍ଟ ଜରିଆରେ ଡମ୍ପିଂୟାର୍ଡରେ ଗଦା ହୋଇଥିବା ବର୍ଜ୍ୟବସ୍ତୁର ହେବ ପ୍ରକ୍ରୀୟାକରଣ ଓ ପରିଚାଳନା । କେବଳ ଭୁବନେଶ୍ବରରେ ନୁହେଁ ରାଜ୍ୟର ସବୁ ପ୍ରମୁଖ ସହରରେ ବର୍ଜ୍ୟ ପରିଚାଳନା ପାଇଁ ପ୍ରତିଷ୍ଠା ହେବ ବାୟୋ ମାଇନିଂ ପ୍ଲାଣ୍ଟ । ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଛି ଅନୁମୋଦନ।

ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ନିକଟରେ ବି.ଏମ.ସି.ର ଭୁଆଷୁଣି ଡମ୍ପିୟାର୍ଡ। ଡମ୍ପିୟାର୍ଡ ଯୋଗୁଁ ପରିବେଶ ଦୂଷିତ ହେଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ । ପରେ ଭୁବନେଶ୍ବର ସହର ଭିତରେ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରି ସହରର ବର୍ଜ୍ୟକୁ ପରିଚାଳନା କରାଯାଉଛି। ତେବେ ଭୁଆଷୁଣି ଡମ୍ପିଂୟାର୍ଡରେ ଇତି ମଧ୍ୟରେ ୧୬ ଲକ୍ଷ ମେଟ୍ରିକ ଟନରୁ ଅଧିକ ପରିମାଣର ଅଳିଆ ଗଦାର ପାହାଡ ସୃଷ୍ଟି ହୋଇଛି । ସେଠାରେ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ କରି ବର୍ଜ୍ୟବସ୍ତୁର ପ୍ରକ୍ରୀୟାକରଣ ଓ ପରିଚାଳନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ପ୍ରାୟ ୬୦ ଏକମର ଜମିରେ ୧୦୩ କୋଟି ଟଙ୍କା ବ୍ୟୟରେ ଏକ ପାର୍କ ନିର୍ମାଣ କରିବାକୁ ନଗର ଉନ୍ନୟନ ବିଭାଗ ଅନୁମୋଦନ ଦେଇଛି । ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ରାଜ୍ୟର ସମସ୍ତ ପ୍ରମୁଖ ସହରରେ ବର୍ଜ୍ୟ ପରିଚାଳନା ପାଇଁ ବାୟୋ ମାଇନିଂ ପ୍ଲାଣ୍ଟ କରାଯିବା ନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଥିଲେ।

" ଆପଣମାନେ ବି ଜାଣିଛନ୍ତି ଦାରୁଠେଙ୍ଗରେ ହେବାକୁ ଥିବା ଡମ୍ପିୟାର୍ଡ ପାଇଁ କେତେ କଣ ଘଟିଛି। ପରିଶେଷରେ ବାୟୋ ମାଇନିଂ ଜରିଆରେ ଅଳିଆ ନିଷ୍କାସନ ପାଇଁ କଥା ସରିଛି। ସେଠି ଏକ ସୁନ୍ଦର ପାର୍କ ନିର୍ମାଣ ହେବ। ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ହେବ,’’ କହିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ।

ଡମ୍ପିଂୟାର୍ଡକୁ ବିରୋଧ କରିଆସୁଥିଲେ ସ୍ଥାନୀୟ ଲୋକେ । ବାଧ୍ୟ ହୋଇ ବି.ଏମ.ସି ତାକୁ ବନ୍ଦ କରିଥିଲା । ତଥାପି ଅଳିଆ ଗଦାର ପାହାଡ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ରହିଥିଲା ତୀବ୍ର ଅସନ୍ତୋଷ । ବିଳମ୍ବରେ ହେଲେ ମଧ୍ୟ ସେଠାରୁ ଅଳିଆ ବାହାର କରି ଗ୍ରାମବାସୀଙ୍କ ପାଇଁ ପାର୍କ ନିର୍ମାଣ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତିଚ ଦାରୁଠେଙ୍ଗ ଗ୍ରାମବାସୀ ।

ସେପଟେ ପରିମଳ ଜନିତ ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଏହା ବଡ଼ ପଦକ୍ଷେପ । ଯଦିଓ ଦାରୁଠେଙ୍ଗରେ ଗତ କିଛି ମାସ ହେଲା ବର୍ଜ୍ୟ ଗଦା ହେଉନାହିଁ ତଥାପି ସେଠାରେ ପୂର୍ବରୁ ପଡ଼ିଥିବା ଅଳିଆ ଯୋଗୁଁ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଥିଲେ । ସବୁ ସହରରେ ଏଭଳି ବ୍ୟବସ୍ଥା ହେଲେ କେବଳ ପରିବେଶ ସୁସ୍ଥ ରହିବ ଏହା ନୁହେଁ ବରଂ ବର୍ଜ୍ୟ ପରିଚାଳନା ଦ୍ବାରା ବି.ଏମ.ସି. ଅଧିକ ରାଜସ୍ବ ସଂଗ୍ରହ କରିପାରିବ।

"ଅନେକ ଦିନ ଧରି ସେହି ଅଳିଆ ଆବର୍ଜନା ପାଇଁ ଗାଁ ଲୋକ ଅସନ୍ତୁଷ୍ଟ ଥିଲେ। ଅନେକ ଆନ୍ଦୋଳନ ଅନେକ ବିକ୍ଷୋଭ କରିସାରିଛନ୍ତି। ଅନେକ ହଇରାଣ ବି ହୋଇଛନ୍ତି । ଏବେ ସେଠି ଫାଇନାଲି ପାର୍କ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର, ଯାହାକୁ ଆମେ ଗ୍ରାମବାସୀ ସ୍ୱାଗତ କରୁଛୁ। ତୁରନ୍ତ କାମ ଶେଷ ହେବା ଦରକାର,’’ କହିଥିଲେ ଦାରୁଠେଙ୍ଗର ବାସିନ୍ଦା ସଚିନ ମହାପାତ୍ର ।

ଡମ୍ପିଂୟାର୍ଡ ପାଇଁ ସ୍ଥାନ ଅଭାବ ଯୋଗୁଁ ସହର ମଧ୍ୟରେ ଗଦା ହେଉଛି କୁଢ଼କୁଢ଼ ଅବର୍ଜନା । ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ ହେଲେ ଏହି ସମସ୍ୟାର ହେବ ସ୍ଥାୟୀ ସମାଧାନ।
Published by:Lipina Das
First published: