ଉତ୍କଳ ଦିବସ: ବର୍ଯ୍ୟବସ୍ତୁକୁ ନେଇ ତିଆରି ହେଲା ପାର୍କ; ଉପକୃତ ହେବେ ୧୫୦ଟି ପୋଲିସ ପରିବାରର ପିଲା

ଭୁବନେଶ୍ବର ପୋଲିସ ଜିଲ୍ଲାରେ ଥିବା ରିଜର୍ଭ ଅଫିସ ପରିସର ମଧ୍ୟରେ ପ୍ରାୟ ୧୫୦ଟି ପୋଲିସ ପରିବାର ରହୁଛନ୍ତି। ଏହି ରିଜର୍ଭ ପରିସର ମଧ୍ୟରେ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିଲେ ମଧ୍ୟ ଛୋଟ ଛୋଟ ପିଲାଙ୍କ ଆମୋଦ ପ୍ରମୋଦ ଲାଗି କୌଣସି ସୁବିଧା ଉପଲବ୍ଧ ନଥିଲା।

ବର୍ଯ୍ୟବସ୍ତୁକୁ ନେଇ ତିଆରି ହେଲା ପାର୍କ

ବର୍ଯ୍ୟବସ୍ତୁକୁ ନେଇ ତିଆରି ହେଲା ପାର୍କ

  • Share this:
News18 Odia Digital

ଭୁବନେଶ୍ବର: ପବିତ୍ର ଉତ୍କଳ ଦିବସ ଅବସରରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ୍ ଜିଲ୍ଲା ଅନ୍ତର୍ଗତ ରିଜର୍ଭ ଅଫିସ ପରିସରରେ ଏକ ଚିଲୁରେନ୍ସ ପାର୍କ ଓ ଗୋଟିଏ BLISS Centre (Basic Life Improvement Skills and Strategies Centre)ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ପର୍ବରେ ଭୁବନେଶ୍ବର, କଟକ ପୋଲିସ କମିଶନରେଟର କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ବର, କଟକ ପୋଲିସ କମିଶନରେଟର ଅତିରିକ୍ତ କମିଶନର ନୀତି ଶେଖର, ଭୁବନେଶ୍ବରର ଡେପୁଟି କମିଶନର ଡଃ. ଉମାଶଙ୍କର ଦାଶ, କଟକ କମିଶନରେଟର ଡେପୁଟି କମିଶନର ପ୍ରତୀକ ସିଂହ ଓ ଟ୍ରାଫିକ ଡି.ସି.ପି. ଏସ.ସୁଶ୍ରୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ଭୁବନେଶ୍ବର ପୋଲିସ ଜିଲ୍ଲାରେ ଥିବା ରିଜର୍ଭ ଅଫିସ ପରିସର ମଧ୍ୟରେ ପ୍ରାୟ ୧୫୦ଟି ପୋଲିସ ପରିବାର ରହୁଛନ୍ତି। ଏହି ରିଜର୍ଭ ପରିସର ମଧ୍ୟରେ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିଲେ ମଧ୍ୟ ଛୋଟ ଛୋଟ ପିଲାଙ୍କ ଆମୋଦ ପ୍ରମୋଦ ଲାଗି କୌଣସି ସୁବିଧା ଉପଲବ୍ଧ ନଥିଲା। ଏହା ବ୍ୟତୀତ ପୋଲିସ ବିଭାଗରେ ସର୍ବଦା କାର୍ଯ୍ୟ ବ୍ୟସ୍ତତା ଯୋଗୁଁ କର୍ମଚାରୀମାନେ ନିଜ ପିଲାମାନଙ୍କୁ ପରିସର ବାହାରେ ଥିବା କୌଣସି ଚିଲଡ଼ରେନ୍ସ ପାର୍କ ହେଉ କିମ୍ବା ପିଲାଙ୍କ ଆମୋଦ ପ୍ରମୋଦ ଲାଗି ଉଦ୍ଦିଷ୍ଟ ସ୍ଥାନମାନଙ୍କୁ ନେଇ ପାରନ୍ତି ନାହିଁ। ଏହି ସମସ୍ୟାର ଦୂରୀକରଣ ନିମନ୍ତେ ଏହି ପାର୍କ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଏହି ପାର୍କ ପାଇଁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡ଼ିନି। ଏ ପାର୍କଟି ସମ୍ପୂର୍ଣ ଭାବେ ବର୍ଯ୍ୟ ବସ୍ତୁକୁ ନେଇ କରାଯାଇଛି। ପୋଲିସ ବିଭାଗରେ ଥିବା କୁଶଳୀ କର୍ମଚାରୀମାନେ ବିଭିନ୍ନ ପ୍ରକାର ନଷ୍ଟ ହୋଇଯାଇଥିବା ବା କାମରେ ଆସୁନଥିବା ଜିନିଷ ନେଇ ନିଜର ଅତ୍ୟାଧୁନିକ ଜ୍ଞାନକୌଶଳକୁ ବିନିଯୋଗ କରି ଏହି ପାର୍କଟିକୁ ତିଆରି କରିଛନ୍ତି। ଏହାଦ୍ବାରା ୧୫୦ଟି ପରିବାରର ପିଲାମାନେ ଉପକୃତ ହେବେ। ସେହିପରି ଭାବରେ ପୋଲିସ ବିଭାଗରେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ପୋଲିସ କର୍ମଚାରୀ ମାନେ ପ୍ରାୟତଃ ବିଭିନ୍ନ ପ୍ରକାର ମାନସିକ ରୋଗର ସମ୍ମୁଖୀନ ହୋଇଥାନ୍ତି।

ଏହି କାରଣ ହେତୁ ସେମାନେ ମଧ୍ୟ ବିଭିନ୍ନ ପ୍ରକାର ବଦଭ୍ୟାସର ଶିକାର ହୋଇଥାନ୍ତି। ଯାହାଫଳରେ ସେମାନେ ଏକ ସୁସ୍ଥ ଜୀବନ ଯାପନ କରିବାରେ ସମ୍ପୂର୍ଣ ଅସମର୍ଥ ହୋଇପଡ଼ନ୍ତି। ଏହି ସମସ୍ୟାର ଦୂରୀକରଣ ନିମନ୍ତେ BLISS Centre ଆରମ୍ଭ କରାଯାଇଛି। ଉକ୍ତ କେନ୍ଦ୍ରରେ ଏହି ପ୍ରକାର ସମସ୍ୟା ଦେଇ ଗତି କରୁଥିବା ପୋଲିସ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ମନସ୍ତତ୍ବବିତମାନଙ୍କ ଦ୍ବାରା ସାକ୍ଷାତକାର ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କୁ ସୁସ୍ଥ ଜୀବନ ବଞ୍ଚିବାରେ ସହାୟ ହେବ।

ସେହିପରି ଭାବେ ପବିତ୍ର ଉତ୍କଳ ଦିବସ ଅବସରରେ ଭୁବନେଶ୍ବରସ୍ଥିତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଲିଉଡ ଜଗତର ବହୁ ନାମୀ କଳାକାରଙ୍କ ସହ ବିଭିନ୍ନ ସ୍ତରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

କାର୍ଯ୍ୟାରମ୍ଭରେ “ବନ୍ଦେ ଉତ୍କଳ ଜନନୀ’’ ସଙ୍ଗୀତ ଗୀତିକାର ବନାଳି ହୋତା ଓ ତାନ୍ମେନ ସିଂହଙ୍କ ଦ୍ଵାରା ଗାନ କରାଯିବା ସହ ବାଦ୍ୟ ଯନ୍ତ୍ରରେ ୭ମ ବଟାଲିଆନର ବ୍ୟାଣ୍ଡ ପାର୍ଟି ସହଯୋଗ କରିଥିଲେ।। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ଲାଗି କମେଡି କିଙ୍ଗ ପ୍ରଜ୍ଞାନ ଓ ଶଙ୍କର ଖୋରାକ ଯୋଗାଇଥିଲେ।

ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ମଧ୍ୟରେ ବାସ କରୁଥିବା ବିଭିନ୍ନ ବସ୍ତିର ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିଥିଲା। କାର୍ଯ୍ୟକ୍ରମ ଶେଷରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସହିତ ବିଭିନ୍ନ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
Published by:Lipina Das
First published: