ଡାକ୍ତର ନୁହେଁ ଫାର୍ମାସିଷ୍ଟଙ୍କ ଦ୍ବାରା ଚାଲିଛି ପାରଳାଖେମୁଣ୍ଡି ସହରାଞ୍ଚଳ ଚିକିତ୍ସାଳୟ

ଜିଲ୍ଲା ସଦର ମହକୁମାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥାକୁ ଦେଖିଲେ ଦୁର୍ଗମ ଅଞ୍ଚଳରେ କିଭିଳି ଲୋକେ ସ୍ବାସ୍ଥ୍ୟ ସେବା ପାଉଥିବେ ତାହା ସହଜେ ଅନୁମେୟ।

 ଡାକ୍ତର ନୁହେଁ ଫାର୍ମାସିଷ୍ଟଙ୍କ ଦ୍ବାରା ଚାଲିଛି ପାରଳାଖେମୁଣ୍ଡି ସହରାଞ୍ଚଳ ଚିକିତ୍ସାଳୟ

ଡାକ୍ତର ନୁହେଁ ଫାର୍ମାସିଷ୍ଟଙ୍କ ଦ୍ବାରା ଚାଲିଛି ପାରଳାଖେମୁଣ୍ଡି ସହରାଞ୍ଚଳ ଚିକିତ୍ସାଳୟ

  • Share this:
News18 Odia Digital

ପାରଳାଖେମୁଣ୍ଡି: ଆସୁନାହାଁନ୍ତି ଡାକ୍ତର, ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଚିକିତ୍ସାଳୟ। ବିଶ୍ଵାସ ହେଉନଥିଲେ ବି କଥାଟି ସତ। ଏହା କୌଣସି ଦୁର୍ଗମ ଅଞ୍ଚଳର କାହାଣୀ ନୁହେଁ, ପ୍ରଶାସନର ନାକ ତଳେ ରହିଥିବା ପାରଳାଖେମୁଣ୍ଡି ସହରାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସପ୍ତାହର ପ୍ରତ୍ୟେକ ଦିନ ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଆସି ରୋଗୀ ଚିକିତ୍ସା କରିବା କଥା। ହେଲେ କୌଣସି ବିଶେଷଜ୍ଞ ଆସିବା ତ ଦୂରର କଥା ନିଯୁକ୍ତ ଡାକ୍ତର ମଧ୍ୟ ଆସୁନାହାଁନ୍ତି। ଫଳରେ ସେଠାକାର ଫାର୍ମାସିଷ୍ଟ ହିଁ ରୋଗୀଙ୍କ ଭରସା ପାଲଟିଛନ୍ତି।

ପାରଳାଖେମୁଣ୍ଡି ପୌର ପରିଷଦର ୪ନମ୍ବର ୱାର୍ଡ଼ ଅନ୍ତର୍ଗତ ଭଣ୍ଡାରୀ ସାହି ଠାରେ ରହିଛି ସହରାଞ୍ଚଳ ଚିକିତ୍ସାଳୟ। ଏହା ଗଞ୍ଜାମ ଜିଲ୍ଲା ଅଧିନରେ ଥିବା ସମୟରେ ୧୯୭୩ ମସିହାରେ ଏହି ଚିକିତ୍ସାଳୟ ଆରମ୍ଭ ହୋଇଥିଲା। ଦୀର୍ଘଦିନ ଧରି ଏହା ପାରଳାଖେମୁଣ୍ଡି ପୌର ପରିଷଦ ଦ୍ବାରା ପରିଚାଳିତ ହୋଇଆସୁଥିଲା।

ହେଲେ ଜାତୀୟ ସ୍ବାସ୍ଥ୍ୟ ମିଶନ ଗଠନ ହେବା ପରେ ୨୦୧୬ରେ ଏହାକୁ ନିଜ ହାତକୁ ନେବା ସହ ପୁନଃ ଉଦ୍ଧାର ପାଇଁ ପ୍ରୟାସ କରାଯାଇଥିଲା। ୨୦୧୮ ମସିହାରେ ଏହାର ପୁନଃ ଉଦ୍ଧାର କାମ କରାଯାଇ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଥିଲା। ପୌର ପରିଷଦ ଅଧିନରେ ଥିବା ସମୟରେ ଶେଷ ୧୨ ବର୍ଷ କେହି ଡାକ୍ତର ନଥିଲେ।

ସେହିପରି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ହେବା ପରେ ମଧ୍ୟ ପ୍ରାୟ ୧ ବର୍ଷ ଧରି କେହି ଡାକ୍ତର ନଥିଲେ। ୨୦୧୯ରେ ଜଣେ ଡାକ୍ତର ନିଯୁକ୍ତ ହୋଇଥିଲେ। ଏହାପରେ ଠାରୁ ଡାକ୍ତର ନିଯୁକ୍ତ ରହିଛନ୍ତି। କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲନଥିବାରୁ ସେ ପ୍ରାୟ ଏକ ମାସ ହେଲା ଛୁଟିରେ ରହିଛନ୍ତି। ତାଙ୍କ ସ୍ଥାନରେ କାହାକୁ ଦାୟିତ୍ଵ ମଧ୍ୟ ଦିଆଯାଇନାହିଁ।

"ସହରର ୯ ଗୋଟି ୱାର୍ଡର ଲୋକେ ନିର୍ଭର କରୁଥିବା ଏହି ଡାକ୍ତରଖାନକୁ ସପ୍ତାହର ପ୍ରତ୍ୟେକ ଦିନ ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଆସି ରୋଗୀଙ୍କ ଚିକିତ୍ସା କରିବା ପାଇଁ ନିୟମ ରହିଛି। ହେଲେ ସେମାନେ ଆଜି ଯାଏଁ ଆସୁନାହାଁନ୍ତି। ନିୟମିତ ଯେଉଁ ଡାକ୍ତର ରହୁଥିଲେ ତାଙ୍କର ଦେହ ଖରାପ ହେବା ଯୋଗୁଁ ସେ ଆସୁନାହାଁନ୍ତି ତାଙ୍କ ବଦଳରେ ଅନ୍ୟ ଡାକ୍ତରଙ୍କୁ ରଖିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଡାକ୍ତର ଆସିନାହାଁନ୍ତି। ଏକ ମାସ ହେଲା ଜଣେ ଫାର୍ମାସିଷ୍ଟଙ୍କ ଭରସାରେ ଏହି ଚିକିତ୍ସାଳୟ ଚାଲିଛି," କହିଛନ୍ତି ସ୍ଥାନୀୟ ବାସିନ୍ଦା ବସନ୍ତ କୁମାର ପଣ୍ଡା।

"ଚିକିତ୍ସାଳୟକୁ ସୁନ୍ଦର କରିବା ସହ ଉଚିତ୍ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଥିବା କହୁଛନ୍ତି। ହେଲେ ବାସ୍ତବରେ ଏହା ଯେ, କେବଳ ପ୍ରଚାର ସର୍ବସ୍ବ ତାହା ଏହି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥାକୁ ଦେଖି ସ୍ପଷ୍ଟ ବାରି ହୋଇପଡୁଛି। ଏଠାରେ ଜଣେ ଫାର୍ମାସିଷ୍ଟ, ଜଣେ ଏଏନଏମ ଓ ଜଣେ ନର୍ସ ରହିଛନ୍ତି। ସେମାନେ ହିଁ ରୋଗୀଙ୍କ ଚିକିତ୍ସା କରୁଛନ୍ତି," କହିଛନ୍ତି ୪ନଂ ୱାର୍ଡ କାଉନସିଲ ବିଭୂତି ଭୂଷଣ ବେହେରା।

"ଏହା ମୋର ଦୃଷ୍ଟି ଆକର୍ଷଣ କରିଛି। ସେଠାରେ ନିଯୁକ୍ତ ଡାକ୍ତରଙ୍କ ଦେହ ଖରାପ ଥିବାରୁ ସେ ଚିକିତ୍ସା ପାଇଁ ଯାଇଛନ୍ତି। ତେଣୁ ଡାକ୍ତର ନାହାଁନ୍ତି। ଅତିଶୀଘ୍ର ଏହାର ବିକଳ୍ପ ପଦକ୍ଷେପ ଗ୍ରହଣ କରାଯିବ,’’ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ର କହିଛନ୍ତି।

ଜିଲ୍ଲା ସଦର ମହକୁମାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥାକୁ ଦେଖିଲେ ଦୁର୍ଗମ ଅଞ୍ଚଳରେ କିଭିଳି ଲୋକେ ସ୍ବାସ୍ଥ୍ୟ ସେବା ପାଉଥିବେ ତାହା ସହଜେ ଅନୁମେୟ।
Published by:Lipina Das
First published: