‘‘ମୁଁ ଗଲି ଭାତ ବାଢ଼ିବାକୁ, ଆସିଲା ବେଳକୁ ସେ ଜଳୁଛନ୍ତି’’: ଏତେ ସରଳ ଥିଲା କି ACF ସୌମ୍ୟଙ୍କ ମୃତ୍ୟୁ?

ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ କେମିତି ହେଲା ତା’ ବିଷୟରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ଓ ପୋଲିସକୁ କହିଥିବା କଥା ମିଛ ହୋଇପାରେ ବୋଲି ତଦନ୍ତକାରୀ ଦଳର ସନ୍ଦେହ ବଢ଼ିଛି ।

‘‘ମୁଁ ଗଲି ଭାତ ବାଢ଼ିବାକୁ, ଆସିଲା ବେଳକୁ ସେ ଜଳୁଛନ୍ତି’’: ଏତେ ସରଳ ଥିଲା କି ACF ସୌମ୍ୟଙ୍କ ମୃତ୍ୟୁ?
ସୌମ୍ୟରଞ୍ଜନ ମହାପାତ୍ର ଓ ପତ୍ନୀ ବିଦ୍ୟାଭାରତୀ
  • News18 Odia
  • Last Updated: July 18, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି/ବାରିପଦା/ ବାଲେଶ୍ବର: ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକା କ୍ରମଶଃ ସନ୍ଦେହ ଘେରକୁ ଆସୁଛି । ଏହା ସହ ତାଙ୍କ ସହ ଅନୈତିକ ସମ୍ପର୍କ ରଖିବା ଓ ସୌମ୍ୟରଞ୍ଜନଙ୍କୁ ପ୍ରତାଡ଼ିତ କରୁଥିବା ଅଭିଯୋଗର ସାମନା କରୁଥିବା ଡି.ଏଫ୍‌.ଓ.ଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ବି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାକୁ ନେଇ ପ୍ରଶ୍ନ ଉଠିଛି ।

ମାତ୍ର ଛଅ ମାସ ତଳେ ବିବାହ କରିଥିବା ସୌମ୍ୟରଞ୍ଜନ ମହାପାତ୍ର ନିଜ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସାମନାରେ ପାରଳାଖେମୁଣ୍ଡିର ସରକାରୀ ବାସଭବନରେ ଜୁଲାଇ ୧୨ ତାରିଖ ରାତି ୯ଟା ସମୟରେ ନିଆଁରେ ଜଳିଯାଇଥିବା କୁହାଯାଇଛି । ବିଦ୍ୟାଭାରତୀ କହିଛନ୍ତି ନିଆଁ କେମିତି ଲାଗିଲା ସେ ଜାଣି ନାହାନ୍ତି । ସେ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିଥିବା ଦେଖି ସେ ବାଲତିରେ ପାଣି ଆଣି ଢାଳିଥିଲେ ଓ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ରୋଷେଇଆ ମନ୍ମଥ କୁମ୍ଭ ବି ନିଜେ ପାଣି ଢାଳିବା କଥା କହିଛି । ହେଲେ ଘଟଣା ଘଟିବାର ପ୍ରାୟ ଘଣ୍ଟାକ ପରେ ପୋଲିସ ପହଞ୍ଚିବା ପରେ ସେହି ଘରର ଚଟାଣରେ ପାଣିର ସାମାନ୍ୟ ଚିହ୍ନ ନ ଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

‘‘ହସପିଟାଲରେ ମୁଁ ଯେତେବେଳେ ତାକୁ (ବିଦ୍ୟାଭାରତୀକୁ) ପଚାରିଥିଲି, ‘କେମିତି କ’ଣ ହେଲା ଲୋ ମା?’ ସେ କହିଥିଲା ‘ମୁଁ ଗଲି ଭାତ ବାଢ଼ିତେ, ଆସିଲା ବେଳକୁ ସେ ଜଳୁଛନ୍ତି’,’’ କହିଛନ୍ତି ସୌମ୍ୟରଞ୍ଜନଙ୍କ ମାମୁଁ ଶୀତିକଣ୍ଠ ପଣ୍ଡା । କିନ୍ତୁ ଏହି କଥା ମିଛ ହୋଇଥାଇପାରେ ବୋଲି ତଦନ୍ତକାରୀ ଦଳର ସୂତ୍ର କହିଛନ୍ତି । ସେମାନଙ୍କ କହିବା ଅନୁସାରେ ସାଇଣ୍ଟିଫିକ ଟିମର ତଦନ୍ତ ବେଳେ ତାଙ୍କ ବାସଭବନ ଭିତରେ କୌଣସି କାନ୍ଥରେ ବା କବାଟରେ ସେହି ଘରେ ନିଆଁ ଲାଗିଥିବାର କୌଣସି ଚିହ୍ନ ନ ଥିଲା । ସେଇଥି ପାଇଁ ଘଟଣାଟି ବିଦ୍ୟାଭାରତୀଙ୍କ କହିବା ପରି ସେତେ ସରଳ ନ ଥିବା କହିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ । ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି ଯେ ସୌମ୍ୟରଞ୍ଜନଙ୍କୁ ଆଉ କେଉଁଠି ହତ୍ୟା କରି ବା ନିଆଁରେ ଜାଳିବା ପରେ ତାଙ୍କୁ ସେହି ଘର ଭିତରକୁ ଅଣାଯାଇଥିଲା । ତାଙ୍କ ପୋଷ୍ଟ ମର୍ଟମ୍‌ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନି ।

ସୌମ୍ୟଙ୍କୁ କଟକରେ ଏକ ହସପିଟାଲକୁ ଅଣାଯିବା ପରେ ସେଠାରେ ବିଦ୍ୟାଭାରତୀ


ପାରଳାଖେମୁଣ୍ଡିରେ ଏ.ସି.ଏଫ୍‌. ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସହ କେମିତି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଥିଲା ତା’ ଉପରୁ ପରଦା ହଟାଇବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ସନ୍ଦେହ ଘରରେ ରହିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା । ଏହି ଦୁଇ ଜଣଙ୍କ ସହ ରୋଷେଇଆ ମନ୍ମଥ କୁମ୍ଭ ନାଁରେ ବି ରୁଜୁ ହୋଇଛି ହତ୍ୟା ମାମଲା ।

‘‘ସୌମ୍ୟ ଅଧିକାଂଶ ସମୟରେ ଉଦାସ ରହୁଥିଲେ। ତାଙ୍କୁ ଡ୍ୟୁଟିରେ ପଠାଇ ଡି.ଏଫ୍‌.ଓ. ତାଙ୍କ ଘରକୁ ଯିବା ଆସିବା କରୁଥିବା କଥା ସେ ମୋତେ କହିଥିଲେ। ସୌମ୍ୟ ଓ ତାଙ୍କ ପତ୍ନୀ ଗାଁକୁ ଗଲେ ସେଠାରୁ ଶୀଘ୍ର ଚାଲିଆସିବା ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ। ଏପରିକି ତାଙ୍କୁ ଆଣିବା ପାଇଁ ଭୁବନେଶ୍ବର ଯାଏଁ ଗାଡି଼ ବି ପଠାଉଥିଲେ ସେ । ବିଦ୍ୟାଭାରତୀ ଓ ଡି.ଏଫ୍‌.ଓ.ଙ୍କ ମଧ୍ୟରେ ସମ୍ପର୍କ ଥିବା ସନ୍ଦେହ କରି ସୌମ୍ୟ ଉଦାସ ରହୁଥିଲେ,’’ କହିଛନ୍ତି ସୌମ୍ୟଙ୍କ ବନ୍ଧୁ ଶୁଭାଶିଷ ଜେନା ।



ଏବେ ବିଦ୍ୟାଭାରତୀଙ୍କୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ଥିବା ତାଙ୍କ ବାପଘରେ ପଚରାଉଚରା କରିବ ପାରଳାଖେମୁଣ୍ଡି ପୋଲିସ । ସୌମ୍ୟଙ୍କ ମାଆଙ୍କୁ ବି ବାଲେଶ୍ବରରେ ଭେଟିବ ପୋଲିସ । ପାରଳାଖେମୁଣ୍ଡି ଡି.ଏଫ୍‌.ଓ. ଓ ବିଦ୍ୟାଭାରତୀଙ୍କ ମଧ୍ୟରେ କଥିତ ସମ୍ପର୍କକୁ ସାମନାକୁ ଆଣିବା ପାଇଁ ବି ପୋଲିସ ଉଦ୍ୟମ କରୁଥିବା ଜଣାପଡ଼ିଛି ।
Published by: Anand ST Das
First published: July 18, 2021, 11:56 PM IST