News18 Odia Digital
ଭୁବନେଶ୍ବର: ରାଜ୍ୟରୁ ପୁଣି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା- ମଦନପୁର ରାସ୍ତା କଡ଼ରୁ ୧୩ କିଲୋ ୩୩୦ ଗ୍ରାମ ଓଜନର ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ।
ଏକ ଅଖା ବସ୍ତାରେ ଅଭିଯୁକ୍ତ ଚୋରା ଚାଲାଣ କରୁଥିବା ବେଳେ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ତଦନ୍ତକାରୀ ଟିମ। ସେପଟେ ଅଢ଼େଇ ବର୍ଷରେ ୧୪ଟି ଜୀବନ୍ତ ବଜ୍ରକାପ୍ତା ଓ ୩୦ କିଲୋରୁ ଅଧିକ ବଜ୍ରକାପ୍ତା କାତି ଜବତ ହେବାପରେ କାହିଁକି ଏହା ଉପରେ ରୋକ ଲଗାଯାଇ ପାରୁନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏସଟିଏଫର ଏହି ତଥ୍ୟକୁ ଦେଖିଲେ ପ୍ରଶ୍ନ ଆସୁଛି, ଲୋପ କରିଦେବେ କି ବଜ୍ରକାପ୍ତା ବଂଶ। ଜବତ ହେଲାଣି ଏତେ, ଚୋରା ଚାଲାଣ ହୋଇଛି କେତେ? କିଏ ରଖିଛି ହିସାଵ, କିଏ କରୁଛି ଗଣତି? ଚୋରା ଚାଲାଣ ରୋକିବା ପାଇଁ ଆକ୍ଟିଭ ମୁଡ଼ରେ ଏସଟିଏଫ, ନିଦା ବିଷ୍ଣୁ ଜଙ୍ଗଲ ବିଭାବ? ଏସଟିଏଫ ଯେଉଁମାନଙ୍କୁ ଗିରଫ କରି ଜେଲ ପଠାଇଛି, ସେମାନେ ଏବେ ଜେଲ ଭିତରେ ନା ବାହାରେ? ସେମାନଙ୍କ ଉପରେ କିଏ ନଜର ରଖିଛି? ବଜ୍ରକାପ୍ତା ରୋକିବାରେ ଏସଟିଏଫ କ'ଣ ପଦକ୍ଷେପ ନେଉଛି ରିପୋର୍ଟ ଦଉଛି, ବନ ବିଭାଗ ତଥ୍ୟ କାହିଁକି ସାମ୍ନାକୁ ଆସୁନି? ରାଜ୍ୟରେ ବନ୍ୟପ୍ରାଣୀ ଦୌରାତ୍ମ ଦେଖି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି।
‘‘ଶନିବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା- ମଦନପୁର ରାସ୍ତା କଡ଼ରୁ ଜଣେ ଅଭିଯୁକ୍ତ ଠାରୁ ୧୩ କିଲୋ ୩୩୦ଗ୍ରାମ ଓଜନର ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା। ଗିରଫ ଅଭିଯୁକ୍ତ କଳାହାଣ୍ଡି କେସିଙ୍ଗା ଥାନା ଅଞ୍ଚଳର ଜିତେନ୍ଦ୍ର କୁମାର। ଏକ ଅଖାବସ୍ତାରେ ଅଭିଯୁକ୍ତ ଜିତେନ୍ଦ୍ର ବଜ୍ରକାପ୍ତାକୁ ଚୋରା ଚାଲାଣ କରୁଥିଲା। ୪ ଲକ୍ଷ ଟଙ୍କାରେ ଏହି ନୀରିହ ପ୍ରାଣୀକୁ ଡିଲ ହୋଇଥିଲା। ଆମ ଟିମ ସୂଚନା ପାଇବା ପରେ ଆମେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି," କହିଛନ୍ତି ଏସଟିଏଫ ଡ଼ିଏସପି ଏସ.ଏନ ରଥ।
ରାଜ୍ୟରୁ ବନ୍ୟଜନ୍ତୁ ଶିକାର ଓ ବେପାର ରୋକିବାରେ ବନ ବିଭାଗ ଫେଲ୍ ମାରିଥିବା ତାହା ଜଳ ଜଳ ହୋଇ ଦେଖା ଯାଉଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଡ଼ିଶାର ଅଧା ଜଙ୍ଗଲରେ ବଜ୍ରକାପ୍ତାଙ୍କ ଗତିବିଧି ରହିଛି। ମୟୁରଭଞ୍ଜ ଠାରୁ ଗଜପତି, ଦେବଗଡ଼ ଠାରୁ ମାଲକନାଗିରି, ଏପରିକି ରାଜଧାନୀ ଉପକଣ୍ଠ ପର୍ଯ୍ୟନ୍ତ ବନ୍ୟଜନ୍ତୁ ମାଫିଆ ସକ୍ରିୟ ଅଛନ୍ତି। ଭଦ୍ରକ ବାଲେଶ୍ଵର ଦେଇ ମାଫିଆମାନେ ବଜ୍ରକାପ୍ତାକୁ କଲିକତା ପଠାଉଛନ୍ତି। ସେଠୁ ମିଆଁମାର ଓ ଚୀନ ଯାଉଛି ବଜ୍ରକାପ୍ତା। ହେଲେ ଏସଟିଏଫ ଏସଟିଏଫ ଅପରାଧିଙ୍କୁ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିବା ପରେ ତଦନ୍ତ ଆଉ ଆଗକୁ ବଢୁନି।
ବନ୍ୟପ୍ରାଣୀ ଚୋରା ଚାଲାଣ ରୋକିବା ପାଇଁ ୨୦୨୦ରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲା ଏସଟିଏଫ। ୨୦୨୦ରୁ ଏବେ ସୁଦ୍ଧା ୨୮ଟି କଲରାପତରିଆ ବାଘ ଛାଲ, ୨୪ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୧୪ ଟି ଜୀବନ୍ତ ବଜ୍ରକାପ୍ତା, ୩୦ କିଲୋ ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିବା ସହ ୬୯ ଜଣ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି ଏସଟିଏଫ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।