ବଜ୍ରକାପ୍ତା ସ୍ମଗ୍ଲିଂରେ ବିଦେଶୀ ଲିଙ୍କ୍: ଗୋଟା ୯ ରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି, ଅନ୍‌ଲାଇନ୍‌ ବେପାର

ଚ଼ୀନ୍ ରେ ବୁଲେଟପ୍ରୁଫ୍ ଜ୍ୟାକେଟରେ ବଜ୍ରକାପ୍ତାର କାତି ବ୍ୟବହାର କରାଯାଉଛି । କିଲେ ବଜ୍ରକାପ୍ତା ପାଇଁ ଦାମ୍ ପାଖାପାଖି ୩ ଲକ୍ଷ ଟଙ୍କା ଓ ଗୋଟେ ଇଞ୍ଚ୍ ବଜ୍ରକାପ୍ତା କାତି ପାଇଁ ପାଖାପାଖି ତିନି ହଜାର ଟଙ୍କା ସ୍ଥିର କରାଯାଉଥିବା ଜଣା ପଡ଼ିଛି । ପଢ଼ନ୍ତୁ ସ୍ପେଶାଲ୍‌ ରିପୋର୍ଟ ।

ବଜ୍ରକାପ୍ତା ଧରାଇଦେବା ପାଇଁ ୧୦,୦୦୦ ଟଙ୍କା ପୁରସ୍କାର ବିଷୟରେ ବିଜ୍ଞାପନ

ବଜ୍ରକାପ୍ତା ଧରାଇଦେବା ପାଇଁ ୧୦,୦୦୦ ଟଙ୍କା ପୁରସ୍କାର ବିଷୟରେ ବିଜ୍ଞାପନ

  • Share this:
ସନ୍ତୋଷ ବାରିକ

କଟକ: ବିରଳ ଶ୍ରେଣୀଭୁକ୍ତ ବନ୍ୟ ପ୍ରାଣୀ ବଜ୍ରକାପ୍ତାର ଚ଼ୋରାଚ଼ାଲାଣ ସମ୍ପର୍କରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ବନ ବିଭାଗ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିବା ପଛରେ ରହିଛି ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଗାତର ଘଟୁଥିବା ବଜ୍ରକାପ୍ତା ଚ଼ୋରାଚ଼ାଲାଣରେ ଯୋଡ଼ି ରହିଥିବା ବିଦେଶୀ ତାର ।

ନିକଟରେ ଚ଼ୋରାଚ଼ଲାଣର ଏକ ବଡ଼ ରାକେଟକୁ ଠାବ କରି ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଠଗଡ଼ ବନଖଣ୍ଡ ଅଧିକାରୀ ତଦନ୍ତରୁ ଜାଣି ପାରିଛନ୍ତି ଯେ ଏ ଅଞ୍ଚଳରୁ ବଜ୍ରକାପ୍ତା କଲିକତା ଦେଇ ମିଆମାର୍‌ ଓ ଭିଏତନାମ୍‌ ଆଦି ଦେଶକୁ ଚାଲାଣ କରାଯାଉଛି ।

ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ ବଜ୍ରକାପ୍ତାକୁ ଧରିବା ପରେ ଗୋଟା ପିଛା ୯ ରୁ ୧୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଏଥିରେ ବେଶ୍‌ କିଛି ବିଦେଶୀ ଏଜେଣ୍ଟ୍‌ ସକ୍ରିୟ ଅଛନ୍ତି ଏବଂ ଏ ସମଗ୍ର ବେପାର ଅନ୍‌ଲାଇନ୍‌ ହେଉଛି ।

ଆଠଗଡ଼ ବନାଞ୍ଚଳ ଅଧିକାରୀଙ୍କ ସୂଚନା ମୁତାବକ ବଜ୍ରକାପ୍ତାର ପର କେତେକ ଅଭିଯୁକ୍ତଙ୍କ ଘରୁ ଜବତ ହୋଇଛି ଏବଂ ମୁଖ୍ୟ ଆସାମୀ ଏବେ ବି ଫେରାର ରହିଛି ।

ବଜ୍ରକାପ୍ତା ବା ପାଙ୍ଗୋଲିନ୍‌ (pangolin)


ପ୍ରଥମେ ଗୁରୁଡ଼ି଼ଝାଟିଆର ଥାନା ଅଧିକାରୀ ଚ଼େକିଂ କରୁଥିବା ସମୟରେ ଦୁଇ ଜଣଙ୍କ ମୋବାଇଲ ଫୋନ୍ରୁ ହାତୀ ଦାନ୍ତ ଓ ବଜ୍ରକାପ୍ତାର ଫଟୋ ଦେଖିବାକୁ ପାଇଥିଲେ । ତା’ପରେ ସନ୍ଦେହ ବଢିବାରୁ ତଦନ୍ତ ଆରମ୍ଭ କରିଥିଲେ ଏବଂ ଆଠଗଡ଼ ବନଖଣ୍ଡକୁ ସୂଚନା ଦେଇଥିଲେ ।

ଖୋଳତାଡ଼ ପରେ ଚ଼ୋରାଚାଲାଣର ଏକ ବଡ ରାକେଟ୍‌ ସାମନାକୁ ଆସିଥିଲା । ଡିସେମ୍ବର ୨ ତାରିଖରେ ବନ ବିଭାଗ ସାତ ଜଣ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ, ଶୁନିଆମୁହଁ, ଚୌଦ୍ଵାର, ବାରଙ୍ଗ ଓ ଆଠଗଡରୁ ଗିରଫ କରିଥିଲା । ଡିସେମ୍ବର ୯ ତାରିଖରେ ଆଉ ତିନି ଜଣଙ୍କୁ ଢେଙ୍କାନାଳ ଓ କଟକ ଜିଲ୍ଲାରୁ ଗିରଫ କରାଯାଇଥିଲା । ତା’ପରେ ଡିସେମ୍ବର ୧୩ ତାରିଖରେ ଏହି ମାମଲାରେ ଆଉ ଦୁଇ ଜଣଙ୍କୁ ଗରିଫ କରାଯାଇଥିଲା ।

ଅଭିଯୁକ୍ତମାନେ ପଚ଼ରାଉଚ଼ରା ସମୟରେ ଖୁଲାସା କରିଥିଲେ ଯେ ବଜ୍ରକାପ୍ତା ଚ଼ୋରାଚ଼ାଲାଣ ରାକେଟ୍‌ ଇଣ୍ଟରନେଟ୍‌ ଓ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ହେଉଛି । ରାକେଟ୍‌ରେ ସଂଲିପ୍ତ ଲୋକେ ଆଠଗଡ଼, ଢେଙ୍କାନାଳ, କେନ୍ଦୁଝର, ନୟାଗଡ ଓ ବାରିପଦା (ମୟୂରଭଞ୍ଜ) ଅଞ୍ଚଳରୁ ବଜ୍ରକାପ୍ତା ଆଣୁଛନ୍ତି । ତାକୁ ଓଜନ କରି ଓ ତା’ର କାତିଗୁଡି଼କୁ ମାପି ହ୍ୱାଟ୍‌ସଆପ୍‌ରେ ଭିଡିଓ କଲିଂ ମାଧ୍ୟମରେ ବିଦେଶରେ ଥିବା ବେପାରୀମାନଙ୍କୁ ଦେଖାଇବା ପରେ ବଜ୍ରକାପ୍ତାର ରେଟ୍‌ ସ୍ଥିର ହେଉଛି ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

‘‘ତା’ପରେ ବଜ୍ରକାପ୍ତାଗୁଡିକୁ ମଧ୍ଯପ୍ରଦେଶ, ପଶ୍ଚିମବଙ୍ଗ, ଚ଼ାଇନା, ଭିଏତନାମ୍‌, ମିଆଁମାର ଓ ଚ଼ାଇନାକୁ ସେଠାକାର ଏଜେଣ୍ଟମାନଙ୍କ ମାଧ୍ୟମରେ ଚ଼ୋରାଚ଼ାଲାଣ କରାଯାଉଛି,’’ ଅଭିଯୁକ୍ତମାନଙ୍କ ସ୍ୱୀକାରୋକ୍ତି ଆଧାରରେ କହିଛନ୍ତି ଅଧିକାରୀ ଜଣକ ।

ଗିରଫ ହୋଇଥିବା କିଛି ଅଭିଯୁକ୍ତ


ଅଭିଯୁକ୍ତମାନଙ୍କ କହିବା ମୁତାବକ ଚ଼ାଇନାରେ ବୁଲେଟପ୍ରୁଫ୍‌ ଜ୍ୟାକେଟରେ ବଜ୍ରକାପ୍ତାର କାତି ବ୍ୟବହାର କରାଯାଉଛି । କିଲେ ବଜ୍ରକାପ୍ତା ପାଇଁ ଦାମ୍‌ ପାଖାପାଖି ୩ ଲକ୍ଷ ଟଙ୍କା ସ୍ଥିର ହେଉଥିବା ବେଳେ ଗୋଟିଏ ଇଞ୍ଚ୍‌ ବଜ୍ରକାପ୍ତା କାତିର ଦାମ୍‌ ପାଖାପାଖି ତିନି ହଜାର ଟଙ୍କା ସ୍ଥିର କରାଯାଇଥାଏ ବୋଲି ଜଣା ପଡ଼ିଛି ।

‘‘ବଜ୍ରକାପ୍ତା ଚ଼ୋରାଚ଼ାଲାଣ ରାକେଟର ସମ୍ପୂର୍ଣ୍ଣ ପର୍ଦାଫାସ୍‌ କରିବା ସହିତ ଏହାର କିଙ୍ଗପିନ୍‌କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ବଜ୍ରକାପ୍ତା ଏକ ଶାନ୍ତଶିଷ୍ଟ ପ୍ରାଣୀ ହୋଇଥିବାରୁ ଏହାକୁ ଚ଼ାଲାଣ କରିବା ମାଫିଆଙ୍କ ପାଇଁ ସହଜ ହେଉଛି । ଆଗକୁ ବଢ଼ୁଥିବା ତଦନ୍ତରୁ ଆହୁରି ବହୁତ ତଥ୍ୟ ସାମନାକୁ ଆସିବ,’’ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌କୁ କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ସସ୍ମିତା ଲେଙ୍କା ।

ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିବା ପରେ ଓଡିଶାରେ ପହଞ୍ଚିଛି ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍‌ଲ୍ୟୁସିସିବି) ର ଟିମ୍ ଓ ବଜ୍ରକାପ୍ତା ଚ଼ୋରାଚ଼ାଲାଣର ଆନ୍ତର୍ଜାତୀୟ ଲିଙ୍କ୍ ଉପରେ ସଘନ ତଦନ୍ତ ଆରମ୍ଭ କରିଛି । ଆଠଗଡ ଡିଏଫ୍‌ଓ ମଧ୍ଯପ୍ରଦେଶ ଓ ଛତ୍ତିଶଗଡ଼ରୁ ଆସିଥିବା ଏହି ଟିମ୍‌କୁ ସମସ୍ତ ତଥ୍ୟ ଓ ପ୍ରମାଣ ଦେଇସାରିଥିବାର ଜଣା ପଡ଼ିଛି ।

ଜବତ ହୋଇଥିବା ବଜ୍ରକାପ୍ତାର କାତି


ବିଶ୍ୱରେ ସର୍ବାଧିକ ଚ଼ୋରାଚ଼ାଲାଣ ହେଉଥିବା ପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ଅନ୍ୟତମ । ତିନୋଟି ପ୍ରଜାତିର ବଜ୍ରକାପ୍ତା ମଧ୍ୟରୁ ଭାରତରେ ବୃହତ ଆକାରର ବଜ୍ରକାପ୍ତା ମିଳୁଥିବାରୁ ତା’ ଉପରେ ମାଫିଆଙ୍କ ଆଖି ରହିଛି । ତେବେ ଏଭଳି ନିରୀହ ଜୀବର ଚ଼ୋରାଚ଼ାଲାଣ ବର୍ତ୍ତମାନ ଓଡ଼ିଶାରେ ଉଦ୍‌ବେଗଜନକ ହାରରେ ବଢ଼ୁଥିବାରୁ ଏହାକୁ କେମିତି ରୋକାଯାଇପାରିବ, ତାହା ବନ ବିଭାଗ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

ରାଜ୍ୟ ବନ ବିଭାଗର ସୂତ୍ରଙ୍କ ଅନୁସାରେ ଏହି ବିରଳ ବଜ୍ରକାପ୍ତା ଚ଼ୋରାଚ଼ାଲାଣ ରାକେଟ୍‌ର ମାଫିଆମାନେ ଅଧା ଓଡି଼ଶାରେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିସାରିଛନ୍ତି । ‘‘କେବଳ ଆଠଗଡ଼କୁ ଛାଡି଼ ଅନ୍ୟ ଜିଲ୍ଲାଗୁଡିକରେ ଚଢ଼ଉ ହେଉ ନ ଥିବାରୁ ମାଫିଆଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ପାଲଟିଛି ଅନୁଗୁଳ, ନୟାଗଡ ଓ ବୌଦ୍ଧ ଜିଲ୍ଲା,’’ କହିଛନ୍ତି ଜଣେ ଅଧିକାରୀ ।
Published by:Anand Shankar Thankur Das
First published: