ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲକଡାଉନ ଖୋଲିଲେ ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକମାନଙ୍କ ପାଇଁ ପ୍ରସ୍ତୁତ ହେଉଛନ୍ତି ପଞ୍ଚାୟତମାନେ

ଲକଡାଉନ ଖୋଲିଲେ ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକମାନଙ୍କ ପାଇଁ ପ୍ରସ୍ତୁତ ହେଉଛନ୍ତି ପଞ୍ଚାୟତମାନେ

ଭୁବନେଶ୍ୱର ଉପକଣ୍ଠ ଶିଶୁପାଳ ଗଡ଼ ଗ୍ରାମ ପଞ୍ଚାୟତ ପରି ଅନ୍ୟ ଅନେକ ପଞ୍ଚାୟତରେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ସହିତ ୧୪ ଦିନ ପାଇଁ ବିଶେଷ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଲକଡାଉନ ଖୋଲିଲେ ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକମାନଙ୍କ ପାଇଁ ପ୍ରସ୍ତୁତ ହେଉଛନ୍ତି ପଞ୍ଚାୟତମାନେ
ଲକଡାଉନରେ ଭୁବନେଶ୍ୱରର ଏକ ଫାଙ୍କା ରାସ୍ତା
  • News18 Odia
  • Last Updated: April 29, 2020, 6:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକ୍ ଡାଉନର ଅବଧି ସରିବା ପରେ ରାଜ୍ୟକୁ ଫେରିବା ପାଇଁ  ଅପେକ୍ଷା କରିଥିବା ପ୍ରାୟ ପାଞ୍ଚ ଲକ୍ଷ ଓଡ଼ିଆ ଶ୍ରମିକଙ୍କ ପାଇଁ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଖାସ କରି ସେମାନଙ୍କ ଫେରିବା ପରେ ଯେଭଳି ସଂକ୍ରମଣ ନ ବ୍ୟାପେ ସେ ନେଇ ପ୍ରତି ପଞ୍ଚାୟତ ସ୍ତରରେ ଦିଆଯାଇଛି ଗୁରୁତ୍ୱ । ଏ ନେଇ ପଞ୍ଚାୟତ ପ୍ରତିନିଧମାନଙ୍କୁ ମୁଖ୍ୟ ମନ୍ତ୍ରୀ କ୍ଷମତା ପ୍ରଦାନ କରିବା ସହିତ ଦାୟିତ୍ବ ମଧ୍ୟ ଦେଇଥିଲେ ଭିଡିଓ କନଫରେନସିଂ ଜରିଆରେ ।

ଭୁବନେଶ୍ୱର ଉପକଣ୍ଠ ଶିଶୁପାଳ ଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଇତିଶ୍ରୀ ଚମ୍ପତି କହିଛନ୍ତି ଯେ ତାଙ୍କ ପଞ୍ଚାୟତରୁ ପ୍ରାୟ ୨୦ ଜଣ ଲୋକ ରାଜ୍ୟ ବାହାରେ ଅଛନ୍ତି ଯେଉଁମାନେ ଗାଁକୁ ଫେରିବାକୁ ବ୍ୟଗ୍ର । ବିଭିନ୍ନ ରାଜ୍ୟରେ ସେମାନେ ଫସି ରହିଛନ୍ତି ।

‘‘ଆଗରୁ ସେମାନେ ଆମକୁ ଅନୁରୋଧ କରିଥିଲେ, ଯାହାକୁ ମାନିବା ସମ୍ଭବ ନଥିଲା । ନିକଟରେ ଏ ନେଇ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ପଞ୍ଚାୟତରେ ଥିବା ସ୍କୁଲରେ ପ୍ରାୟ ୫୦ ଜଣଙ୍କ ପାଇଁ ବ୍ୟବସ୍ଥା ହୋଇଛି । କୌଣସି କାରଣରୁ ଅଧିକ ଲୋକ ଆସିଗଲେ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି,’’ କହିଛନ୍ତି ଚମ୍ପତି ।

ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ସହିତ ୧୪ ଦିନ ପାଇଁ ବିଶେଷ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସେ କହିଛନ୍ତି । ଏହି ଲୋକମାନଙ୍କର ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ତୁରନ୍ତ ତାହାର ମଧ୍ୟ କରାଯିବ ।

ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତର ଅଧିକାରୀ ବିଜୟ କୁମାର ଦାସ କହିଛନ୍ତି  ଯେ ଗ୍ରାମ ପଞ୍ଚାୟତ ଏବେ ପୂର୍ବ ଅପେକ୍ଷା ଅଧିକ ଚଳଚଞ୍ଚଳ ହୋଇଛି । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ଘନ ଘନ ବୈଠକ ।

‘‘ଲକଡାଉନ ଅବଧି ସରିବା ପରେ ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକମାନେ କିଭଳି ଗାଁକୁ ସୁରୁଖୁରୁରେ ଫେରିବେ ଓ ଫେରିବା ପରେ ସେମାନଙ୍କୁ କିଭଳି ଥଇଥାନ କରାଯିବ, ସେ ନେଇ ଚାଲିଛି ଆଲୋଚନା । ମୁଖ୍ୟ ମନ୍ତ୍ରୀଙ୍କ କନଫରେନସିଂ ନିର୍ଦ୍ଦେଶକୁ ପାଳିବା ପାଇଁ ଆମେ ବିଶେଷ ବ୍ୟବସ୍ଥା କରିଛୁ,’’ ସେ କହିଛନ୍ତି ।

ବାହାରୁ ଫେରିବାକୁ ଥିବା ଲୋକଙ୍କୁ ସ୍ୱାଗତ କରିବା ପାଇଁ ପଞ୍ଚାୟତ ସ୍ତରରେ ସବୁ ପ୍ରସ୍ତୁତି ସରିଥିବା ବେଳେ ଏପଟେ ପଞ୍ଚାଚାୟତର ଗ୍ରାମବାସୀମାନେ ମଧ୍ୟ ନିଜ ଗାଁର ସଦସ୍ୟମାନଙ୍କୁ ହୃଦୟ ଖୋଲି ସ୍ୱାଗତ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତ ବାସିନ୍ଦା କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, ‘‘ଅନ୍ତତଃ ସେହି ଲୋକମାନେ ଯେଭଳି ଉପେକ୍ଷିତ ହେଉଥିବା ଅନୁଭବ ନ କରନ୍ତି ସେ ନେଇ ଆମେ ସଚେତନ ଅଛୁ । କେହି କ୍ବାରେଣ୍ଟାଇନରେ ରହିବାକୁ ଅନାଗ୍ରହୀ ହେଲେ ଆମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବୁ ।’’

ଆଉ ଜଣେ ଶିଶୁପାଳ ଗଡ଼ ଗ୍ରାମ ପଞ୍ଚାୟତ ବାସିନ୍ଦା ସୁଶାନ୍ତ କୁମାର ଚମ୍ପତି କହିଛନ୍ତି ଯେ ନିଜ ଲୋକଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀମାନେ କୁଣ୍ଠିତ ହେବେନାହିଁ । ବିଶେଷ କରି ମୁଖ୍ୟ ମନ୍ତ୍ରୀ ଦେଇଥିବା ଗୁରୁ ଦାୟିତ୍ୱକୁ ଠିକ ଠିକ ପାଳନ କରିବାକୁ ଅଧିକାଂଶ ପଞ୍ଚାୟତ ପ୍ରତିନିଧି  ପ୍ରସ୍ତୁତ ଥିବା କହିଛନ୍ତି ।
First published: April 29, 2020, 6:05 PM IST