ବାତ୍ୟା ନେଇ ଆଗୁଆ ସତର୍କ ପଞ୍ଚାୟତିରାଜ ଗୃହ ଓ ନଗର ଉନ୍ନୟନ ବିଭାଗ। ବର୍ଷାପାଣି ନିଷ୍କାସନ ପାଇଁ ପ୍ରାୟ ୫୦୦ ଜେନ୍ସେଟ୍ ଓ ଡିଜି ସେଟ୍ ଅନ ହୁଇଲ ବାବସ୍ଥା ହୋଇଛି ।
News18 Odia Digital
ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ । ବାତ୍ୟା ପୂର୍ବରୁ ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତ ରହିବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ଆଶ୍ରୟ ସ୍ଥଳୀରେ ଯେପରି ପିଇବା ପାଣିର କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି । ଏଥିପାଇଁ ଆବଶ୍ୟକ ସଂଖ୍ୟକ ସିନ୍ଟେକ୍ସ ଟାଙ୍କି ବ୍ୟବସ୍ଥା କରି ପିଇବା ପାଣି ମହଜୁତ ରଖାଯିବ । ସହରାଞ୍ଚଳରେ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଖାଦ୍ୟ ବ୍ୟବସ୍ଥା କରାଯିବ । ପୌରାଞ୍ଚଳରେ ୨୪ ଘଣ୍ଟିଆ ୟୁନିଫାଏଡ୍ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସହରଞ୍ଚାଳରେ ଯେଉଁଠି ଜଳବନ୍ଦୀ ସମସ୍ୟା ରହିବ ସେହି ସବୁ ସ୍ଥାନକୁ ଚିହ୍ନଟ କରି ବ୍ୟବସ୍ଥା ଗ୍ରହଣ ସହିତ ଆବଶ୍ୟକ ହେଲେ ପାୟାରବ୍ରିଗେଡ୍ ସାହାଯ୍ୟ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
"ରାଜ୍ୟର ୨୦୯ଟି ବ୍ଲକ୍ ଓ ୭୭ ଟି ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ସମସ୍ତ ପୌରାଞ୍ଚଳରେ ଖାଲୁଆ ଅଞ୍ଚଳରୁ ବର୍ଷାପାଣି ନିଷ୍କାସନ ପାଇଁ ପ୍ରାୟ ୫୦୦ଟି ଜେନ୍ସେଟ୍ ଓ ଡିଜି ସେଟ୍ ଅନହ୍ବିଲ ବ୍ୟବସ୍ଥା କରାଯାଇଛି । ଆବଶ୍ୟକସ୍ଥଳେ ଅଧିକ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି । ଜେନେରେଟର ଓ ପାଣି ପମ୍ପ ଆଗୁଆ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ରଖି ଆବଶ୍ୟକ ବେଳେ ତୁରନ୍ତ କାମରେ ଲାଗିପାରିବ,"କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।
ବାତ୍ୟା ଯୋଗୁଁ କୌଣସି ସ୍ଥାନରେ ଯଦି ରାସ୍ତା ଅବରୋଧ ହୁଏ ତାକୁ ତୁରନ୍ତ ସଫା କରାଯିବ। ବର୍ଷାଜଳ ପରିମାଣ ମାପିବା ବା ରେନଗଜଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ପାଇଁ ଆବଶ୍ୟକ ସୁବିଧାସୁଯୋଗ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଓ ବର୍ଷା ପରବର୍ତ୍ତୀ ସମୟରେ ନଳକୂପ ଓ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରିବା, ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଓ ସେମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରାଯିବ ।
ସବୁ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌରନିର୍ବାହୀ ଅଧିକାରୀ ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପିଡ଼ି, ଡିଆର୍ଡିଏ ଓ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ତେବେ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Published by:Soumya Das
First published: