News18 Odia Digital
କଟକ: ରବିବାର ପୂରା ଓଡ଼ିଶାବାସୀ ପାଳନ କରିଥିଲେ ପଖାଳ ଦିବସ। ଏମିତି ତ ପଖାଳ ବର୍ଷ ତମାମ ଓଡ଼ିଶାର ପ୍ରତିଟି ଘରେ ପ୍ରସ୍ତୁତ ହୁଏ ଓ ପରସା ଯାଇଥାଏ। କିନ୍ତୁ ଏହି ପାରମ୍ପରିକ ଖାଦ୍ୟ ପାଇଁ ଗୋଟିଏ ଦିବସ ଉତ୍ସର୍ଗୀକୃତ ହେବା ପରେ ପଖାଳର ଗୁରୁତ୍ୱ ବେଶ୍ ବଢ଼ି ଯାଇଛି। ଖାସ୍ ଏଥି ପାଇଁ ରବିବାର କଟକ ସହରର ଘର ଠୁ ହୋଟେଲ ସବୁ ସ୍ଥାନରେ ପଖାଳକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ଦେଖିବାକୁ ମିଳିଥିଲା।
ନିଜ ପଖାଳ ପାଇଁ ପ୍ରସିଦ୍ଧ ଥିବା କଟକ ବଜ୍ରକବାଟୀ ରୋଡ଼ ସ୍ଥିତ ମିଳାମିଶା ହୋଟେଲ ପଖାଳକୁ ଅଧିକ ସୁଆଦିଆ କରିବା ପାଇଁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା। ଦହି ପଖାଳ ସହିତ ମୋଟ ୨୦ଟି ବ୍ୟଞ୍ଜନ ଏଠାରେ ପରସା ଯାଉଥିଲା। ଯେଉଁଥିରେ ଶାଗଭଜା, ବଢ଼ିଚୁରା, ବାଇଗଣ ଆଳୁ ଭରତା, କଖାରୁ ପୁଲ ବରା ଭଳି ୧୨ ପ୍ରକାରର ନିରାମିଷ ବ୍ୟଞ୍ଜନ ପରଷା ଯାଇଥିବାବେଳେ ଆମିଷ ପ୍ରିୟ ଲୋକଙ୍କ ପାଇଁ ପେହଳା ମାଛ ଭଜା, ମସଲା ମାଛ, ଚିଙ୍ଗୁଡି କଷା, ଚିକେନ କଷା ଓ ମଟନ କଷା ଭଳି ୮ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଥିଲା।

କଟକର ଅନେକ ହୋଟେଲରେ ଦେଖିବାକୁ ମିଳୁଛି ପଖାଳ ଟ୍ରେଣ୍ଡ
ପଖାଳ ଦିବସ ଅବସରରେ ମିଳାମିଶା ହୋଟେଲର ମାଲିକ ମିଟନ ସ୍ବାଇଁ କହିଥିଲେ, "ଆମ ହୋଟେଲରେ ଏମିତି ତ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ। କିନ୍ତୁ ଖରା ଦିନେ ଲୋକେ ଆମ ହୋଟେଲରେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଆଇଟମ ସହିତ ଆମେ ପଖାଳରେ ଦହି, କଞ୍ଚାଲଙ୍କା, ଭୃଷଙ୍ଗ ପତ୍ର, ଆମ୍ବକଶିଆ ଅଦା ଇତ୍ୟାଦି ସାମଗ୍ରୀ ପକାଇଥାଉ। ଯାହାକି ପଖାଳକୁ ଅଧିକ ସ୍ବାଦିଷ୍ଟ କରିଥାଏ। ଏଥିପାଇଁ କି ହିଁ ପଖାଳ ଖାଇବା ପାଇଁ ଆମ ହୋଟେଲକୁ ଅଧକ ଲୋକ ଆସିଥାନ୍ତି।’’
କେବଳ ଏହି ଗୋଟିଏ ହୋଟେଲ ନୁହେଁ କଟକ ସହରରେ ଥିବା ଅଧିକାଶଂ ହୋଟେଲ ଓ ରେଷ୍ଟୁରାଣ୍ଟର ମେନ ମେନ୍ୟୁରେ ଏବେ ପଖାଳ ହିଁ ଟ୍ରେଣ୍ଟ କରୁଛି। ବୟସ ଓ ବର୍ଗ ନିର୍ବିଶେଷରେ ସମସ୍ତେ ହୋଟେଲ ଓ ରେଷ୍ଟୁରାଣ୍ଟରେ ପଖାଳର ମଜା ମଧ୍ୟ ଉଠାଇଉନ୍ତି। ଭିନ୍ନ ଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ପଖାଳ ପାଇଁ ଭିନ୍ନ ଭିନ୍ନ ରେଟ ଚାଟ ପ୍ରସ୍ତୁତ କରାଯାଇଛି। ସାଧାରଣ ହୋଟେଲ ଗୁଡ଼ିକରେ ପଖାଳର ଗୋଟିଏ କଂସାର ଦାମ ୯୦ଟା ଟଙ୍କା ରୁ ଆରମ୍ଭ ହୋଇ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଏହାର ୭୦୦ ଟଙ୍କା କିମ୍ବା ତା' ଠାରୁ ଉର୍ଦ୍ଧ୍ବ ମଧ୍ୟ ରହିଛି।
"ପଖାଳ ଏମିତି ଏକ ଖାଦ୍ୟ ଯାହାକି ଆମ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ରହିଛି। ଓଡ଼ିଶାର ଏମିତି କୌଣସି ଘର ନଥିବ ଯେଉଁ ଠାରେ କି ପଖାଳ ପ୍ରସ୍ତୁତ ହେଉନଥିବ ଆଉ ଖିଆଯାଉନଥିବ । ମୁଁ ପଖାଳର ଜଣେ ବଡ଼ ପ୍ରଶଂସକ। ପଖାଳ ପାଇଁ ଗୋଟିଏ ଦିନ ବା ଦିବସ ଧାର୍ଯ୍ୟ ହେବା ଦରକାର ଥିଲା," କହିଛନ୍ତି କଟକ ବାସିନ୍ଦା ସର୍ବେଶ୍ବର ପୃଷ୍ଟି।
ପଖାଳର ଉତ୍ପତି କେବେ ହେଲା ତାହା ସେ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ମଧ୍ୟ ପଖାଳ ଯେ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ତାହା ସତ୍ୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।