ଦିନେ ଶିଶୁ ଶ୍ରମିକ ଥିଲେ, ପଥର ବାଡ଼ଉଥିଲେ; ଆଜି ୧,୦୦୦ ବେସହାରା ପିଲାଙ୍କ ସାହା ତୁଳସୀ ଅପା

ସାତ ବର୍ଷ ବୟସରୁ ଖଣିରେ ଶ୍ରମିକ ଭାବେ କାମ କରୁଥିବା ତୁଳସୀ ମୁଣ୍ଡା କେବେ ସ୍କୁଲର ମାଟି ମାଡି଼ ନ ଥିଲେ, ହେଲେ ସେ ରାତିରେ ଶିକ୍ଷା ଗ୍ରହଣ କରୁଥିଲେ । ବେସହାରା ପିଲାଙ୍କ ଶିକ୍ଷା ଦିଗରେ ତାଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି ।

ଦିନେ ଶିଶୁ ଶ୍ରମିକ ଥିଲେ, ପଥର ବାଡ଼ଉଥିଲେ; ଆଜି ୧,୦୦୦ ବେସହାରା ପିଲାଙ୍କ ସାହା ତୁଳସୀ ଅପା
ପିଲାମାନଙ୍କ ସହ ପଦ୍ମଶ୍ରୀ ତୁଳସୀ ମୁଣ୍ଡା
  • News18 Odia
  • Last Updated: March 7, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେନ୍ଦୁଝର: ପିଲାଟି ଦିନରୁ ସେ ବାପାଙ୍କୁ ହରାଇଥିଲେ । ଅଭାବ ଅନଟନ ତାଙ୍କୁ ମାତ୍ର ସାତ ବର୍ଷ ବୟସରୁ ଶିଶୁ ଶ୍ରମିକ ସଜାଇ ଦେଇଥିଲା । ବିଦ୍ୟାଳୟର ମାଟି ମାଡି଼ବା ଯାହାଙ୍କ ପାଇଁ ଥିଲା ସ୍ବପ୍ନ, ନିଜେ ବିବାହ ନ କରି ମଧ୍ୟ ମା’ର ଅସରନ୍ତି ମମତା ସେ ଅଜାଡି଼ ଦେଉଛନ୍ତି କୁନି କୁନି ପିଲାଙ୍କ ଉପରେ । ଏକ ହଜାରରୁ ଅଧିକ ଆଦିବାସୀ ଓ ବେସହାରା ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ସୃଷ୍ଟି କରିଛନ୍ତି ଏକ ଅତୁଲ୍ୟ ଉଦାହରଣ ଓ ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ । ଖଣି ଅଞ୍ଚଳର ମହିଳାମାନଙ୍କ ସଶକ୍ତିକରଣ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ତୁଳସୀ ମୁଣ୍ଡାଙ୍କର ଜୀବନରେ ଯେତିକି ସଙ୍ଘର୍ଷ ଥିଲା ସେତିକି ଓ ସଫଳତା ବି ଆସିଛି ।

କେନ୍ଦୁଝର ଜିଲ୍ଲା ବଡବିଲ ନିକଟରେ ଥିବା ସେରେଣ୍ଡା ଆଦିବାସୀ ବିକାଶ ସମିତି ଓ ଅନ୍ୟ କେତେକ ସ୍ଥାନରେ ଥିବା ପିଲାମାନଙ୍କର ସୁଖଦୁଃଖର ସାଥୀ ତୁଳସୀ ମୁଣ୍ଡା । ସେମାନଙ୍କ ପାଠ ପଢି଼ବା ଠାରୁ ଆରମ୍ଭ କରି ରହିବା ଓ ଖାଇବା ଯାଏ ସବୁ କଥା ବୁଝିଥାନ୍ତି ‘‘ତୁଳସୀ ଅପା’’ ନାଁରେ ଖ୍ୟାତ ଏହି ମହିଳା । ସେରେଣ୍ଡା ପରି ରୋଇଡା, ଦଲକୀ ଓ ସୋୟାବାଲି ପରି ନଅଟି ସ୍ଥାନରେ ୧ ହଜାରୁ ଅଧିକ ପିଲାଙ୍କୁ ସେ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଦାରିଦ୍ର୍ୟ ଯୋଗୁଁ ପାଠ ପଢ଼ିବାକୁ ଅକ୍ଷମ ଏହି ପିଲାମାନେ ତୁଳସୀ ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

‘‘ଆଦିବାସୀ ସମାଜରେ ଯେଭଳି ଗାଈ ଜଗିବାକୁ ପଡେ, ଛେଳି ଚରାଇବାକୁ ପଡେ, ଭାର ବୋହିବାକୁ ପଡ଼େ, ଗଛ କାଟିବାକୁ ପଡ଼େ, ସେହି ସବୁ କାମ ମୁଁ କରୁଥିଲି । ସାତ ଭାଇ ଭଉଣୀରେ ମୁଁ ଥିଲି ସବୁଠୁ ସାନ । ହେଲେ ପିଲା ବେଳୁ ମୁଁ ଶିଶୁ ଶ୍ରମିକ ଭାବେ କାମ କରିଥିଲି । ଗାଁରେ ସ୍କୁଲ୍ ନ ଥିବାରୁ ପାଠ ପଢି ପାରି ନ ଥିଲି । ସକାଳେ କାମ ସାରି ରାତିରେ ମୁଁ ପାଠ ପଢେ । ଖଣି ଅଞ୍ଚଳରେ ନାରୀମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୋଧରେ ମୁଁ ସ୍ବର ଉତ୍ତୋଳନ କରୁଥିଲି । ଯାହା କିଛି କରିଛି, ଆଗକୁ ଆହୁରି କରିବାକୁ ବାକି ଅଛି’’ କହିଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ।

ପଦ୍ମଶ୍ରୀ ତୁଳସୀ ମୁଣ୍ଡା


ତାଙ୍କ ବିଦ୍ୟାଳୟରେ ରହି ପାଠ ପଢ଼ୁଥିବା ଶ୍ରମିକ ବାପା-ମା’ଙ୍କ ଝିଅ ନମ୍ରତା ମୁଣ୍ଡା କହିଛନ୍ତି ଯେ ତୁଳସୀ ମୁଣ୍ଡା ନ ଥିଲେ ସେ ପାଠ ପଢ଼ି ପାରି ନ ଥାନ୍ତେ । ‘‘ମୁଁ ପିଲାଟି ବେଳୁ ଏହି ଆଦିବାସୀ ବିକାଶ ସମିତି ସ୍କୁଲରେ ପାଠ ପଢୁଛି । ତୁଳସୀ ଅପା ଆମକୁ ଭଲ ପାଠ ପଢି଼ ଜୀବନରେ ଭଲ ମଣିଷ ହେବାକୁ ପ୍ରେରଣା ଦେଉଛନ୍ତି । ତାଙ୍କ ବିନା ଆମେ ପାଠ ପଢ଼ି ପାରୁ ନ ଥାନ୍ତୁ । ଆମେ ବି ବାଳ ଶ୍ରମିକ ହୋଇ କେଉଁଠି କାମ କରୁଥାନ୍ତୁ । ତାଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ ହୋଇ ଆଗକୁ ବଢୁଛୁ,’’ କହିଛନ୍ତି ଛାତ୍ରୀ ନମ୍ରତା ମୁଣ୍ଡା ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂହ ରାଜପୁତ ମାମଲା: NCB ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ଦାଖଲ କଲା; ରିୟା ମୁଖ୍ୟ ଅଭିଯୁକ୍ତ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ କଇଁସି ଗାଁରେ ୧୯୪୭ ମସିହାରେ ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ତୁଳସୀ ମୁଣ୍ଡା ହେତୁ ପାଇବା ପୂର୍ବରୁ ବାପାଙ୍କୁ ହରାଇଥିଲେ । କେବେ ବିଦ୍ୟାଳୟର ମାଟି ମାଡି଼ ପାରି ନ ଥିଲେ ତୁଳସୀ । ଅଭାବ ଅନଟନ ଯୋଗୁଁ ମାତ୍ର ସାତ ବର୍ଷ ବୟସରୁ ଘର ଛାଡି଼ ଶିଶୁ ଶ୍ରମିକ ଭାବେ କାମ କରିବା ଆରମ୍ଭ କରିଥିଲେ । ହେଲେ ପାଠ ପଢି଼ବାର ଅଦମ୍ୟ ଇଚ୍ଛା ଆଗରେ ହାର୍ ମାନିଥିଲା ତାଙ୍କ ଦାରିଦ୍ର୍ୟ । ଦିନରେ ଖଣିରେ କାମ କରି ରାତିରେ ଅନ୍ୟମାନଙ୍କଠାରୁ ସେ ଶିକ୍ଷା ଗ୍ରହଣ କରୁଥିଲେ ।

ତୁଳସୀ ମୁଣ୍ଡାଙ୍କୁ ଅନେକ ପୁରସ୍କାର ମିଳିଛି ।


ସନ୍ଥ ବିନୋବାଙ୍କର ଭୂଦାନ ଓ ଗ୍ରାମଦାନ ଯଜ୍ଞରେ ନିଜକୁ ସାମିଲ କରିବା ପରେ ୧୯୬୪ ମସିହାରେ ସେରେଣ୍ଡାଠାରେ ଆଦିବାସୀ ବିକାଶ ସମିତି ନାମରେ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ ତୁଳସୀ ଅପା । ୨୦୦୧ ମସିହାରେ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ । ନିଜେ ପାଠ ପଢିବାରୁ ବଞ୍ଚିତ ହୋଇଥିବା ତୁଳସୀ ସମାଜରେ ଅନ୍ୟ କେହି ଯେପରି ଅପାଠୁଆ ନ ରହନ୍ତୁ ସେ ଦିଗରେ ଚେଷ୍ଟା ଜାରି ରଖିଛନ୍ତି । ଏଥି ସହ ଖଣି ଅଞ୍ଚଳର ମହିଳାମାନଙ୍କ ସଶକ୍ତିକରଣ ଦିଗରେ ବି ଉଦ୍ୟମ ଜାରି ରଖିଛନ୍ତି ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

‘‘ତୁଳସୀ ଅପାଙ୍କୁ ମୁଁ ବହୁ ଦିନରୁ ଜାଣିଛି । ସେ ଜଣେ ଶିଶୁ ଶ୍ରମିକ ଭାବେ କାମ କରି, ପଥର ବାଡ଼େଇ ସମାଜର ଉନ୍ନତି କଥା ଚିନ୍ତା କରୁଥିଲେ । ନିଜେ ସ୍କୁଲ ବାରଣ୍ଡା ମାଡି଼ ନ ଥିବା ତୁଳସୀ ଅପାଙ୍କୁ ବିଭିନ୍ନ ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ସେ ବହୁ ପିଲାଙ୍କୁ ପାଠ ପଢ଼ାଇ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିଛନ୍ତି । ସେ ସମଗ୍ର ନାରୀ ଜାତି ପାଇଁ ଏକ ଜ୍ବଳନ୍ତ ଉଦାହରଣ,’’ କହିଛନ୍ତି ଆଦିବାସୀ ବିକାଶ ସମିତିର ସଭାନେତ୍ରୀ ଦମୟନ୍ତୀ ସାମଲ ।



ସେଠାରେ ଗତ ୧୬ ବର୍ଷ ଧରି କାମ କରୁଥିବା ଦମୟନ୍ତୀ ମହାନ୍ତ କହିଛନ୍ତି ଯେ ତୁଳସୀ ଅପାଙ୍କୁ ନିକଟରୁ ଜାଣିଥିବା ପ୍ରତ୍ୟେକ ମହିଳା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଏ । ‘‘ସେ ସବୁବେଳେ ମହିଳାମାନଙ୍କୁ ସଚେତନ କରିଥାନ୍ତି । ମହିଳାମାନେ ସମାଜରେ ନିଜେ ସୁରକ୍ଷିତ ରହିବା ସହିତ ନିଜ କାମ କରି ଗର୍ବର ସହିତ ଭବିଷ୍ୟତ ଗଢି଼ବାକୁ ତାଙ୍କ ନେତୃତ୍ୱରେ ଆମ ସଙ୍ଗଠନ ସବୁ ମହିଳାଙ୍କୁ ସଚେତନ କରାଉଛି,’’ କହିଛନ୍ତି ମହାନ୍ତ ।
Published by: Anand Shankar Thankur Das
First published: March 7, 2021, 11:56 PM IST