ପ୍ରତିଶ୍ରୁତି ରଖିଲେ ନବୀନ; ୨୦୨୩ରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର

ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ। ଆପଣଙ୍କ ସ୍ୱପ୍ନ ପୂରା ହେବ। ୨୦୨୩ରେ ପଦ୍ମପୁର ଜିଲ୍ଲା ହେବ: ମୁଖ୍ଯମନ୍ତ୍ରୀ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା

ପଦ୍ମପୁରକୁ ଜିଲ୍ଲା ମାନ୍ୟତା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ଦାବି ବେଶ ଜୋର ଧରିଥିଲା। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଆଲୋଚନା ହୋଇଥିଲା। ଏପରିକି ନିର୍ବାଚନ ଇସ୍ତାହାରରେ ଏନେଇ ଘୋଷଣା ହେବ ବୋଲି ଶୁଣାଯାଇଥିଲା। ଆଜି ପଦ୍ମପୁରରେ ୨୦୨୩ରେ ଜିଲ୍ଲା ମାନ୍ୟତା ପାଇବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଜୟ ପ୍ରଭୁ ନୃସିଂହ ନାଥ। ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇ ନିଜର ନିର୍ବାଚନୀ ଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଦ୍ମପୁର ଅଞ୍ଚଳବାସୀଙ୍କୁ ପ୍ରଣାମ ଜଣାଇ ଆରମ୍ଭ କରିଥିଲେ ନିଜ ଭାଷଣ। ଚାଷୀ, ମା, କେନ୍ଦୁପତ୍ର ତୋଳାଳୀ, ଜନଜାତିମାନଙ୍କ ଉପସ୍ଥିତ ଯୋଗୁଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ସବୁ ସମୟରେ ଆପଣଙ୍କ ସୁଖ ଦୁଃଖର ସାମିଲ ହୋଇଛି ବୋଲି କହିଥିଲେ ନବୀନ। ଚାଷୀଙ୍କ ପାଇଁ ରାଜ୍ୟ ସରକାର ୨୦୦କୋଟି ଟଙ୍କା ଇନପୁଟ ସବସିଡି ଯୋଗାଇ ଦିଆଯାଇଛି। କେନ୍ଦ୍ର ନିକଟରେ କେନ୍ଦୁପତ୍ର ତୋଳାଳୀ ମାନଙ୍କ ହକ ପାଇଁ ମୁଁ କାମ କରୁଛି।ଚାଷୀଙ୍କ କଲ୍ୟାଣ ପାଇଁ ଦଳ କାମ କରୁଛି। ମାଙ୍କୁ ସଶକ୍ତିକରଣ ପାଇଁ ଓଡିଶା ସବୁଠୁ ଭଲ କାମ କରିଛି। ସେମାନଙ୍କୁ ଉଦ୍ୟୋଗୀ କରିବା ଆମ ଲକ୍ଷ୍ୟ। ଜନଜାତିଙ୍କ କଲ୍ୟାଣ ପାଇଁ ଆମେ ଚେଷ୍ଟା କରୁଛୁ। କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଆପଣଙ୍କ ସ୍ୱପ୍ନ ପୂରା ହେବ। ଆପଣଙ୍କ ଦାବି ଥିଲା ପଦ୍ମପୁର ଜିଲ୍ଲା ମାନ୍ୟତା। ୨୦୨୩ରେ ଏହି ସ୍ୱପ୍ନ ପୂରଣ ହେବ। ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ମୋର ଅନୁରୋଧ।

ଗତକାଲି ମଧ୍ୟ ବିଧାନସଭାରେ ନୂଆ ନୂଆ ଜିଲ୍ଲା ଗଠନ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ ବୋଲି ଆଲଚନା ହୋଇଥିଲା। ୧୯୯୨-୯୩ ମସିହାରେ ବିଧିବଦ୍ଧ ଭାବେ ଆସିଥିବା ପ୍ରସ୍ତାବକୁ ବିଚାରକୁ ନେଇ ୧୭ଟି ନୂଆ ଜିଲ୍ଲା ଗଠନ କରାଯାଇଥିଲା। ବିଜେଡ଼ି ବିଧାୟକ ରାଜକିଶୋର ଦାସଙ୍କ ଅଣ ତାରକା ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ। ଏହା ପରେ ଜିଲ୍ଲା ମାନ୍ୟତା ଦାବି ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲା।

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଦାବିରେ ଅଡି ବସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ କମିଟିର ଏକ ପ୍ରତିନିଧି ଦଳ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲା ମାନ୍ୟତା ଦାବି କରିଥିଲା ଏହି ଟିମ୍। ପ୍ରାୟ ୪୫ ମିନିଟ ଧରି ହୋଇଥିବା ଆଲୋଚନା ସଫଳ ହୋଇଥିବା ମଧ୍ୟ କହିଥିଲା କ୍ରିୟାନୁଷ୍ଠାନ କମିଟି।
Published by:Soumya Das
First published: