ପଦ୍ମପୁର ଉପନିର୍ବାଚନ ପାଇଁ ନିଜ ନିଜର ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ ୩ ପ୍ରମୁଖ ଦଳ

ଧାମନଗର ପରେ ଏବେ ସମସ୍ତଙ୍କ ନଜର ପଦ୍ମପୁର ଉପନିର୍ବାଚନ ଉପରେ। ସେପଟେ ପ୍ରସ୍ତୁତି ଆରମ୍ଭ କରିଦେଲି ତିନି ପ୍ରମୁଖ ଦଳ।

ପଦ୍ମପୁର ଉପନିର୍ବାଚନ ପ୍ରସ୍ତୁତି

ପଦ୍ମପୁର ଉପନିର୍ବାଚନ ପ୍ରସ୍ତୁତି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଜମୁଛି ପ୍ରସ୍ତୁତି। ଡିସେମ୍ବର ୫ ତାରିଖରେ ନିର୍ବାଚନ। ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ୧୭ ତାରିଖ ନାମାଙ୍କନର ଶେଷ ତାରିଖ ଥିବା ବେଳେ ଚାଲିଛି ପ୍ରାର୍ଥୀ ଖୋଜା ପ୍ରକ୍ରିୟା।

କିଏ କାହାକୁ ପ୍ରାର୍ଥୀ କରି ମଇଦାନକୁ ଓହ୍ଲାଇବେ ତାକୁ ନେଇ ଅଙ୍କକଷା ଚାଲିଛି। ଏହାରି ଭିତରେ ନେତାଙ୍କୁ ଦାୟିତ୍ବ ଦେଇ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଜେଡି ଓ ବିଜେପି। ଠିକ୍ ବିଜେପୁର ଉପନିର୍ବାଚନ ଷ୍ଟାଇଲରେ ନିର୍ବାଚନ ଲଢ଼ିବ ବିଜେଡି। ଏଥର କିନ୍ତୁ ସ୍ଥାନୀୟ ପଶ୍ଚିମ ଓଡ଼ିଶା ନେତା ଓ ବରିଷ୍ଠଙ୍କ ଉପରେ ଭରସା କରିଛି ବିଜେଡି।

ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଇଛି ବିଜେଡି। ଉଭୟଙ୍କ ସାଙ୍ଗଠନିକ ଦକ୍ଷତା ବେଶ୍ ଥିବାରୁ ପ୍ରମୁଖ ଦାୟିତ୍ବ ଦେଇଛି ଦଳ। ପଶ୍ଚିମ ଓଡ଼ିଶାର ଏହି ଦୁଇ ଟାଣୁଆ ନେତାଙ୍କୁ ପ୍ରମୁଖ ଦାୟିତ୍ବ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ନେତାଙ୍କୁ ବ୍ଲକ ଓ ଜୋନ ୱାରି ଦାୟିତ୍ବ ବାଣ୍ଟିଛି ଶାସକ ଦଳ।

ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ। ସମସ୍ତେ ବେଶ୍ ଅଭିଜ୍ଞ ଓ ସଙ୍ଗଠକ ମଧ୍ୟ। ପଦ୍ମପୁର ବ୍ଳକ ପାଇଁ ପଶ୍ଚିମ ଓଡ଼ିଶା ନେତା ତଥାମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ ବ୍ଲକ ପାଇଁ ମନ୍ତ୍ରୀ ନବ ଦାସ୍ ଓ ଝାରବନ୍ଧ ବ୍ଲକ ପାଇଁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଇଛି ଦଳ। ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂ ଦେଓ, ନିରଞ୍ଜନ ବିଶି, ରୋହିତ ପୂଜାରୀଙ୍କ ପରି ପ୍ରମୁଖ ନେତା ରହିବେ ବିଭିନ୍ନ ଜୋନ ଦାୟିତ୍ବରେ।

ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶା ନେତାଙ୍କୁ ପ୍ରମୁଖ ଦାୟିତ୍ବ ମିଳିଥିବା ବେଳେ ଆଗକୁ ଅନ୍ୟ ନେତାଙ୍କୁ ବି ମଇଦାନକୁ ପଠାଇବ ଦଳ।

ଧାମନଗର ପରାଜୟ ପରେ ପଦ୍ମପୁର ଉପରେ ଫୋକସ କରିଛି ବିଜେଡି। ଏହି ଆସନ ନିଜ ଆକ୍ତିଆରରେ ଥିବାରୁ ପୁନର୍ବାର ବାଜିମାତ କରି ବିଜୟ ଧାରାକୁ ଫେରିବାକୁ ଯୋଜନା କରିଛି ଶାସକ ଦଳ। ତେବେ କାହାକୁ ଚେହେରା କରି ଦଳ ମଇଦାନକୁ ଓହ୍ଲାଇବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସଦାବେଳେ ଦିବଂଗତ ସଦସ୍ୟଙ୍କ ପରିବାରକୁ ପ୍ରାଥମିକତା ମିଳିଥିବା ବେଳେ ଚଳିତ ଥର ବି ପରିବାର ସଦସ୍ୟ ଟିକେଟ ନେଇ ଆଶା ବାନ୍ଧିଛନ୍ତି।

ସବୁ କିଛି ନିଷ୍ପତ୍ତି ସୁପ୍ରିମୋଙ୍କ ଉପରେ ଛାଡ଼ିଛନ୍ତି ଦଳୀୟ ନେତା। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ପଦ୍ମପୁରରେ ଦଳର ବେଶ୍ ଭଲ ସ୍ଥିତି ରହିଛି। ଧାମନଗର ସ୍ଥିତି ଏଠାରେ ନାହିଁ। ରାଜନୀତିକ କାର୍ଯ୍ୟକ୍ରମ ସହ ସାମାଜିକ କାର୍ଯ୍ୟକ୍ରମ ଦଳ ଜାରି ରଖିଛି। ଲୋକଙ୍କ ସମସ୍ୟାକୁ ସଦାବେଳେ ଗୁରୁତର ସହ ନେଇ କାମ କରାଯାଉଛି। ତେବେ କିଏ ପାର୍ଥୀ ହେବ ସେ ନେଇ ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ। କିନ୍ତୁ ବିଜେଡି ଏଠାରେ ନିଶ୍ଚୟ ଜିତିବ।

ସେପଟେ ଧାମନଗର ଉପନିର୍ବାଚନ ଫଳାଫଳ ପରେ ଉତ୍ସାହିତ ଅଛି ବିଜେପି କ୍ୟାମ୍ପ। ସମାନ ତରିକାରେ ପଦ୍ମପୁର ପାଇଁ ଦଳ ରଣନୀତି କରିଛି। ପଶ୍ଚିମ ଓଡ଼ିଶାର ଟାଣୁଆ ତଥା ବରିଷ୍ଠ ନେତା ନେତା ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଲଢ଼ିବ ବିଜେପି।

ମଇଦାନକୁ ଓହ୍ଲାଇବା ପୂର୍ବରୁ ଦଳକୁ ଅଧିକ ଶକ୍ତି ଦେବାକୁ ସପ୍ତାହକ ମଧ୍ୟରେ ଓଡ଼ିଶା ଆସୁଛନ୍ତି ରଣନିତିକାର ସୁନିଲ ବଂଶଲ। ପୂର୍ବତନ ବିଧାୟକଙ୍କୁ ଭରସା କରି ଦଳ ମଇଦାନକୁ ଓହ୍ଲାଇବା ଚର୍ଚ୍ଚା ହେଉଥିବା ବେଳେ ପ୍ରାର୍ଥୀ ଚୟନ ନେଇ ଗଠିତ ହୋଇଛି କମିଟି। ପଦ୍ମପରରେ ସାଙ୍ଗଠନିକ ସ୍ଥିତି ଭଲ ଥିବାରୁ ଧାମନଗର ରେଜଲ୍ଟ ରିପିଟ ନେଇ ଆଶାବାଦୀ ଦଳୀୟ ନେତୃତ୍ବ।

ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବିଜେଡି ସରକାର ପ୍ରତି ଲୋକ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ଧାମନଗରରେ ଏହା ପ୍ରତିଫଳିତ ହୋଇଛି। ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ବି ଲୋକେ ବିଜେପି ପ୍ରାର୍ଥୀଙ୍କୁ ବାଛି ଜବାବ ଦେଇଛନ୍ତି। ଆଗକୁ ବି ପଦ୍ମପୁର ନିର୍ବାଚନରେ ଲୋକେ ବିଜେଡିକୁ ଜବାବ ଦେବେ।
ସେହିପରି ପିସିସି ସଭାପତିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ କଂଗ୍ରେସ। ପ୍ରାର୍ଥୀ ଚୟାନ ନେଇ କମିଟି ଗଠନ ହୋଇଥିବା ବେଳେ ବିଚାର ବିମର୍ଶ କରି ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନା ସୁପାରିଶ କରିବ କମିଟି।

ପଦ୍ମପୁରରେ କଂଗ୍ରେସର ପକେଟ ଭୋଟ ଥିବାରୁ ଭଲ ଫଳାଫଳ ନେଇ ଦଳ ଆଶାବାଦୀ। ପଦ୍ମପୁରରୁ ପାଞ୍ଚ ପାଞ୍ଚ ଥରର ବିଧାୟକ ଥିଲେ ବିଜୟ ରଞ୍ଜନ ସିଂ ବରିହା। ୨୦୧୪ ରେ ବିଜୟ ରଞ୍ଜନ ସି ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କ ଠୁ ପରାସ୍ତ ହୋଇଥିବା ବେଳେ ୨୦୧୯ରେ ବ୍ୟାକ କରିଥିଲେ ବିଜୟ ରଞ୍ଜନ ସି ବରିହା।

କଂଗ୍ରେସ ବି ବିଜୟ ଭୋଟ ପ୍ରତିଶତ ବଜାୟ ରଖିଛି। ତେବେ ପଞ୍ଚାୟତ ନିର୍ବାଚନରେ ବିଜେପି ଓ ବିଜେଡ଼ି ୪ଟି ଲେଖାଏ ସିଟ ରଖିବାରେ ସଫଳ ହୋଇଥିବା ବେଳେ ଏନଏସିରେ ୧୧ ଟିରୁ ବିଜେଡି ୮ଟି ଓ ବିଜେପି ୩ଟି ସିଟ୍ ରଖିବାରେ ସଫଳ ହୋଇଛି। ଏଭଳି ସ୍ଥିତିରେ ଉପନିର୍ବାଚନ ବେଶ୍ ରୋଚକ ହେବ ବୋଲି ଆଶା କରାଯାଉଛି।
Published by:Lipina Das
First published: