News18 Odia Digital
ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବିଜେଡି ନିଶ୍ଚିତ ଭାବରେ ବିରୋଧୀଙ୍କୁ ମାତ ଦେବାରେ ସଫଳ ହେବ। ବର୍ତ୍ତମାନ ସମୟରେ ବିଜେଡି ବିଜେପି ଓ କଂଗ୍ରେସ ଠାରୁ ଆଗରେ ରହିଛି। ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ପଦ୍ମପୁରବାସୀଙ୍କର ବିପୁଳ ଜନ ସମର୍ଥନ ମିଳୁଛି। ଯଦି ନବୀନ ବାବୁ ପ୍ରଚାର ମଇଦାନକୁ ଓହ୍ଲାଇବେ ତେବେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ଆହୁରି ଅଧିକ ଭୋଟରେ ବିଜୟୀ ହେବେ ବୋଲି ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଜେନା କହିଛନ୍ତି।
ବିଜେଡି ଆଜି ପଦ୍ମପୁର ବ୍ଲକ ମେଲଛାମୁଣ୍ଡା, ତାଲ ଇ ସର୍ଗିବାହାଲ ପଞ୍ଚାୟରେ ହାଇଭଲଟେଜ ପ୍ରଚାର କରିଛି। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଆଜି ବିଶେଷ କରି ଡୋର ଟୁ ଡୋର କ୍ୟାମ୍ପନ କରିଛନ୍ତି। ମେଲଛାମୁଣ୍ଡା ପଞ୍ଚାୟରେ ଘର ଘର ବୁଲି ପ୍ରଚାର କରିଥିଲେ। ପରେ ତାଲ ପଞ୍ଚାୟତରେ ବାଇକ ରାଲି କରି ଦଲୀୟ ସହ ତାଙ୍କୁ ଭୋଟ ଦେବା ପାଇଁ ନିଵେଦନ କରିଥିଲେ। ଏହି ଅବସରରେ ବର୍ଷାଙ୍କ ସହ ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଜେନା ଏବଂ ଦେବେଶ ଆଚାର୍ଯ୍ୟ ବର୍ଷାଙ୍କ ସହ ପ୍ରଚାର କରିଥିଲେ।
ଅନ୍ୟପଟେ ପଦ୍ମପୁର ଉପ ନିର୍ବାଚନରେ ବିଜେପି ହିଂସା କରୁଛି। ବିଜେପି ହାରିବା ଭୟରେ ବିଜେଡି କର୍ମୀ ଉପରଙ୍କୁ ଆକ୍ରମଣ କରୁଛି। ବୁଧବାର ରାତି ପଦ୍ମପୁର ବ୍ଲକ ଦହିଆ ପଞ୍ଚାୟତ ବୁଗୁଡା ଗାଁରେ ବିଜେଡି କର୍ମୀ ସଂଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ। ସଞ୍ଜୁଙ୍କର ମୁଣ୍ଡ ଫାଟି ଗଭୀର ଆଘାତ ଲାଗିଛି। ଗୁରୁତର ବାବେ ସେ ବର୍ତ୍ତମାନ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ପଦ୍ମପୁରରେ ବିଜେପି ହାରିବା ସୁନିଶ୍ଚିତ। ସେହି ଭୟରେ ବିଜେପି କର୍ମୀ ଏଭଳି କାଣ୍ଡ ଭିଆଉଛନ୍ତି। ଏହାର ଜବାବ ଆସାନ୍ତା ୫ ତାରିଖରେ ପଦ୍ମପୁରବାସୀ ବିଜେପିକୁ ଦେବେ ବୋଲି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି।
ସେପଟେ ବିଜେଡିର ଅଭିଯୋଗ ଉପରେ ଜବାବ ଦେଇଛି ବିଜେପି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଏହି ପ୍ରସଙ୍ଗରେ ବିଜେଡି ଉପରେ ପାଲଟା ଆକ୍ରମଣ କରିଛନ୍ତି। ବିଜେପି ହିଂସା କାଣ୍ଡ ଘଟାଉ ନାହିଁ। ବରଂ ପଦ୍ମପୁର ଉପନିର୍ବାଚନ ବିଜେଡି ହିଂସା ଆଚରଣ କରୁଛି। ତାର ବଡ଼ ଉଦାହରଣ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଉଦ୍ୟମ। ପୂର୍ବରୁ ମଧ୍ୟ ହିଂସା ଆଚରଣର ରେକର୍ଡ ବିଜେଡି ନାଁ ରହିଛି। ବିଜେଡି ଜାଣି ସାରିଛି। ପଦ୍ମପୁରରେ ତାଙ୍କ ପ୍ରାର୍ଥୀ ପରାଜିତ ହେବେ। ସେହି ଭୟରେ ବିଜେଡି ଏଭଳି ହିଂସା ଆଚରଣ କରୁଛି। ପଦ୍ମପୁର ବାସୀ ଏହାର ଜବାବ ଭୋଟରେ ଦେବେ।
ବିଜେଡ଼ି ଓ ବିଜେପିଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟରେ କଂଗ୍ରେସ ନିଜର ପ୍ରଚାର ଜାରି ରଖିଛି। କଂଗ୍ରେସ ମଧ୍ୟ ପଛରେ ନାହିଁ, ଦଳ ପଦ୍ମପୁରରେ ନୂଆ ସମ୍ଭାବନା ଦେଖୁଛି। ପୁରୁଖା ନେତା ପ୍ରାର୍ଥୀ ହୋଇଥିବାବେଳେ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତାରୁ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି ଦଳ। ଏହି ନିର୍ବାଚନରେ ଦଳକୁ ସଫଳତା ମିଳିଲେ, ହତୋତ୍ସାହିତ ହୋଇପଡିଥିବା କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବ। ସୁପ୍ତ ଅବସ୍ଥାରେ ଥିବା କର୍ମୀମାନେ ସକ୍ରିୟ ହୋଇଯିବେ। ୨୦୨୪ ନିର୍ବାଚନ ପାଇଁ ଦଳୀୟ ନେତାଙ୍କ ଭିତରେ ତତ୍ପରତା ପ୍ରକାଶ ପାଇବ। ତେଣୁ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଜୋରଦାର ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।