ବାତ୍ୟା ଜୱାଦର ପ୍ରଭାବରେ ଗଞ୍ଜାମରେ ଧାନ ଫସଲ ନଷ୍ଟ; କ୍ଷତି ପୂରଣ ପାଇଁ ଦାବି

ରବିବାର ବର୍ଷା ପରେ ଚାଷ ଜମି ଗୁଡ଼ିକ ପୋଖରୀ ଭଳି ଦେଖାଯାଉଥିବା ବେଳେ ଶୁଖିଲା ଧାନକୁ ଗଦା କରି ରଖିଥିଲେ ଚାଷୀ । ଧାନ ଗଦାକୁ ମଧ୍ୟ ବର୍ଷା ପାଣିର ସୁଅରେ ଭାସି ଯାଇଥିବା ଦେଖିବାକୁ ମିଳିଥିଲା ।

ବାତ୍ୟା ଜୱାଦର ପ୍ରଭାବରେ ଗଞ୍ଜାମରେ ଧାନ ଫସଲ ନଷ୍ଟ

ବାତ୍ୟା ଜୱାଦର ପ୍ରଭାବରେ ଗଞ୍ଜାମରେ ଧାନ ଫସଲ ନଷ୍ଟ

  • Share this:
News18 Odia Digital

ବ୍ରହ୍ମପୁର: ବାତ୍ୟା ଜୱାଦର ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଚାଷ ଜମି । ବିଶେଷ କରି ଜୱାଦର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକରେ ହୋଇଥିଲା ସର୍ବାଧିକ ବର୍ଷା। କେବଳ ସର୍ବାଧିକ ବର୍ଷା ହୋଇନାହିଁ ବରଂ ସର୍ବାଧିକ କ୍ଷତି ମଧ୍ୟ ଏହି ବ୍ଳକରେ ହୋଇଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି । ଖଲ୍ଲିକୋଟ ବ୍ଳକର ୨୯ଟି ପଞ୍ଚାୟତର ହେକ୍ଟର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ରବିବାର ବର୍ଷା ପରେ ଚାଷ ଜମି ଗୁଡ଼ିକ ପୋଖରୀ ଭଳି ଦେଖାଯାଉଥିବା ବେଳେ ଶୁଖିଲା ଧାନକୁ ଗଦା କରି ରଖିଥିଲେ ଚାଷୀ । ଧାନ ଗଦାକୁ ମଧ୍ୟ ବର୍ଷା ପାଣିର ସୁଅରେ ଭାସି ଯାଇଥିବା ଦେଖିବାକୁ ମିଳିଥିଲା । ବର୍ଷକର ପରିଶ୍ରମ ହରାଇ ଏବେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀମାନେ । ସେପଟେ ସର୍ବାଧିକ ବର୍ଷା ପରେ କ୍ଷୟକ୍ଷତି ଆକଳନ ନିମନ୍ତେ ଖଲ୍ଲିକୋଟ ତହସିଲଦାର ବିଭିନ୍ନ ଗାଁ ବୁଲି ସ୍ଥିତି ପରଖିଥିଲେ । କ୍ଷୟକ୍ଷତି ଆକଳନ ପରେ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିବା ବେଳେ ବ୍ରହ୍ମପୁର ଉପଖଣ୍ଡରେ ହୋଇଥିବା ଚାଷୀଙ୍କ ନଷ୍ଟକୁ ନେଇ ମଧ୍ୟ ତଦନ୍ତ କରାଯାଇ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ।

ବର୍ଷା ଧୋଇ ନେଲା ବର୍ଷକର ପରିଶ୍ରମ । ଜୱାଦ ବାତ୍ୟାର ପ୍ରଭାବତରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକରେ ରବିବାର ହୋଇଥିବା ସର୍ବାଧିକ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ସର୍ବାଧିକ ବର୍ଷା ଖଲ୍ଲିକୋଟ ବ୍ଳକରେ ୧୫୮ ମିମି ରେକର୍ଡ଼ ହୋଇଛି । ରବିବାର ହୋଇଥିବା ଲଗାଣ ବର୍ଷାରେ ଖଲ୍ଲିକୋଟ ବ୍ଳକର ୨୯ଟି ପଞ୍ଚାୟତର ହେକ୍ଟର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ବିଶେଷ କରି ତୁଳସୀପୁର, ମଥୁରା ଭଳି ଅନେକ ପଞ୍ଚାୟତରେ ବର୍ଷା ପାଣିରେ ବୁଡ଼ି ହୋଇ ରହିଥିଲା ଚାଷ ଜମି।

ବାତ୍ୟା ଜୱାଦର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ


ଖଲ୍ଲିକୋଟର ଚାଷୀ ବୁଲି ସ୍ବାଇଁ କହିଛନ୍ତି, ‘‘ଚାଷ ଜମିକୁ ଦେଖିଲେ ପୋଖରୀର ଭ୍ରମ ସୃଷ୍ଟି ହେଉଥିଲା । କେବଳ ଯେ କଞ୍ଚା ଥିବା ଧାନଗଛ ଗୁଡ଼ିକ ନଷ୍ଟ ହୋଇଛି ତାହା ନୁହେଁ ବରଂ ଚାଷୀମାନେ ବର୍ଷାକୁ ଦୃଷ୍ଟିରେ ରଖି ଦୁଇ ଦିନ ପୂର୍ବରୁ ପାଚି ଯାଇଥିବା ଧାନକୁ କାଟି ଚାଷ ଜମିରେ ଗଦା କରି ପାଲ ଘୋଡ଼ାଇ ରଖିଥିଲେ । କିନ୍ତୁ ବର୍ଷାର ସୁଅରେ ଗଦା ହୋଇଥିବା ଧାନ ସବୁ ଭାସିଯାଇଥିବା ଦେଖିବାକୁ ମିଳିଥିଲା । ବର୍ଷ କର ଧାନ ନଷ୍ଟ ହୋଇଥିବା ଯୋଗୁଁ ଏବେ ଚିନ୍ତାର ପଡ଼ିଯାଇଛନ୍ତି ଚାଷୀକୁଳ। ରବିବାର ବର୍ଷାରେ ନଷ୍ଟ ହେବା ପରେ ସୋମବାର ଚାଷୀମାନେ ଚାଷ ଜମିକୁ ଯାଇ ପଡ଼ିଯାଇଥିବା ଧାନ ଗୁଡ଼ିକୁ ସାଇତିଛନ୍ତି। କିନ୍ତୁ ଏହି ଧାନ ଆଉ କୌଣସି କାର୍ଯ୍ୟକୁ ନୁହେଁ ।’’

‘‘ଲକ୍ଷ ଲକ୍ଷ ଟଙ୍କା ଋଣ କରଜ କରି ଚାଷ ଜମିକୁ ଉଠିଆ କରିଥିଲେ । ଅମଳ ସମୟରେ ହିଁ ପ୍ରବଳ ବର୍ଷା ହେବା ଫଳରେ ଧାନ ଚାଷ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ତେଣୁ ତୁରନ୍ତ ଚଷ ଜମିର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି,’’ ଖଲ୍ଲିକୋଟ ଚାଷୀ ସନ୍ତୋଷ ସ୍ବାଇଁ।

ରବିବାର ସନ୍ଧ୍ୟା ସମୟରେ ବର୍ଷାର ପରିମାଣ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ରାଜ୍ୟରେ ସର୍ବାଧିକ ବର୍ଷା ଖଲ୍ଲିକୋଟ ବ୍ଳକରେ ହୋଇଥିବା ନେଇ ସୂଚନା ପାଇଥିଲେ ଖଲ୍ଲିକୋଟ ତହସିଲଦାର। ଏହାପରେ ନିଜର ଟିମ୍‌କୁ ନେଇ ଗାଁକୁ ଗାଁ ବୁଲି ଦେଖିଥିଲେ । କେଉଁ ଗାଁରେ ସର୍ବାଧିକ କ୍ଷତି ହୋଇଛି ସେ ନେଇ ତଥ୍ୟ ସଂଗ୍ରହ କରିବା ସହିତ କେଉଁ ଚାଷୀର କେତେ ଜମି କ୍ଷୟକ୍ଷତି ହୋଇଛି ସେ ନେଇ ମଧ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ଖଲ୍ଲିକୋଟ ତହସିଲ ଅଧିନରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ଏକ ଆକଳନ କରାଯାଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ।

ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ‘‘ରବିବାର ସନ୍ଧ୍ୟାରେ ବର୍ଷାର ପରିମାଣ କମିବା ପରେ ବ୍ରହ୍ମପୁର ଉପଖଣ୍ଡରେ ରହିଥିବା ଗାଁ ଗୁଡ଼ିକୁ ସରକାରୀ ଅଧିକାରୀମାନେ ଯାଇଥିଲେ । କାହାର କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହା କିଛି ଦିନରେ ରିପୋର୍ଟ ସଂଗ୍ରହ କରାଯିବ । ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବା ସହିତ କିଭଳି ଚାଷୀମାନେ ଖୁବଶୀଘ୍ର କ୍ଷତି ପୂରଣ ପାଇବେ ସେ ନେଇ ପ୍ରଚେଷ୍ଟ କରାଯିବ।’’

ରାଜ୍ୟରେ ସର୍ବାଧିକ ବର୍ଷା ସାଙ୍ଗକୁ ସର୍ବାଧିକ ଫସଲ ହାନି ହୋଇଛି ଖଲ୍ଲିକୋଟ ବ୍ଳକରେ। ଖଲ୍ଲିକୋଟ ବ୍ଳକ ବ୍ୟତିତ ଜିଲ୍ଲାର ଅନ୍ୟ ସବୁ ବ୍ଳକରେ ମଧ୍ୟ ସାମାନ୍ୟ କ୍ଷତି ସହିଛନ୍ତି ଚାଷୀମାନେ । ତେବେ କିଭଳି ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତି ପୂରଣ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡ଼ିଛି।
Published by:Lipina Das
First published:
)}