ତିର୍ତ୍ତୋଲରେ Bypoll: ଜାରି ରହିଛି ମତଦାନ; ଅପରାହ୍ଣ ୩ଟା ସୁଦ୍ଧା ୫୭.୦୪ ପ୍ରତିଶତ ଭୋଟିଂ ହୋଇଛି

ମତଦାନ ଆରମ୍ଭ ହେବା ପରେ ପରେ ପ୍ରତି ବୁଥରେ ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ପ୍ରତି ବୁଥରେ ବିଭିନ୍ନ ବୟସ ଓ ବର୍ଗର ମହିଳାମାନଙ୍କ ଲମ୍ବା ଲାଇନ ଲାଗିଥିଲା । ପ୍ରଥମ ଥର ଭୋଟ ଦେଉଥିବା ଲୋକଙ୍କୁ ଏକ ନୂଆ ଅଭିଜ୍ଞତା ମିଳିଛି ।

ତିର୍ତ୍ତୋଲରେ Bypoll: ଜାରି ରହିଛି ମତଦାନ;  ଅପରାହ୍ଣ ୩ଟା ସୁଦ୍ଧା ୫୭.୦୪ ପ୍ରତିଶତ ଭୋଟିଂ ହୋଇଛି
ମତଦାନ କରିବା ପରେ ଜଣେ ଭୋଟର
  • News18 Odia
  • Last Updated: November 3, 2020, 5:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ତିର୍ତ୍ତୋଲ: ବିଧାନ ସଭା ଉପନିର୍ବାଚନ ଲାଗି ଆଜି ସକାଳୁ ସକାଳୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିଗୁଡ଼ିକରେ ଭୋଟ ଦାନ କାର୍ଯ୍ୟ ଆରମ୍ଭ ହୋଇ ସୁରୁଖୁରୁରେ ଚାଲିଛି । ଭୋଟଦାନ କାର୍ଯ୍ୟ ଠିକ୍‌ ୭ଟା ବେଳେ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୪.୯୩ ପ୍ରତିଶତ ମତ ଦାନ ଓ ଅପରାହ୍ଣ ୩ଟା ସୁଦ୍ଧା ୫୭.୦୪ ପ୍ରତିଶତ ମତ ଦାନ ହୋଇଛି ।

ଭୋଟ ଦାନ ଆରମ୍ଭ ହେବା ପରେ ପରେ ପ୍ରତି ବୁଥରେ ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ମହିଳାମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରତି ବୁଥରେ ବିଭିନ୍ନ ବୟସ ଓ ବର୍ଗର ମହିଳାମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ମହିଳାମାନଙ୍କ ବ୍ୟତୀତ ବୟସ୍କ ଭୋଟରଙ୍କ ସଂଖ୍ୟା ମଧ୍ୟ ବେଶ୍‌ ଅଧିକ ଥିଲା ।

ମତଦାନ କେନ୍ଦ୍ରରେ ମହିଳାମାନଙ୍କ ଲମ୍ବା ଲାଇନ ଲାଗିଛି ।


ଏହା ବି ପଢ଼ନ୍ତୁ ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ

କୋଭିଡ କଟକଣା ମଧ୍ୟରେ ହେଉଥିବା ଏହି ମତଦାନ ସବୁ ଭୋଟରଙ୍କୁ ଏକ ନୂଆ ଅନୁଭୂତି ଦେଇଛି। ଏହାରି ଭିତରେ ଭିନ୍ନ ଅଭିଜ୍ଞତା ଲାଭ କରିଛନ୍ତି ପ୍ରଥମ ଥର ଲାଗି ଭୋଟ ଦେଉଥିବା ଭୋଟରମାନେ ।

‘‘ମୁଁ ପିଲାବେଳେ ବାପା-ମା’ଙ୍କ ସହ ବୁଥକୁ ଆସୁଥିଲି । ସେମାନେ ଭୋଟ ଦେଉଥିଲେ, ମୁଁ ଦେଖୁଥିଲି। ହେଲେ ଆଜି ଏକୁଟିଆ ଆସିଛି ଆଉ ଭୋଟ ବି ଦେଇଛି। ପ୍ରଥମ ଥର ଲାଗି ଭୋଟ ଦେଉଥିବାରୁ ଆରମ୍ଭରୁ ଟିକିଏ ନର୍ଭସ ଲାଗୁଥିଲା। କିନ୍ତୁ ଭୋଟ ଦେବା ପରେ ଏବେ ଆଉ ଭୟ ନାହିଁ,’’ କହିଛନ୍ତି କାଳିଆବୁଦା ବିଦ୍ୟା ନିକେତନରେ ହୋଇ ଥିବା ୧୪ ନମ୍ବର ବୁଥରେ ପ୍ରଥମ ଥର ଲାଗି ଭୋଟ ଦେଇ ଥିବା ସଙ୍ଗୀତା ସାହୁ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

କୋଭିଡ କଟକଣା ମଧ୍ୟରେ ପ୍ରଥମ ଥର ଏହି ନିର୍ବାଚନ ହେଉଥିବାରୁ ଏଥି ପାଇଁ ବୁଥଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବୁଥ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭୋଟମାନଙ୍କ ହାତକୁ ସାନିଟାଇଜରରେ ପରିଷ୍କାର କରାଯିବା ସହ ସମସ୍ତଙ୍କୁ ମାସ୍କ ଏବଂ ଗ୍ଲୋବ୍ସ ଦିଆଯାଉଛି । ଭୋଟ ଦାନ ପୂର୍ବରୁ ହାତରେ କାଳି ଲଗାଯିବାକୁ ଥିବାରୁ କେବଳ ଡାହଣ ହାତରେ ଗ୍ଲୋବସ୍‌ ପରିଧାନ ପାଇଁ କୁହାଯାଉଛି । ପ୍ରତି ବୁଥରେ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ସ୍ବେଚ୍ଛାସେବୀମାନଙ୍କୁ ମୁତୟନ କରାଯାଇଛି ।

‘‘ଭୋଟ ଦେବାକୁ ଆସୁଥିବା ଲୋକଙ୍କର ଶରୀରର ତାପମାତ୍ରା ମପାଯାଉଛି । ଅଧିକ ତାପ ମାତ୍ରା ଥିବା ଲୋକଙ୍କ ପାଇଁ ଶେଷ ବେଳକୁ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଆମେ ସମସ୍ତଙ୍କୁ ସାନିଟାଇଜର ଆଉ ମାସ୍କ ସହିତ ଗ୍ଲୋବ୍ସ ବି ଦେଉଛୁ । ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି । ଏ ପର୍ଯ୍ୟନ୍ତ ସେମିତି କିଛି ଅସୁବିଧା ହୋଇନାହିଁ,’’ କହିଛନ୍ତି ୧୪ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଜାନକୀ ବଲ୍ଲଭ ମହାନ୍ତି।

ଭୋଟ ଦେଇ ଫେରୁଥିବା ଜଣେ ବୟସ୍କା ମହିଳା


ଆଜି ଭୋଟ ଦାନ ପୂର୍ବରୁ କିଛି ବୁଥରେ ଇଭିଏମରେ ତୃଟି ପରିଲକ୍ଷିତ ହୋଇଥିଲା । ସେଥି ପାଇଁ ୧୭୭ କ ଏବଂ ୧୭୫ ନମ୍ବର ବୁଥରେ ଭୋଟଦାନ କାର୍ଯ୍ୟ ବିଳମ୍ବିତ ହୋଇଥିଲା ।

ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସମୁଦାୟ ୩୭୩ ଟି ବୁଥରେ ଭୋଟ ଗ୍ରହଣ କରାଯାଉଛି। ଚଳିତ ଉପ ନିର୍ବାଚନକୁ କୋଭିଡ ସେଫ୍ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପୋଲିଂ ପାର୍ଟିର ସମସ୍ତ ଅଧିକାରୀ ମାନଙ୍କ ପାଇଁ ସାନିଟାଇଜର, ମାସ୍କ ଓ ପିପିଇ କିଟ୍ ମଧ୍ୟ ଦିଆଯାଇଛି। ଏହି ନିର୍ବାଚନ ମଣ୍ଡଳୀରେ ୧୫୫ ଟି ସମ୍ବେଦନଶୀଳ ବୁଥ ରହିଛି । ସେଥି ମଧ୍ୟରୁ ୬୨ଟି ବୁଥରେ ସିଏପିଏଫ ଓ ୩୭ଟି ବୁଥରେ ୱେବ କାଷ୍ଟିଙ୍ଗ ଓ ୧୧ଟି ବୁଥରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ।



୩୭୩ ଟି ବୁଥ ପାଇଁ ୪୦ ଜଣ ମାଇକ୍ରୋ ଅବଜରଭର ଓ ୩୦ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି । ୨୧ ପ୍ଲାଟୁନ ପୋଲିସ ଫୋର୍ସ, ୩ କମ୍ପାନୀ ସିଏପିଏଫ ଓ ୧୫୦ ଜଣ ଅଫିସର ଓ ୮ ଜଣ ଡିଏସପିଙ୍କୁ ନିୟୋଜିତ କରାଯାଇଛି ।
Published by: Anand Shankar Thankur Das
First published: November 3, 2020, 5:04 PM IST
corona virus btn
corona virus btn
Loading