News18 Odia Digital
ଭୁବନେଶ୍ୱର: ଓଟିଭିର ସାରୁଅ ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ କରାଯାଇଛି । ଅନିରୁଦ୍ଧ ସାରୁଅ ଷ୍ଟୁଡିଓରେ ଶୋଇଥିବା ବେଳେ ଭୋର୍ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଏସ୍.ପି. ଅଜେୟ ପ୍ରତାପ ସ୍ବାଇଁ କହିଛନ୍ତି ସାରୁଅ ଜମି କେଳେଙ୍କାରୀ ଓ ନାବାଳିକା ଦୁଷ୍କର୍ମ ଘଟଣାରେ ଅନିରୁଦ୍ଧ ଓ ଅନ୍ୟମାନଙ୍କ ବିରୋଧରେ ଲିଖିତ ଏତଲା ଦିଆଯାଇଥିଲା ।
ଆଜି ଭୋର୍ ସମୟରେ ଅନିରୁଦ୍ଧ ସାରୁଅ ଓଟିଭି ଷ୍ଟୁଡିଓରେ ଆତ୍ମଗୋପନ କରିଥିବା ସୂଚନା ପାଇ ପୋଲିସ ଚଢ଼ାଉ କରି ଗିରଫ କରିଥିଲା । ବାରମ୍ବାର ଡାକରା ପରେ ମଧ୍ୟ ଅନିରୁଦ୍ଧ ଥାନାକୁ ନ ଆସିବାରୁ ଓ ତଦନ୍ତରେ ପୋଲିସକୁ ସହଯୋଗ ନ କରିବା କାରଣରୁ ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଏସ୍.ପି. । ସେ ଏହା ବି କହିଛନ୍ତି ଯେ ଅଭିଯୋଗ ଭିତ୍ତିରେ ଅନିରୁଦ୍ଧଙ୍କ ବିରୋଧରେ ହୋଇଥିବା ତଦନ୍ତରେ ଅନେକ ତଥ୍ୟ ଓ ପ୍ରମାଣ ପୋଲିସକୁ ମିଳିଛି (OTV studio manager Aniruddha Panda arrested) ।
ଏହା ବି ପଢ଼ନ୍ତୁ | Bihar Election Results: ଚତୁର୍ଥ ଥର ପାଇଁ ସିଏମ ହେବେ ନୀତୀଶ ନା ତେଜସ୍ୱୀକୁ ମିଳିବ କ୍ଷମତାର ଭାର; କାଉଣ୍ଟଡ଼ାଉନ ଆରମ୍ଭ‘‘ଅନିରୁଦ୍ଧ ପଣ୍ଡାଙ୍କ ନାଁରେ ଅକ୍ଟୋବର ୫ରେ ଗୋଟିଏ କେସ୍ ହୋଇଥିଲା ଯେଉଁଥିରେ ଅନୁସୂଚିତ ଜାତି ଓ ଉପଜାତି ଆଇନର ଦଫା ଲାଗିଥିଲା । ତା’ ସାଙ୍ଗରେ ଆଇପିସିର ଦଫା ୪୪୭, ୫୦୬, ୨୯୪ ଓ ୩୪ ବି ଲାଗିଥିଲା । ସେହି କେସରେ ଅନ୍ୟ ଅଭିଯୁକ୍ତମାନେ ପୂର୍ବରୁ ଗିରଫ ହୋଇଯାଇଥିଲେ । ଗତ କାଲି ଆମେ ଖବର ପାଇଲୁ ଯେ ଅନିରୁଦ୍ଧ ସାରୁଅରେ ଥିବା ଷ୍ଟୁଡିଓ ଭିତରେ ଅଛନ୍ତି । ତେଣୁ ମଧ୍ୟ ରାତ୍ରି ପରେ ଆମେ ସେଠି ରେଡ୍ କରି ତାଙ୍କୁ ଗିରଫ କରିଛୁ,’’ କହିଛନ୍ତି ଖୋର୍ଦ୍ଧା ଏସ୍.ପି. ଅଜେୟ ପ୍ରତାପ ସ୍ବାଇଁ ।

ଖୋର୍ଦ୍ଧା ଏସ୍.ପି. ଅଜେୟ ପ୍ରତାପ ସ୍ବାଇଁ
‘‘ଅନିରୁଦ୍ଧଙ୍କ ନାମ ଅକ୍ଟୋବର ୨ ତାରିଖର ପ୍ରଥମ କେସରେ ଅଭିଯୁକ୍ତଙ୍କ ତାଲିକାରେ ରହିବା ପରେ ଆମେ ତାଙ୍କୁ ଡାକିବାରୁ ସେ ଆସିଥିଲେ ଓ ତଦନ୍ତରେ ସହଯୋଗ କରିଥିଲେ । ହେଲେ ଅକ୍ଟୋବର ୫ରେ ହୋଇଥିବା ଦ୍ୱିତୀୟ କେସ ପରେ ସେ ଆଉ ଧରାଛୁଆଁ ଦେଇ ନ ଥିଲେ କି ଆମେ ତାଙ୍କୁ ଖୋଜି ପାଇ ନ ଥିଲୁ,’’ କହିଛନ୍ତି ସ୍ୱାଇଁ ।
ଏହା ବି ପଢ଼ନ୍ତୁ | ଭଦ୍ରକରେ ପୋଲିସ୍ ବାରାକରେ ମଶା ଧୂପରୁ ନିଆଁ ଲାଗିଲା; ୩ ଜଣ ଯବାନ ପୋଡ଼ିହୋଇ ଆହତ ହେଲେଓଟିଭିର ସାରୁଅ ଷ୍ଟୁଡିଓରେ ଉପସ୍ଥିତ ଜଣେ କର୍ମଚାରୀ ସେହି ଚ୍ୟାନେଲକୁ କହିଛନ୍ତି ଯେ ଭୋର୍ ପ୍ରାୟ ୩ଟା ବେଳେ ଶବ୍ଦ ଶୁଣି ଉଠିଲେ ଓ ପୋଲିସ ପଣ୍ଡାଙ୍କ କୋଠରୀର ଲୁହା ଗ୍ରିଲ୍ ଓ କବାଟ ଭାଙ୍ଗି ଭିତରକୁ ପଶୁଥିବାର ଦେଖିଲେ । ‘‘ପାଖାପାଖି ୧୫ରୁ ୨୦ ଜଣ ପୋଲିସ କର୍ମୀ ପଣ୍ଡାଙ୍କୁ ଜବରଦସ୍ତ ଟାଣି ନେଇଗଲେ । ସେମାନଙ୍କ ବ୍ୟବହାରରୁ ଲାଗୁଥିଲା ସତେ ଯେମିତି ପଣ୍ଡା ଜଣେ ହାର୍ଡ଼କୋର୍ ଅପରାଧୀ । ମୁଁ ସଙ୍ଗେ ସଙ୍ଗେ ସଂପୃକ୍ତ ଥାନାର ଇନ୍ସପେକ୍ଟରଙ୍କୁଫୋନ୍ କଲାରୁ ସେ କହିଲେ ପଣ୍ଡାଙ୍କୁ ଏକ ପୁରୁଣା ମାମଲାକୁ ନେଇ ଗିରଫ କରାଯାଇଛି,’’ ଓଟିଭିର କର୍ମଚାରୀ ହଲିମ କହିଛନ୍ତି ।
ଏହା ପୂର୍ବରୁ ଓଟିଭିର ବରିଷ୍ଠ ରିପୋର୍ଟର୍ ରମେଶ ରଥ ଓ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ମନୋରଞ୍ଜନ ଷଢ଼ଙ୍ଗୀଙ୍କୁ ଦୁଇଟି ପୃଥକ ମାମଲାରେ ଗିରଫ କରାଯାଇଛି । ଏ ପର୍ଯ୍ୟନ୍ତ OTVର ଚାରି ଜଣ କର୍ମଚାରୀ ଗିରଫ ହେଲେଣି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବ ଏମ୍.ପି. ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭିର ‘‘ବେଆଇନ୍ ଓ ଆପରାଧିକ କାର୍ଯ୍ୟ’’ ସମ୍ପର୍କରେ ମିଳିଥିବା ପ୍ରମାଣ ଭିତ୍ତିରେ ଏହି ଗିରଫଦାରୀଗୁଡ଼ିକ ହେଉଥିବା ପୋଲିସ କହିଛି । ହେଲେ ଓଟିଭି କର୍ତ୍ତୃପକ୍ଷ ଏହାକୁ ଏହି ନ୍ୟୁଜ୍ ଚ୍ୟାନେଲ୍ ବିରୋଧରେ ‘‘ଉଦ୍ଦେଶ୍ୟମୂଳକ ଭାବେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ’’ ଭାବେ ଅଭିହିତ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।