News18 Odia Digital
ଭୁବନେଶ୍ୱର: ଓଡ଼ିଶାର କିଛି ଯୁବ ଶିଳ୍ପୋଦ୍ୟୋଗୀଙ୍କ ଉଦ୍ୟମ ପ୍ରଶଂସନୀୟ। ରୟାଲ ଇଣ୍ଡିଆନ ଇ-ଭେଇକିଲ୍ ବ୍ୟାନରରେ ଏମାନେ ତିଆରି କରିଛନ୍ତି ବିଦ୍ୟୁତ୍ଚାଳିତ ସାଇକେଲ, ଦୁଇଚକିଆ ଯାନଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କୃଷି ଉପକରଣ। ଭୁବନେଶ୍ୱରରେ ଆୟୋଜିତ ଇଣ୍ଟରନ୍ୟାସନାଲ ଟ୍ରେଡ଼ ଫେୟାର-୨୦୨୨ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।
ଏହି ଟିମର ଯୁକ୍ତି ଯେ, ପେଟ୍ରୋଲ ଓ ଡ଼ିଜେଲ ଦର ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ନେଇ ଗ୍ରାହକ ଅସନ୍ତୋଷ । ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଲା ବିଶ୍ୱରେ ଗଚ୍ଛିତ ଥିବା ପେଟ୍ରୋଲିୟମଜାତ ସାମଗ୍ରୀର ପରିମାଣ କ୍ରମଶଃ ଶେଷ ହେବାରେ ଲାଗିଛି, ଯେଉଁ କାରଣରୁ ବିକଳ୍ପ ବିଦ୍ୟୁତ୍ ଶକ୍ତିଚାଳିତ ଯାନବାହାନ ଓ ବିଭିନ୍ନ କୃଷି ଉପକରଣ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି ଓଡ଼ିଆ ଯୁବଶିଳ୍ପୋଦ୍ୟୋଗୀ । ରୟାଲ ଇଣ୍ଡିଆନ ଇ ଭେହିକିଲ୍ ନାମରେ କିଛି ଓଡ଼ିଆ ଯୁବ ଶିଳ୍ପୋଦ୍ୟୋଗୀ ତିଆରି କରିଛନ୍ତି ବିଦ୍ୟୁତ୍ଚାଳିତ ବିଭିନ୍ନ ଯାନବାହାନ ।
କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରୟାଲ ଇଣ୍ଡିଆନ ଭେହିକିଲ୍ ବ୍ୟାନରରେ ଏବେ ବିଦ୍ୟୁତ୍ଚାଳିତ ଦୁଇଚକିଆଯାନ, ସାଇକେଲ, ପାୱାରଟିଲର ଆଦି ଯନ୍ତ୍ରପାତି ତିଆରି କରାଯାଇଛି, ଯାହା ଗ୍ରାହକଙ୍କ ଆଦୃତଲାଭ କରିପାରିଛି । ଏଥିରେ ବ୍ୟବହାର ହେଉଥିବା ବ୍ୟାଟେରି ଥରେ ଚାର୍ଜ କଲେ ପ୍ରାୟ ଦେଢଶହ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏଥିପାଇଁ ପ୍ରତ୍ୟେକ ଗାଡ଼ିରେ ହେଭି ପାୱାର ବା ଉଚ୍ଚ କ୍ଷମତା ସମ୍ପନ ବ୍ୟାଟେରି ବ୍ୟବହାର କରାଯାଇଛି । ସମ୍ପୂର୍ଣ୍ଣ ଭାବେ ଏହି ବ୍ୟାଟେରି ଚାର୍ଜ ହେବା ପାଇଁ ମାତ୍ର ୨ ୟୁନିଟ୍ବିର ବିଦ୍ୟୁତ୍ ଖର୍ଚ୍ଚ ହେବ।
ରୟାଲ ଇଣ୍ଡିଆନ ଇ ଭେହିକିଲର ବ୍ରାଣ୍ଡ ଆମ୍ବାସାଡ଼ାର ଅଙ୍କିତ୍ ମହାପାତ୍ର କହିଛନ୍ତି,"ପଟିଆ ଅଞ୍ଚଳରେ ଏହି ବିଦ୍ୟୁତ୍ଚାଳିତ ଯାନଗୁଡ଼ିକର ତିଆରିକୁ ଗୁରୁତ୍ୱ ଦିଆଯାଉଥିବାବେଳେ ସେ ଭିତରେ କୃଷି ଯନ୍ତ୍ରପାତି ସାମଗ୍ରୀ ନିର୍ମାଣକୁ ପ୍ରାଥମିକତା ଦିଆଯାଉଛି । ବିଦ୍ୟୁତ ଚାଳିତ ପାୱାରଟିଲରଠାରୁ ଆରମ୍ଭ କରି ଧାନକଟା ଯନ୍ତ୍ର,ଔଷଧ ସିଞ୍ଚନ ଆଦି ଯନ୍ତ୍ରପାତି ନିର୍ମାଣ ଉପରେ ବିଶେଷ ପ୍ରାଥମିକତା ରହିଛି। ବିଦ୍ୟୁତ୍ଚାଳିତ ଯାନ ନିର୍ମାଣ ଉପରେ ଏବେ ଏକାଧିକ କମ୍ପାନୀ ଗୁରୁତ୍ୱ ଦେଉଥିବା ବେଳେ ରୟାଲ ଇଣ୍ଡିଆନ ଇ ଭେହିକିଲ୍ ପକ୍ଷରୁ ସ୍ୱତନ୍ତ୍ର ଚାର୍ଜିଂ ପଏଣ୍ଟ ନିର୍ମାଣ କରାଯାଇଛି, ଯାହା ପ୍ରଥମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏକାଥରକେ ଏହି ଚାର୍ଜିଂ ପଏଂଟରେ ୪ରୁ ଅଧିକ ଗାଡ଼ି ବ୍ୟାଟେରି ଚାର୍ଜ ହୋଇପାରିବ"।
କମ୍ପାନୀର ଏହି ଉଦ୍ୟମକୁ ଗ୍ରାହକ ଓ ବ୍ୟବସାୟୀ ପସନ୍ଦ କରିଛନ୍ତି । ସେଥିପାଇଁ ମେଳାରେ ରହିଛି ଏହି ଷ୍ଟଲର ସ୍ଵତନ୍ତ୍ର ଆକର୍ଷଣ। ମେ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଇଂଟରନ୍ୟାସନାଲ ଟ୍ରେଡ଼ ଫେୟାରରେ ଏକାଧିକ ବ୍ୟବସାୟିକ ସାମଗ୍ରୀ ପ୍ରଦର୍ଶିତ ହୋଇଥିବା ବେଳେ ବ୍ୟାଟେରି ଚାଳିତ ଏହି ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।