ଆତ୍ମଘୋଷିତ ସାରଥୀ ବାବାଙ୍କୁ ହାଇ କୋର୍ଟରୁ ଆଶ୍ବସ୍ତି; ଜୁଲାଇ ପହିଲାରୁ ଦେଇ ପାରିବେ ପ୍ରବଚନ

ସାରଥୀଙ୍କ ପକ୍ଷରୁ ଜାମିନ ସର୍ତ୍ତକୁ କୋହଳ କରିବା ପାଇଁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ମାନ୍ୟବର ହାଇ କୋର୍ଟ ଆଜିର ଏହି ରାୟ ଦେଇଛନ୍ତି । ଏହା ସହିତ ଜୁଲାଇ ପହିଲାରୁ ଏହି ଆଦେଶନାମା କାର୍ଯ୍ୟକାରୀ ହେବ ବୋଲି ମଧ୍ୟ କୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି ।

ଆତ୍ମଘୋଷିତ ସାରଥୀ ବାବାଙ୍କୁ ହାଇ କୋର୍ଟରୁ ଆଶ୍ବସ୍ତି; ଜୁଲାଇ ପହିଲାରୁ ଦେଇ ପାରିବେ ପ୍ରବଚନ
ଆତ୍ମଘୋଷିତ ସାରଥୀ ବାବାଙ୍କୁ ହାଇ କୋର୍ଟରୁ ଆଶ୍ବସ୍ତି
  • News18 Odia
  • Last Updated: February 16, 2021, 7:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ପୁନର୍ବାର ବହୁ ଚର୍ଚ୍ଚିତ ଆତ୍ମଘୋଷିତ ସାରଥୀ ବାବା ଓରଫ ସନ୍ତୋଷ ରାଉଳ ନିଜ ଅନୁଗାମୀମାନଙ୍କ ଗହଣକୁ ଫେରିବାକୁ ଯାଉଛନ୍ତି । ଆଜି ହାଇ କୋର୍ଟ ସାରଥୀ ବାବାଙ୍କୁ ପ୍ରବଚନ ଦେଇ ପାରିବାର ଅନୁମତି ଦେଇଛନ୍ତି । କିନ୍ତୁ ପ୍ରବଚନ ଦେବା ସମୟରେ କୋଭିଡ କଟକଣାକୁ ମାନିବେ ଓ ଅତି ବେଶୀରେ ଦୁଇଶହ ଲୋକଙ୍କୁ ଏକାଠି କରି ପ୍ରବଚନ ଦେଇ ପାରିବେ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି ।

ସାରଥୀଙ୍କ ପକ୍ଷରୁ ଜାମିନ ସର୍ତ୍ତ କୋହଳ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜୁଲାଇ ପହିଲାରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ ବୋଲି ମଧ୍ୟ କୋର୍ଟ କହିଛନ୍ତି । ପ୍ରବଚନରୁ ଆୟ ଅର୍ଥ ତାଙ୍କ ରୋଜଗାରର ମୂଳସୁତ୍ର ଓ ତାହା ବନ୍ଦ ହୋଇ ଯାଇଥିବାରୁ ସେ ତାଙ୍କର ଗୁଜୁରାଣ ମେଣ୍ଟାଇବାରେ ଅସମର୍ଥ ବୋଲି ଦର୍ଶାଇ ପ୍ରବଚନ ଅନୁମତି ଦେବା ପ୍ରାର୍ଥନା କରି ସେ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସାରଥୀଙ୍କ ଏହି ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ସତ କିନ୍ତୁ ସେ କେନ୍ଦ୍ରାପଡ଼ା ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ।

ସାରଥୀଙ୍କୁ ଜାମିନ ଦେବା ସମୟରେ କୋର୍ଟ ୪ଟି ସର୍ତ୍ତ ରଖିଥିଲେ । ଜେଲରୁ ବାହାରିବା ସମୟରେ କୌଣସି ଶୋଭାଯାତ୍ରା କରି ପାରିବେ ନାହିଁ, ନିଜ ଅନୁଗାମୀମାନଙ୍କୁ ଏକାଠି କରି କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରିବେ ନାହିଁ କିମ୍ବା ପ୍ରବଚନ ତଥା ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାରିବେ ନାହିଁ, ରାଜ୍ୟ ବାହାରକୁ ଯିବା ସମୟରେ ତଦନ୍ତକାରୀ ଅଧିକାରୀଙ୍କ ଅନୁମତି ନେବେ । କେନ୍ଦ୍ରାପଡ଼ା ଯାଇ ପାରିବେ ନାହିଁ ଭଳି ୪ଟି ସର୍ତ୍ତ ବଳରେ ସେ ହାଇ କୋର୍ଟରୁ ଜାମିନ ପାଇଥିଲେ । ତେବେ ଏହି ଚାରିଟି ମଧ୍ୟରୁ ସେ ସବୁ ସର୍ତ୍ତ ପାଳନ କରିଛନ୍ତି କିନ୍ତୁ ସେ ଜେଲରୁ ବାହାରିବା ପରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସମସ୍ୟା ହେଉଥିବା କୋର୍ଟଙ୍କୁ ଅବଗତ କରାଇଥିଲେ । ଏହା ସହିତ ମିଳିଥିବା ଜାମିନ ସର୍ତ୍ତକୁ କୋହଳ ପାଇଁ କୋର୍ଟରେ ଆବେଦନ କରିଥିଲେ ।

"ସେତେବେଳର ଲୋକଙ୍କ ଭାବାବେଗକୁ ଦେଖି କୋର୍ଟ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ସେ ମଧ୍ୟ ସମସ୍ତ ସର୍ତ୍ତକୁ ମାନିଛନ୍ତି । କିନ୍ତୁ ସେ ଯେହେତୁ ଜଣେ ପ୍ରବଚକ ଓ ତାହା ହିଁ ତାଙ୍କର ପେଶା । କିନ୍ତୁ ଜେଲରୁ ମୁକୁଳିବାର ଦୁଇ ବର୍ଷ ହେଲାଣି ହେଲେ ପ୍ରବଚନ ଦେଇ ପାରୁନଥିବାରୁ ସେ ନିଜର ଗୁଜୁରାଣ ମେଣ୍ଟାଇବାରେ ଅସମର୍ଥ ହେଉଛନ୍ତି ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟଙ୍କ ଅନୁମତି ମିଳିଥିବାରୁ ଏବେ ସେ ପ୍ରବଚନ ଦେଇ ପାରିବେ, କିନ୍ତୁ କେନ୍ଦ୍ରାପଡ଼ା ଯାଇ ପାରିବେ ନାହିଁ । କାରଣ କେନ୍ଦ୍ରାପଡ଼ା ନ ଯିବା ଉପରେ କୋର୍ଟ ଲଗାଇଥିବା ସର୍ତ୍ତ କୋହଳ ପାଇଁ ସେ ଆବେଦନ କରି ନାହାଁନ୍ତି," କହିଛନ୍ତି ସାରଥୀଙ୍କ ଓକିଲ ମାନସ ଚାନ୍ଦ ।

ସାରଥୀ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରି ଗତ ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତେବେ ଜାମିନ ମିଳିବା ପରେ ଗତ ୨୦୧୯ ମସିହା ଜୁଲାଇ ୨୫ ତାରିଖ ଦିନ ସାରଥୀ ଜେଲରୁ ମୁକୁଳିଥିଲେ । ମୁକୁଳିବା ଦିନ ଠାରୁ ସେ ଏକ ପ୍ରକାର ଅନ୍ତଦ୍ଧ୍ୟାନ ହୋଇଯାଇଥିଲେ । କିନ୍ତୁ ଏବେ କୋର୍ଟଙ୍କ ଅନୁମତି ମିଳିବା ପରେ ଜୁଲାଇ ମାସରେ ସେ ପୁଣି ଥରେ ନିଜର ଆତ୍ମ ପ୍ରବଚନ ଦେବାକୁ କରିବାକୁ ଯାଉଛନ୍ତି ।
Published by: Jagdish Barik
First published: February 16, 2021, 7:40 PM IST