News18 Odia Digital
କଟକ: ବୁଲା କୁକୁର ଆମ ସମାଜରେ ରହିବାର ଆବଶ୍ୟକତା ଅଛି କି ନାହିଁ। ଏହାକୁ ନେଇ ଗତକିଛି ଦିନ ହେଲା ସମଗ୍ର ଦେଶରେ ବିତର୍କ ଆରମ୍ଭ ହୋଇଛି। ବିଶେଷ କରି ହାଇଦ୍ରାବାଦରେ ଏକ ଚାରି ବର୍ଷର ଶିଶୁକୁ ବୁଲା କୁକୁର ଝୁଣିବା ପରେ ଏହି ଆଲୋଚନା ଏବେ ଜୋର ଧରିଛି। କିଛି ଲୋକ ବୁଲା କୁକୁରଙ୍କ ଠାରୁ ବିପଦ ଆଶଙ୍କା ଥିବାରୁ ସେମାନଙ୍କୁ ଜନବସତି ଠାରୁ ଦୂରେଇ ନେବା ପାଇଁ ମତ ଦେଉଥିବା ବେଳେ ଆଉ କିଛି ବୁଲା କୁକୁର ମଧ୍ୟ ସମାଜର ଏକ ଅଶଂ ବିଶେଷ ବୋଲି ମତ ଦେଇଛନ୍ତି।
ଏହାରି ଭିତରେ ରାଜ୍ୟ ମତ୍ସ୍ୟ ତଥା ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ଟ୍ବିଟକୁ ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ହାଇଦ୍ରାବାଦରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ସ୍ବାଇଁ ଓଡ଼ିଶାରେ ବୁଲା କୁକୁରମାନଙ୍କୁ ରାସ୍ତାଘାଟକୁ ହଟାଇବା ସମସ୍ତ ୩୦ଟି ଯାକ ଜିଲ୍ଲାର ମୁଖ୍ୟ ପଶୁଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଟ୍ବିଟରେ କହିଥିଲେ।
ତେବେ ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶନାମାକୁ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ସମର୍ଥନ କରିବା ସହ ନିଜ ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ଦୈରାତ୍ମ୍ୟକୁ ଶେଷ କରିବା ପାଇଁ ମଧ୍ୟ ମନ୍ତ୍ରୀଙ୍କୁ ଟ୍ବିଟ କରି ଜଣାଇଥିଲେ ମନ୍ତ୍ରୀ। କିନ୍ତୁ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ମନ୍ତ୍ରୀଙ୍କ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଏହି ନିର୍ଦ୍ଦେଶନାମାକୁ ନାପସନ୍ଦ କରିଛନ୍ତି। ସେହିପରି ଆଉ କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏପରି କରିବା ବେଆଇନ ବୋଲି ଦର୍ଶାଇଛନ୍ତି।
ଏପରି କି ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶନାମାକୁ ବିରୋଧ କରି କେନ୍ଦ୍ର ପଶୁ କଲ୍ୟାଣ ମନ୍ତ୍ରଣାଳୟଙ୍କ ଦ୍ବାରସ୍ତ ହୋଇଛନ୍ତି ପଶୁ ପ୍ରେମୀ ତଥା ରାଜ୍ୟ ପଶୁ କଲ୍ୟାଣ ବୋର୍ଡର ସଦସ୍ୟ ବିଶ୍ବଜିତ ପ୍ରଧାନ।
ପେସାରେ ଜଣେ ଆଇନଜୀବୀ ହୋଇଥିବା ବିଶ୍ବଜିତଙ୍କ ଯୁକ୍ତି ମୁତାବକ ବୁଲା କୁକୁରମାନଙ୍କ ସେମାନଙ୍କ ବାସସ୍ଥାନରୁ ହଟାଇବା ଆଇନ ବିରୋଧୀ। ଏନେଇ କେନ୍ଦ୍ର ସରକାରଙ୍କ ପ୍ରିଭେନସନ ଅଫ କ୍ବାଏଲିଟି ଟୁ ଆନିମଲ ଆକ୍ଟ ୧୯୬୦ ଅନୁଯାଇ ବୁଲା କୁକୁରମାନଙ୍କୁ କେବଳ ଟୀକାକରଣ ପାଇଁ ନିଆଯାଇ ପାରିବ ଏବଂ ଟୀକାକରଣ ପରେ ସେମାନଙ୍କୁ ଯେଉଁ ସ୍ଥାନରୁ ନିଆଯାଇଥିଲା ସେଠାରେ ହିଁ ଛଡା ଯିବ। ବୁଲା କୁକୁରଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇ ପାରିବ ନାହିଁ।
ପଢ଼ନ୍ତୁ ଏହି ଖବର: Biju Patnaik photos: ପତ୍ନୀଙ୍କ ସହ ବିଜୁ ବାବୁଙ୍କ ଏହି ଫଟୋ ପୂର୍ବରୁ ଦେଖିନଥିବେ ଆପଣ"କେବଳ କେନ୍ଦ୍ର ସରକାରଙ୍କ ଆଇନ ନୁହେଁ ବରଂ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି। ଯେ ବୁଲା କୁକୁରମାନଙ୍କ ବଂଶ ବୃଦ୍ଧି ରୋକିବା ପାଇଁ ବ୍ୟବସ୍ଥା କରାଯାଇ ପାରିବ। କିନ୍ତୁ ସେମାନଙ୍କୁ ତାଙ୍କର ବାସସ୍ଥାନରୁ ଅଲଗା କରାଯାଇ ପାରିବ ନାହିଁ। ଏହା ବ୍ୟତୀତ ବୁଲୁ କୁକୁର ପରିବେଶ ସନ୍ତୁଳନ ରକ୍ଷା କରିବା ସହ ଭୁମିକମ୍ପ ଭଳି ପ୍ରାକୃତିକ ବିପଦ ଆସିବା ସମୟରେ ଆଗୁଆ ସତର୍କ ସୂଚନା ଦେଇଥାନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ବୋଧ ହୁଏ ଏକଥା ଜାଣି ନାହାଁନ୍ତି। ଯଦି ମନ୍ତ୍ରୀ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାନ୍ତି, ତେବେ ଏହା ବିରୁଦ୍ଧରେ ଆମେ ସୁପ୍ରିମକୋର୍ଟ ଯିବୁ," କହିଛନ୍ତି ପଶୁ ପ୍ରେମୀ ତଥା ରାଜ୍ୟ ପଶୁ କଲ୍ୟାଣ ବୋର୍ଡର ସଦସ୍ୟ ବିଶ୍ବଜିତ ପ୍ରଧାନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।