News 18 Odia Digital
ଭୁବନେଶ୍ୱର: ଚିଲିକା ହ୍ରଦରେ ବହୁ ପ୍ରତୀକ୍ଷିତ ଓ ପ୍ରସ୍ତାବିତ ' ରୋପ ୱେ' ପ୍ରକଳ୍ପକୁ ନେଇ ଉଠିଲା ପ୍ରତିବାଦର ସ୍ୱର । ପରିବେଶବିତ ଓ ସାମାଜିକ କର୍ମୀଙ୍କ ଅଭିଯୋଗ ଯେ, ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଶ୍ୱରେ ଜୈବ ବିଭିଧତା ପାଇଁ ପ୍ରସିଦ୍ଧ ଥିବା ଚିଲିକା ହ୍ରଦ ନିଜର ପରିଚୟ ହରାଇବ । କେବଳ ଚିଲିକାର ସୁନ୍ଦର ଜଳରାଶିରେ ଥିବା ୨୫୦ରୁ ଅଧିକ ପ୍ରଜାତିର ଜଳଚର ଜୀବଙ୍କ ଅସ୍ତିତ୍ୱ ବିପନ୍ନ ହେବ । ତେଣୁ ଏଭଳି ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ଜରୁରୀ । ଏ ନେଇ ସେମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ଉଭୟ ସାମାଜିକ କର୍ମୀ ଓ ପରିବେଶବିତ।
ଜଣାଶୁଣା ତଥା ବରିଷ୍ଠ ସାମାଜିକ କର୍ମୀ ଅନୀଲ ଧିରଙ୍କ ସୂଚନା ଅନୁସାରେ, କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପର୍ବତମାଳା ପ୍ରକଳ୍ପ ନୀତିରେ ଦେଶର ବିଭିନ୍ନ ସ୍ଥାନରେ ସଂଖ୍ୟାଧିକ ରୋପ ୱେ ପ୍ରକଳ୍ପ ପାଇଁ ପ୍ରସ୍ତାବ ମଗା ଯାଇଥିଲା। ଏଥିପାଇଁ ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ନୀତିରେ କୋହଳ କରାଯାଇଥିଲା । ଏହା ସହିତ ଏହି ପ୍ରକଳ୍ପ ଦ୍ୱାରା ପରିବେଶ କୌଣସି ଭାବେ ପ୍ରଭାବିତ ହେବ ନାହିଁ ବୋଲି ସ୍ପଷ୍ଟ ଭାବରେ ମଧ୍ୟ କୁହାଯାଇଥିଲା । ବିଡମ୍ବନା ହେଲା ଯେ, ଏଭଳି ପ୍ରକଳ୍ପକୁ ବିଭିନ୍ନ ଦିଗରୁ ବିଚାରକୁ ନେଇ ଏହାକୁ ରାଜ୍ୟରେ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସେ ଆହୁରି କହିଛନ୍ତି ଯେ, ବିଡମ୍ବନାର କଥା ହେଲା ଆମ ରାଜ୍ୟରେ ଏଭଳି ୧୦ଟି ରୋପ ୱେ ପ୍ରକଳ୍ପ କରିବାରୁ ନିଷ୍ପତ୍ତି ନିଆଯାଇଛି ଓ ସେ ଭିତରେ କେବଳ ଚିଲିକା ହ୍ରଦରେ ହେବ ଦୁଇଟି ପ୍ରକଳ୍ପ । ସୂଚନା କହୁଛି ଯେ ନିଷ୍ପତ୍ତି ଅନୁସାରେ ଚିଲିକାରେ କୃଷ୍ଣ ପ୍ରସାଦରୁ କାଳିଜାଇ ଓ ଜହ୍ନିକୁଦ ପର୍ଯ୍ୟନ୍ତ ପ୍ରାୟ ୯ କିମି ପର୍ଯ୍ୟନ୍ତ ଏଭଳି ରୋପ ୱେ ହେବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇସାରିଛି । ଆଶ୍ଚର୍ଯ୍ୟର କଥା ହେଲା ଏଭଳି ନିଷ୍ପତ୍ତି ସମୟରେ କିନ୍ତୁ ଚିଲିକାର ଜୈବ ବିଭିଧତା ନଷ୍ଟ ହେବା ପ୍ରସଙ୍ଗକୁ ଅଣଦେଖା କରାଯାଇଛି । ନିହାତି ଭାବରେ ଏହା ଏକ ଚିନ୍ତାର ବିଷୟ । ତେଣୁ ଏଭଳି ହାଲତରେ ତୁରନ୍ତ ଏହି ପ୍ରକଳ୍ପ ବନ୍ଦ କରିବା ପାଇଁ ସେ ରାଜ୍ୟ ସରଜାରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ।
ସେହିଭଳି ବରିଷ୍ଠ ପରିବେଶବିତ ବିଶ୍ଵଜିତ ମହାନ୍ତି ମଧ୍ୟ ଏହି ପ୍ରକଳ୍ପକୁ ବନ୍ଦ କରାଯିବା ଆବଶ୍ୟକ ବୋଲି ମତ ରଖିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କେଉଁ ଆଧାରରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ କରିବା ଜରୁରୀ । କାରଣ ଏଭଳି ପ୍ରକଳ୍ପ ପାଇଁ ଚିଲିକା ହ୍ରଦ ଉପଯୁକ୍ତ ସ୍ଥାନ ନୁହେଁ । ପୂର୍ବରୁ ଚିଲିକା ହ୍ରଦକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ସି-ପ୍ଲେନର ବ୍ୟବସ୍ଥା ଉପରେ ଚିନ୍ତା କରାଯାଇଥିଲା । ବିରୋଧ ପରେ ଏହା ଏବେ ବନ୍ଦ ରହିଛି । ତେଣୁ ଏଭଳି କାର୍ଯ୍ୟକ୍ରମ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ବର୍ଗର ଲୋକଙ୍କ ସହ ରାଜ୍ୟ ସରକାର ବିଚାର ବିମର୍ଷ କରିବା ଜରୁରୀ । ନହେଲେ ଆଗାମୀ ଦିନରେ ଏହାକୁ ନେଇ ପ୍ରତିବାଦ ତୀବ୍ର ହେବ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।