କ୍ୟାବିନେଟରେ ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା; ଭୋଟ ପାଇଁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ସରକାର: BJP

ରାଜ୍ୟ କ୍ୟାବିନେଟରେ ମାତ୍ର ୩୦ ମିନିଟରେ ୩୨ଟି ପ୍ରସ୍ତାଵ ପାରିତ ହେବାକୁ ସମାଲୋଚନା କରିଛି ବିଜେପି । ବଜେଟରେ ଅର୍ଥ ବ୍ୟବସ୍ଥା ନଥିବା ବେଳେ ଯୋଜନା ଘୋଷଣା କରି ସୁନେଲି ସ୍ବପ୍ନ ଦେଖାଉଛନ୍ତି ବୋଲି ବିଜେପି କହିଛି ।

କ୍ୟାବିନେଟରେ ନିଷ୍ପତ୍ତିକୁ ବିରୋଧୀ ସମାଲୋଚନା କରୁଛନ୍ତି (ପ୍ରତୀକାତ୍ମକ ଛବି)

କ୍ୟାବିନେଟରେ ନିଷ୍ପତ୍ତିକୁ ବିରୋଧୀ ସମାଲୋଚନା କରୁଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନ। ରାଜ୍ୟ କ୍ୟାବିନେଟରେ ମାତ୍ର ୩୦ ମିନିଟରେ ୩୨ଟି ପ୍ରସ୍ତାଵ ପାରିତ ହେବାକୁ ସମାଲୋଚନା କରିଛି ବିଜେପି ।

ସାମ୍ବାଦିକ ସମ୍ମିଳନୀରେ ବିଜେପିର ମୁଖପାତ୍ର ରମରଞ୍ଜନ ବଳିଆର ସିଂ କହିଛନ୍ତି,"ରାଜ୍ୟ ସରକାର ବିଧି ବ୍ୟବସ୍ଥା କି ଆଇନ କାନୁନ ମାନୁ ନାହାଁନ୍ତି ।  କ୍ୟାବିନେଟରେ ରାଜ୍ୟ ସରକାର ସୁନେଲି ସ୍ୱପ୍ନ ଦେଖେଇଛନ୍ତି । ମିଶନ ଶକ୍ତି, ଜଳ ସେଚନ, ପିଇବା ପାଣି ଯୋଗାଇ ଦେବା ନାଁ ରେ ରାଜ୍ୟବାସୀଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଇଛି । ମାତ୍ର ବାସ୍ତବତା ହେଉଛି ରାଜ୍ୟ ସରକାରଙ୍କ ଲେଖା ଅନୁଦାନ କହୁଛି ଏମାନଙ୍କ ପାଖରେ କୌଣସି ଅର୍ଥ ନାହିଁ । ବଜେଟରେ ଅର୍ଥ ବ୍ୟବସ୍ଥା ନଥିବା ବେଳେ ଯୋଜନା ଘୋଷଣା କରି ସୁନେଲି ସ୍ବପ୍ନ ଦେଖାଉଛନ୍ତି। ସେହିପରି ୩୧୪ ବ୍ଲକରେ ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ କଥା ସରକାର କହୁଥିଲେ।ଏବେ ୧୬୦ ବ୍ଲକରେ କାଗଜ କଲମରେ ଜଳ ସେଚନ ହୋଇଛି। ରାଜ୍ୟ ସରକାର ଜାଣନ୍ତି ସୁନେଲି ସ୍ବପ୍ନ ପାଇଁ ବଜେଟରେ ବ୍ୟବସ୍ଥା ନାହିଁ ତାହା ସତ୍ତ୍ୱେ ଡାହା ମିଛ କହିଛନ୍ତି ସରକାର,"।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି," କିଛି ନିର୍ବାଚନରେ ବିଜେଡିକୁ ମହିଳା ଭୋଟ ଅଧିକରୁ ଅଧିକ ମିଳୁଛି। ତେଣୁ ଅଧିକରୁ ଅଧିକ ମହିଳାଙ୍କ ପାଇଁ ଉତ୍ସାହ ଜନକ କାର୍ଯ୍ୟ କରୁଛନ୍ତି। ପୁର୍ବ ତୁଳନାରେ ରାଜକୋଷର ଆୟ ତିରିଶ ପ୍ରତିଶତ ବୄଦ୍ଧି ପାଇଛି। ରାଜସ୍ବ ବଢ଼ଛି ଅନାୟାସରେ ଟଙ୍କା ବାଣ୍ଟୁଛନ୍ତି। ବେକାରୀ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ କି ବଡ ଶିଳ୍ପ ହେଉନାହିଁ ଜଳ ସେଚନ ଯୋଜନା ହେଉନାହିଁ। ବିଜେଡି ୨୦ ବର୍ଷ ଦେଖିଲାଣି ନିର୍ବାଚନ ପୁର୍ବରୁ କିଛି ବର୍ଗର ଲୋକଙ୍କୁ ତୁଷ୍ଟି କରଣ କରି ରଖୁଛି। ପଇସା ଖର୍ଚ୍ଚ କରି ନିର୍ବାଚନ ଜତୁଛି ବିଜେଡି"।

ଏନେଇ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି,"ନୂତନ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ସେଥିରେ ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି। ୨୦୦୧ ମିଶନ ଶକ୍ତି ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ଆଜି ୭୦ ଲକ୍ଷ୍ୟ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସେମାନେ ଓଡିଶା ବିକାଶରେ ସାମିଲ ହୋଇପାରିଛନ୍ତି। ପଞ୍ଚମ ପାଳି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶା ବିକାଶରେ ମହିଳା ଙ୍କ ଭାଗିଦାରୀ ଗୁରୁତ୍ବପୂର୍ଣ୍ଣ।ପ୍ରଥମ କ୍ୟାବିନେଟ ନିଷ୍ପତ୍ତି ହୋଇଥିଲା ମା ମାନଙ୍କୁ ସରକାରୀ କାମରେ ସାମିଲ କରାଯିବ। ଏହାର ସଫଳ ରୁପାୟନ ହୋଇଛି"।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ  ର ପ୍ରତି ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ଓ ସହରୀ ୱାର୍ଡରେ ରହିବ ମିଶନ ଶକ୍ତି ଗୃହ। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୫୦ ହଜାର କୋଟି ଟଙ୍କାର ଋଣ । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା । ସରକାରଙ୍କ ପକ୍ଷରୁ ୬ ହଜାର ୬ ଶହ କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ । ରାଜ୍ୟର ୫୦୦ଟି ସ୍ଥାନରେ ସ୍ଥାପନ ହେବ ମିଶନ ଶକ୍ତି ବଜାର ଓ ଆଉଟଲେଟ। ଜଳସେଚନ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ଡିପ୍‌ ବୋର୍‌ ୱେଲ୍‌ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି। ୨୬ ଜିଲ୍ଲା ଅନ୍ତର୍ଗତ ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ। ଏଥି ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବ।୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ।୧ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ। ବରଗଡ଼ ମୁଖ୍ୟ କେନାଲର ପୁନଃରୁଦ୍ଧାର ଓ ପୁନର୍ବିନ୍ୟାସ ହେବ। ଏଥି ପାଇଁ ୧୬୦,୩୩,୦୪୬୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଗଂଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରି ଦେଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ୫୭୫୦ ହେକ୍ଟର ଜମି ଜଳସେଚନ ହୋଇପାରିବ।
Published by:Soumya Das
First published: