ବିଧାନ ସଭାରେ ଝଡ଼: ‘ଗଣମାଧ୍ୟମର କଣ୍ଠରୋଧ’ ଅଭିଯୋଗରେ ବାଚ଼ସ୍ପତିଙ୍କ ରୁଲିଂକୁ ଜବରଦସ୍ତ୍ ବିରୋଧ

ବିଧାନ ସଭାରେ ହଟ୍ଟଗୋଳ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହୋଇପାରିବ ନାହିଁ ବୋଲି ବାଚ଼ସ୍ପତି ଦେଇଥିବା ରୁଲିଂକୁ ‘‘ବ୍ରିଟିଶ୍ ରାଜ୍ ମାନସିକତାର ପ୍ରତିଫଳନ’’ ବୋଲି କହିଲେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।

ବିଧାନ ସଭାରେ ଝଡ଼: ‘ଗଣମାଧ୍ୟମର କଣ୍ଠରୋଧ’ ଅଭିଯୋଗରେ ବାଚ଼ସ୍ପତିଙ୍କ ରୁଲିଂକୁ ଜବରଦସ୍ତ୍ ବିରୋଧ
ବିଧାନ ସଭାରେ ବାଚ଼ସ୍ପତିଙ୍କ ରୁଲିଂର ବିରୋଧ ହେଉଛି ।
  • News18 Odia
  • Last Updated: February 15, 2020, 9:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବିଧାନ ସଭାରେ ପ୍ରଶ୍ନକାଳ ସମୟରେ ସଦସ୍ୟଙ୍କ ହଟ୍ଟଗୋଳ ବା ଅସହଯୋଗ ସମ୍ପର୍କିତ କୌଣସି ଖବର ପ୍ରସାରିତ ହୋଇପାରିବ ନାହିଁ ବୋଲି ବାଚ଼ସ୍ପତି ଦେଇଥିବା ରୁଲିଂକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଯୋଗୁଁ ବଜେଟ୍‌ ଅଧିବେଶନର ଦ୍ବିତୀୟ ଦିନରେ ଗୃହ ଅଚ଼ଳ ରହିଲା ।

ପ୍ରଶ୍ନ କାଳ ତ ଧୋଇ ହୋଇଗଲା, ଶୂନ୍ୟ କାଳରେ ବି ଆଦୌ ଚ଼ାଲିପାରିଲା ନାହିଁ ଗୃହ । ଅଚ଼ଳାବସ୍ଥା କାରଣରୁ ରାଜ୍ୟପାଳଙ୍କ ଅଭିଭାଷଣ କିମ୍ବା ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ବି ଆଦୌ ଆରମ୍ଭ ହୋଇପାରିଲା ନାହିଁ ।

ରୁଲିଂ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅଟଳ ଥିବା ବେଳେ ଶାସକ ଦଳ ବିଜେଡିର ଯୁକ୍ତି ଥିଲା ଯେ ଏହା ଗୃହ ପରିଚ଼ାଳନା ନିୟମ ଭିତରେ ଅଛି । ଶେଷରେ ଗୃହ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ବାଧ୍ୟ ହୋଇଥିଲେ ବାଚ଼ସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ବିରୋଧୀ ଦଳର ସଦସ୍ୟମାନେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆରମ୍ଭ କରିଦେଇଥିଲେ ହଟ୍ଟଗୋଳ । ତା’ ସତ୍ୱେ ବାରମ୍ବାର ଗୃହ କାର୍ଯ୍ୟ ଚ଼ଳାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ବାଚସ୍ପତି  ।

‘‘ଏମିତି ରୁଲି୍ଂ ବାଚ଼ସ୍ପତିଙ୍କ ବ୍ରିଟିଶ୍‌ ରାଜ୍‌ ମାନସିକତାର ପ୍ରତିଫଳନ । ଗଣମାଧ୍ୟମର କଣ୍ଠରୋଧ କରିବା ଓ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ଠିକ୍‌ ନୁହେଁ । ବାଚସ୍ପତି ତୁରନ୍ତ ଏହି ରୁଲିଂ ପ୍ରତ୍ୟାହାର କରିବା ଦରକାର । ନହେଲେ ପ୍ରତିବାଦ ଜାରୀ ରହିବ, ଗୃହକୁ ଚଳାଇ ଦିଆଯିବ ନାହିଁ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି: ‘‘ବିଜେପି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରୁଛି । କାରଣ ଏହି ରୁଲିଂ ଜନସ୍ବାର୍ଥ ବିରୋଧୀ । ଗଣମାଧ୍ୟମର କଣ୍ଠରୋଧ କରିବା ଠିକ୍‌ ନୁହେଁ । ’’

ହେଲେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ରୁଲିଂଟି ଗୃହ କାର୍ଯ୍ୟ ପରିଚାଳନାର ନିୟମ ଭିତରେ ଅଛି । ‘‘ରୁଲିଂ ରଖିବା ବାଚ଼ସ୍ପତିଙ୍କର ଦାୟିତ୍ବ । ଗୃହ କାର୍ଯ୍ୟ ଠିକ୍‌ ଭାବେ ଚାଲିଲେ ରାଜ୍ୟବାସୀଙ୍କ ସ୍ବାର୍ଥ ସାଧନ ହେବ । ତେଣୁ ଏହାକୁ ପ୍ରସଙ୍ଗ କରି ବାରମ୍ବାର ବିରୋଧୀ ଗୃହକୁ ଅଚ଼ଳ କରିବାରେ ଯଥାର୍ଥତା ନାହିଁ । ବାଚ଼ସ୍ପତି ରୁଲିଂ କେବଳ ଶୁ୍କ୍ରବାର ପାଇଁ ରଖିଥିଲେ,’’ କହିଛନ୍ତି ମଲ୍ଲିକ ।

ଗୃହ କାର୍ଯ୍ୟକୁ ଗୃହ ସ୍ୱାଭାବିକ କରାଇବା ପାଇଁ ଶେଷରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚ଼ସ୍ପତି । ରାଜ୍ୟ ସରକାର ମଙ୍ଗଳବାର ୨୦୨୦-୨୧ ବର୍ଷ ପାଇଁ ବଜେଟ୍‌ ଆଗତ କରିବାକୁ ଯାଉଥିବାରୁ ତା’ ପୂର୍ବରୁ ଗୃହ ସ୍ବାଭାବିକ କରିବାକୁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚ଼ସ୍ପତି ।
First published: February 15, 2020, 9:00 PM IST
corona virus btn
corona virus btn
Loading