News18 Odia Digital
ଭୁବନେଶ୍ବର: ଆଗକୁ ଅଛି ପଞ୍ଚାୟତ ଓ ପୌର ନିର୍ବାଚନ । ହେଲେ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିର ଖାଲି ହେଉଛି। ଜଣଙ୍କ ପରେ ଜଣେ ନେତା ବିରୋଧୀ ଦଳରୁ ଆସି ବିଜେଡିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ବିଜେପି ଛାଡ଼ି ଥିବା ବରୀ ଅଞ୍ଚଳର ବରିଷ୍ଠ ନେତା ବିଶ୍ୱ ରଞ୍ଜନ ମଲ୍ଲିକ ବିଜେଡିର ସାମିଲ ହୋଇଛନ୍ତି। ପୂର୍ବରୁ କଂଗ୍ରେସର ଦକ୍ଷିଣ ଓଡ଼ିଶାର ନେତାମାନେ ହାତ ଛାଡ଼ି ଶଙ୍ଖ ଧରିଥିବା ବେଳେ ଏବେ ବିଜେପିର ନେତା ପଦ୍ମ ଛାଡ଼ି ବିଜେଡିରେ ଯୋଗ ଦେବା ଆରମ୍ଭ କରିଛନ୍ତି।
ଏହାକୁ ନେଇ ଶାସକ ଦଳ ବେଶ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ବିରୋଧୀ ଶିବିରରେ କିନ୍ତୁ ଭାଲେଣି ପଡ଼ିଛି। ଅନ୍ୟ ଦଳରୁ ନେତା ଆମଦାନୀ କରି ବିଜେଡି ନିଜକୁ ହୃଷ୍ଟପୃଷ୍ଟ କରୁଥିବା ଵେଳେ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛନ୍ତି।
ସମସ୍ତଙ୍କର ପସନ୍ଦର ଦଳ ପାଲଟିଛି ବିଜୁ ଜନତା ଦଳ। ପ୍ରିୟ ନେତା ହେଉଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଏକଥା ଆମେ କହୁନୁ ଦଳ ଛାଡୁଥିବା କଂଗ୍ରେସ ଓ ବିଜେପିର ନେତାମାନେ କହିଛନ୍ତି।

ବିଜେପି ଛାଡ଼ି ଥିବା ବରୀ ଅଞ୍ଚଳର ବରିଷ୍ଠ ନେତା ବିଶ୍ୱ ରଞ୍ଜନ ମଲ୍ଲିକ ବିଜେଡିର ସାମିଲ ହୋଇଛନ୍ତି
ଉଭୟ କଂଗ୍ରେସ ଓ ବିଜେପିର ନେତାମାନେ ଦଳ ଛାଡ଼ି ବିଜେଡିରେ ସାମିଲ ହେବା ଟ୍ରେଣ୍ଡ ଜୋର ଧରିଲାଣି। ଏହି କର୍ମରେ ବିଜେପି ଛାଡ଼ିଥିବା ବରୀର ନେତା ବିଶ୍ୱ ରଞ୍ଜନ ମଲ୍ଲିକ ବିଜେଡିର ଯୋଗ ଦେଇଛନ୍ତି। ତିନୋଟି ସର୍ତ୍ତ ରଖି ବିଜେଡିରରେ ସାମିଲ ହୋଇଛନ୍ତି ବିଶ୍ୱ ରଞ୍ଜନ।
ବରୀରେ ସମସ୍ତ ରାସ୍ତାର ଉନ୍ନତିକରଣ, ବରୀ ମେଡିକାଲର ଉନ୍ନତିକରଣ, ବରୀ କଲେଜର ବିକାଶ ପାଇଁ ସେ ବିଜେଡି ସାମିଲ ହୋଇଛନ୍ତି ବୋଲି କହିଛନ୍ତି। ବିଜେପିରେ ନୂଆ ଓ ପୁରୁଣା ଭେଦଭାବ ପାଇଁ ତାଙ୍କୁ ବିଜେପି ନେତା ୨୦୧୯ରେ ଭୋଟ ନଦେବା, କେନ୍ଦ୍ରରେ ବିଜେପି ସରକାର ଥିବା ସତ୍ତ୍ବେ ବରୀରେ ବିକାଶ ହୋଇପାରିବା ନଥିବା ଭଳି କାରଣ ଦର୍ଶାଇ ଦଳ ଛାଡ଼ି ଥିବା ବିଶ୍ବ କହିଛନ୍ତି।
ସେପଟେ ଜଣଙ୍କ ପରେ ଜଣେ ଟାଣୁଆ ନେତା ବିଜେଡିରେ ମିଶିବା ପରେ ବେଶ ଉତ୍ସାହିତ ଶାସକ ଦଳ। ନବୀନଙ୍କ ସ୍ୱଚ୍ଛ ଶାସନ ଓ ଲୋକପ୍ରୟତା ଆଧାରରେ ବିଜେଡି ପ୍ରତି ସମସ୍ତେ ଆଗ୍ରହ ପ୍ରକାଶ କରୁଥିବା କହିଛି ଶାସକ ଦଳ।
ଶାସକ ଦଳରେ ବିରୋଧୀ ନେତାଙ୍କର ମିଶ୍ରଣ ଟ୍ରେଣ୍ଡକୁ ବିରୋଧୀ ଗ୍ରହଣ କରି ପାରିନାହାଁନ୍ତି। ଉଭୟ କଂଗ୍ରେସ ଓ ବିଜେପି ଏ ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷିଛନ୍ତି। ବିଜେପିରୁ ବିଶ୍ୱ ମଲ୍ଲିକଙ୍କ କ'ଣ ପାଇଥିଲେ ସେ କ'ଣ ଜାଣିନାହାଁନ୍ତି ବୋଲି ପ୍ରଶ୍ନ କରିଛି ବିଜେପି।
ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ପାର୍ଟରେ ଗୁରୁତ୍ୱ ବଢ଼ିଲା ପରେ ଅନ୍ୟ ଦଳ ସହ ଯେଉଁ ମାନେ ବାର୍ଗିନିଂ କରି ଯାଆନ୍ତି ସେମାନଙ୍କ ଲମ୍ବା ରାଜନୈତିକ କ୍ୟାରିୟରରେ ଚାଲିବା ଅଭ୍ୟାସ ନାହିଁ। ସେମାନଙ୍କୁ କ୍ଷଣିକ ସୁଖ ମିଳିପାରେ କିନ୍ତୁ ଲମ୍ବା ରେସର ଯାତ୍ରୀ ହୋଇପାରନ୍ତିନି । ଲୋକେ ସେମାନଙ୍କ ଜବାବ ଦେବେ।’’
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ବିରୋଧୀ ଶିବିରରୁ ନେତାଙ୍କୁ ନେଇ ବିଜେଡି ନିଜ ଦଳରେ ମିଶାଇବାର ପରିଣାମ ଉଭୟ ବିଜେଡି ଓ ସମ୍ପୃକ୍ତ ନେତା ଭୋଗିବେ ।
ଆସନ୍ତା ମାସ ୬ ତାରିଖରେ ପ୍ରଦୀପ ମାଝୀ ବିଜେଡିର ଯୋଗ ଦେବାକୁ ଥିବାବେଳେ ଆଗକୁ ମଧ୍ୟ ବହୁ ପ୍ରଭାବଶାଳୀ ନେତା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ସେପଟେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳ ଡିଆଁ ପର୍ବ ବ୍ୟାପକ ହେବ ବୋଲି ଚର୍ଚା ଜୋର ଧରିଛି।