ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ₹୫୪୫ କୋଟି ଫେରିବ ତ? ସରକାରଙ୍କୁ ଘେରିଲେ ବିରୋଧୀ

ତିରୁପତି ମନ୍ଦିର ପ୍ରଶାସନ ଠିକଣା ସମୟରେ ୧,୩୦୦ କୋଟି ଟଙ୍କା ୟେସ୍ ବ୍ୟାଙ୍କରୁ ଫେରସ୍ତ ନେଇପାରିଥିବା ବେଳେ ଓଡ଼ିଶା ସରକାର କାହିଁକି ଚୁପ୍‌ ରହିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଓ କଂଗ୍ରେସ । ସରକାର କହୁଛନ୍ତି ଟଙ୍କା ଫେରାଇ ଆଣିବାକୁ ଉଦ୍ୟମ ଚ଼ାଲିଛି ।

ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ₹୫୪୫ କୋଟି ଫେରିବ ତ? ସରକାରଙ୍କୁ ଘେରିଲେ ବିରୋଧୀ
ୟେସ୍‌ ବ୍ୟାଙ୍କର ଏକ ଶାଖା ଓ (ଡାହାଣ) ମହାପ୍ରଭୁ ଜଗନ୍ନାଥ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ୟେସ୍‌ ବ୍ୟାଙ୍କ୍‌ ସଙ୍କଟରେ ପଡ଼ିଛି ବୋଲି ଜଣା ପଡ଼ିବା ପରେ ସେଠାରେ ଜମା ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାକୁ ନେଇ ଓଡ଼ିଶାର ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ସମୟ । ଏହା ଭ୍ରଷ୍ଟାଚାର ଆଡ଼କୁ ଇଙ୍ଗିତ କରୁଥିବା ଅଭିଯୋଗ କରି ସରକାରଙ୍କ ଠାରୁ ଶ୍ବେତପତ୍ର ଦାବି କରିଛି ବିଜେପି । ଏଥିରେ ସ୍ବର ମିଳାଇବା ସହ କେଉଁ ପରିସ୍ଥିତିରେ ଟଙ୍କା ଜମା ହେଲା ତା’ର ତଦନ୍ତ ହେଉ ବୋଲି କହିଛି କଂଗ୍ରେସ ।

ଦେଶର ଚତୁର୍ଥ ବୃହତ ଘରୋଇ ବ୍ୟାଙ୍କ ତାଲିକାରେ ଥିବା ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରଭୁ ଜଗନ୍ନାଥଙ୍କର ଏତେ ଟଙ୍କା ସୁରକ୍ଷିତ  କି ନାଁ ସେ ବିଷୟରେ ସନ୍ଦେହଥିବା ବେଳେ ଏହି ଅର୍ଥ ଫେରସ୍ତ ପାଇଁ ଉଦ୍ୟମ ଚାଲିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଘରୋଇ ବ୍ୟାଙ୍କରେ ଅର୍ଥ ରଖିବା ପାଇଁ କାହାକୁ ଅନୁମତି ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥ ସଚିବ ଅଶୋକ ମୀନା ।

ରାଜ୍ୟ ବିଜେପିର ନେତାମାନେ ଏକ ଘରୋଇ ବ୍ୟାଙ୍କରେ ଏତେ ପରିମାଣର ଟଙ୍କା କାହିଁକି ଓ କାହା ଭରସାରେ ଜମା କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ‘‘ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (SLBC)ର ଅନୁମୋଦନ ତାଲିକାରେ ଏହି ବ୍ୟାଙ୍କ ନ ଥିବା ବେଳେ ଶହ ଶହ କୋଟି ଟଙ୍କା କେଉଁ ପରିସ୍ଥିତିରେ ଜମା କରାଗଲା? ଏହା ବଡ଼ ଭ୍ରଷ୍ଟାଚାରକୁ ଇଙ୍ଗିତ କରୁଛି । ଏନେଇ ସରକାର ତୁରନ୍ତ ଏକ ଶ୍ବେତପତ୍ର ଜାରି କରିବା ଉଚ଼ିତ ଓ ଟଙ୍କା ଫେରସ୍ତ ଲାଗି ଉଦ୍ୟମ କରିବା ଦରକାର,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

‘‘ଘରୋଇ ବ୍ୟାଙ୍କରେ ସରକାରୀ ଟଙ୍କା ନ ରଖିବାକୁ ଆଇନ୍‌ ଅଛି । ତାହା ସତ୍ୱେ କେଉଁ ପରିପ୍ରେକ୍ଷୀରେ ରଖାଗଲା ତା’ର ତଦନ୍ତ ହେବା ଉଚ଼ିତ । ତିରୁପତି ମନ୍ଦିର ପ୍ରଶାସନ ଠିକଣା ସମୟରେ ୧,୩୦୦ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରୁ ଫେରସ୍ତ ନେଇପାରିଥିବା ବେଳେ ରାଜ୍ୟ ସରକାର କାହିଁକି ଚୁପ୍‌ ରହିଲେ? ଏ ସବୁ ବିଷୟର ତଦନ୍ତ ହେବା ଉଚ଼ିତ,’’ କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ବିରୋଧୀଙ୍କ ଅଭିଯୋଗକୁ ଅମୂଳକ ବୋଲି କହିଛନ୍ତି ରାଜ୍ୟ ସରକାର । ମହାପ୍ରଭୁଙ୍କ ଅର୍ଥ ସୁରକ୍ଷିତ ଅଛି ଓ ୟେସ୍‌ ବ୍ୟାଙ୍କରୁ ଫେରସ୍ତ ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ।

‘‘ରିଜର୍ଭ ବ୍ୟାଙ୍କରୁ ଲାଇସେନ୍ସ ନେଇ ଏହି (ଘରୋଇ) ବ୍ୟାଙ୍କଗୁଡ଼ିକ କାର୍ଯ୍ୟ କରନ୍ତି । ଏବେ ଯେହେତୁ ରିଜର୍ଭ୍‌ ବ୍ୟାଙ୍କ ଏହି ମାମଲାରେ ହସ୍ତକ୍ଷେପ କଲେଣି, ତେଣୁ ଚ଼ିନ୍ତାର କାରଣ ନାହିଁ । ତା’ଛଡ଼ା ରାଜ୍ୟର ମୁଖ୍ୟ ଶାସନ ସଚ଼ିବ ବି ଏନେଇ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଛନ୍ତି । ତେଣୁ ଅର୍ଥ ବୁଡ଼ିବାର ସମ୍ଭାବନା ନାହିଁ,’’ କହିଛନ୍ତି ପଣ୍ଡା ।

ରାଜ୍ୟର ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି: ’’ଯିଏ ବି ବିଭାଗ ଘରୋଇ ବ୍ୟାଙ୍କରେ ଅର୍ଥ ରଖିଛନ୍ତି, ସେମାନେ ନିଜ ଦାୟିତ୍ୱରେ ଏହା କରିଛନ୍ତି । ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଅର୍ଥ ଜମା ରଖିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ ।’’

ବଡ଼ ପରମାଣର ଅନାଦେୟ ଋଣକୁ ନେଇ ୟେସ୍‌ ବ୍ୟାଙ୍କର ସ୍ଥିତି ଖରାପ ହୋଇଯାଇଛି । ଦୁର୍ନୀତି ଅଭିଯୋଗରେ ବ୍ୟାଙ୍କର ପ୍ରତିଷ୍ଠାତା ଗିରଫ ହୋଇଥିବା ବେଳେ ପରିଚାଳନା କମିଟି ମଧ୍ୟ ଭାଙ୍ଗି ଦିଆଯାଇଛି । ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଫେରସ୍ତ ପାଇବା ପାଇଁ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।
First published: March 8, 2020, 9:47 PM IST