News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ତରଫରୁ ଆରମ୍ଭ କରାଯାଇଛି “Operation White Spider”। ଏହି ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ୬ଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରିଥିଲା।
ଏହି ଚଢ଼ାଉ ସମୟରେ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି। କ୍ୟାପିଟାଲ ଥାନା, ଇନଫୋଭ୍ୟାଲି ଥାନା, ନୟାପଲ୍ଲି ଥାନା, ଭରତପୁର ଥାନା, ଧଉଳି ଥାନା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ନିଶା କାରାବରକୁ ନେଇ ପୋଲିସ ଚଢ଼ାଉ କରିଥିଲା।
ଏହି ଚଢ଼ାଉ ସମୟରେ କ୍ୟାପିଟାଲ ଥାନା ପୋଲିସ କେଦାରପଲ୍ଲୀ ବସ୍ତିରେ ଚଢ଼ାଉ କରି ୨ଜଣ ଅଭିଯୁକ୍ତ ଦୀଲୁ ନାୟକ ଓ ଅମର ବେହେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ଠାରୁ ମୋଟ ୧୩.୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।
ସେହିପରି ଇନଫୋଭ୍ୟାଲି ଥାନା ଗଙ୍ଗପଡା ଟୋଲ ଗେଟ ନିକଟରେ ଚଢ଼ାଉ କରି ଦୀପକ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ତା'ପାଖରୁ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ନୟାପଲ୍ଲି ଥାନା ପୋଲିସ XIMB କଲେଜ ଛକରେ ଚଢ଼ାଉ କରି ଚନ୍ଦୁ ଓରଫ ଚନ୍ଦ୍ରମୋହନ ସିଂ ଓ ଅତୁଲ୍ୟ ରଞ୍ଜନ ନାଏକଙ୍କୁ ଗିରଫ କରି ସେମାନକ ନିକଟରୁ ମୋଟ ୭.୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ।
ଏହି କ୍ରମରେ ଭରତପୁର ଥାନା ପୋଲିସ ତପବନ ରୋଡ଼ରେ ଚଢ଼ାଉ କରି ଅଭିଯୁକ୍ତ ଏ କାଳିଆ ଡୋରା ଓ ତାପସ ଜାଇଙ୍କ ଠାରୁ ୨୧ ଗ୍ରାମ ବ୍ରାଉନସୁଗାର ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ସେହିପରି ଗଞ୍ଜେଇ ମାମଲାରେ ଧଉଳି ଥାନା ପୋଲିସ ଧଉଳି ପାହାଡ ପଛପଟେ ଚଢ଼ାଉ କରି କାଶୀନାଥ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତା ପାଖରୁ ୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ମଧ୍ୟ ବିଲାସିନୀ ମଣ୍ଡପ ନିକଟରେ ଚଢ଼ାଉ କରି କାହ୍ନା ନାଏକ , ପଦ୍ମଲୋଚନ ବେହେରା ଓ ଅମିୟ ଦାସଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ମୋଟ ୩ କେଜି ୫୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି।
ସୂଚନଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ “Operation White Spider" ଅଭିଯାନ ଜରିଆରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ନିଶା କାରବାର କରୁଥିବା ମୋଟ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ମୋଟ ୫୭ ଗ୍ରାମ ଓଜନର ଧଳା ଜହର ଜବତ କରିପାରିଛି।
ସେହିପରି ବେଆଇନ ଗଞ୍ଜେଇ ବିକ୍ରି ଆଡ୍ଡା ଉପରେ ଚଢ଼ାଉ କରି ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୪ କେଜି ୭୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇପାରିଛନ୍ତି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।