ସଫଳ ହେଲା ଅପରେସନ ଅଜଗର; ଏକ ମାସ ଚିକିତ୍ସା ପରେ ସାପର ମୁହଁରୁ ଖୋଲାଗଲା ସିଲେଇ

ସଫଳ ହେଲା ଅପରେସନ ଅଜଗର । ୩୦ ଦିନର ଚିକିତ୍ସା ପରେ ସାପର ମୁହଁରୁ ଖୋଲାଗଲା ସିଲେଇ । ବନବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ ଓ ସ୍ନେକ ହେଲପ ଲାଇନର ସଦସ୍ୟ ଯୋଗୁଁ ସାପ ପାଇଲା ନୂଆ ଜୀବନ ।

ସଫଳ ହେଲା ଅପରେସନ ଅଜଗର; ଏକ ମାସ ଚିକିତ୍ସା ପରେ ସାପର ମୁହଁରୁ ଖୋଲାଗଲା ସିଲେଇ

ସଫଳ ହେଲା ଅପରେସନ ଅଜଗର; ଏକ ମାସ ଚିକିତ୍ସା ପରେ ସାପର ମୁହଁରୁ ଖୋଲାଗଲା ସିଲେଇ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ସଫଳ ହେଲା ଅପରେସନ ଅଜଗର । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଗର ସାପ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଅପରେସନ ହେବାର ୩୦ ଦିନ ପରେ ତାର ମୁହଁରୁ ଖୋଲାଯାଇଛି ସିଲେଇ । ଏବେ ସାପଟି ସମସ୍ତ ପ୍ରକାରର ଖାଦ୍ୟ ଗ୍ରହଣ କରିପାରୁଛି । ଏହା ସମ୍ଭବପର ହୋଇପାରିଛି କେବଳ ବନବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ ଓ ସ୍ନେକ ହେଲପ୍‌ ଲାଇନର ସଦସ୍ୟମାନଙ୍କ ପାଇଁ । ଗତ ଅକ୍ଟୋବର ମାସ ୧୧ ତାରିଖରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଗର ସାପଟି ନୂଆ ଜୀବନ ପାଇଛି । ୩୦ ଦିନ ହେଲା ବ୍ରହ୍ମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଗୃହରେ ସାପଟିକୁ ରଖି ଚିକିତ୍ସା କରାଯାଇଥିଲା ।

ନୂଆ ଜୀବନ ପାଇଲା ଅଜଗର ସାପ । ସାପଟି ବର୍ତ୍ତମାନ ବିଭିନ୍ନ ଖାଦ୍ୟ ଖାଉଥିବା ବେଳେ ଖୁବଶୀଘ୍ର ସଂରକ୍ଷିତ ଜଙ୍ଗଲକୁ ଚାଲିଯିବ । ଯେଉଁଥିପାଇଁ ବେଶ ଖୁସି ଅଛି ସାପଟି  । ସାପର ଖୁସି ଯଦିଓ ସାଧାରଣ ଲୋକେ ଜାଣିବା ମୁସ୍କିଲ ତଥାପି ମଧ୍ୟ ସାପର ଆଚରଣକୁ ଦେଖି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଗତ ଅକ୍ଟୋବର ମାସ ୧୧ ତାରିଖରେ ଓଡ଼ିଶା ସୀମାନ୍ତ ଆର.ସୁମାଣ୍ଡି ଗାଁର ରାସ୍ତାକଡ଼ରେ ଅଜଗର ସାପଟି ଗୁରୁତର ଅବସ୍ଥାରେ ପଡ଼ିଥିବା ନେଇ ବ୍ରହ୍ମପୁର ବନବିଭାଗ ପାଖରେ ଖବର ପହଞ୍ଚିଥିଲା । ଏନେଇ ବ୍ରହ୍ମପୁର ବନାଞ୍ଚଳ ବିଭାଗର କର୍ମଚାରୀ ଓ ସ୍ନେକ ହେଲପ ଲାଇନର ସଦସ୍ୟମାନେ ସାପଟିକୁ ଉଦ୍ଧାର କରିବା ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କରିବା ସମୟରେ ସାପଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସାପଟିକୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ଆରମ୍ଭ ହୋଇଥିଲା ଅପରେସନ । ସାପଟିକୁ ଆଣି ବ୍ରହ୍ମପୁର ବନାଞ୍ଚଳରେ ରଖାଯାଇଥିଲା । ଏହାସହିତ ଦୀର୍ଘ ୩୦ ଦିନ ହେଲା ସାପଟିର ସମ୍ପୂର୍ଣ୍ଣ ରୂପେ ଯତ୍ନ ନିଆଯାଇଥିଲା ।

‘‘ଅପରେସନ ହେବାର ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ କୌଣସି ଆହାର ଗ୍ରହଣ କରିନଥିଲା ସାପଟି । କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଖାଦ୍ୟ ଦିଆଯାଇଥିଲା ତାହାକୁ ସେ ଗ୍ରହଣ କରିଥିଲା । ଅପରେସନର ହେବାର ୩୦ ଦିନ ପରେ ସାପଟିକୁ ବନାଞ୍ଚଳ କାର୍ଯ୍ୟାଳୟରୁ ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ସାପଟିର ପାଟିରେ କରାଯାଇଥିବା ସିଲେଇକୁ ଖୋଲି ଦିଆଯାଇଥିଲା । ଯାହାଫଳରେ ବର୍ତ୍ତମାନ ସାପଟି ସୁସ୍ଥ ହୋଇଯାଇଛି । ସାପଟି ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ଆକ୍ଟିଭ ରହିଛି  । ସାପଟି ନିଜର ଶରୀର ସହିତ ନିଜ ମୁହଁକୁ ମଧ୍ୟ ଚଳପ୍ରଚଳ କରିପାରୁଛି । ଦୀର୍ଘ ୩୦ ଦିନର ଚିକିତ୍ସା ପରେ ସାପଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ସହିତ ଉଦ୍ଧାର କରି ଚିକିତ୍ସା କରାଯିବା ନେଇ ଯେଉଁ ସବୁ ପରିଶ୍ରମ ହୋଇଥିଲା ତାହା ସଫଳ ହୋଇଛି ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବନାଞ୍ଚଳର ଫରେଷ୍ଟର ବାବୁ ସେଠୀ ।

ଉଦ୍ଧାର କରିବା ପରେ ସାପଟିକୁ ଯେତେବେଳେ ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା ସେତେବେଳେ ସାପଟିର ଅବସ୍ଥା ଗୁରୁତର ଥିଲା । ତାର ପାଟି ଆଦୌ ଖୋଲିପାରୁନଥିଲା । କାରଣ ସାପଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସାପଟିର ପାଟିର ଉପର ଭାଗରେ ଗଭୀର କ୍ଷତ ହେବାସହିତ କିଛି ଦାନ୍ତ ମଧ୍ୟ ଭଗ୍ନ ଅବସ୍ଥାରେ ରହିଥିଲା । ପ୍ରଥମେ ସାପଟିର ଯେଉଁ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା ସେଠାରେ ସିଲେଇ କରାଯାଇଥିଲା । ଏହାପରେ ମୁହଁରେ ଲାଗିଥିବା ଗଭୀର ଆଘାତ ପାଇଁ ଅପରେସନ ମଧ୍ୟ ହୋଇଥିଲା । ଦୀର୍ଘ ୧ ଘଣ୍ଟା ଧରି ଚାଲିଥିଲା ସାପର ଅପରେସନ । ‘‘ବର୍ତ୍ତମାନ ଅପରେସନ କରାଯାଇଥିବା ପାଟିର ଅନେକ ଅଂଶ ଶୁଖିଯାଇଛି । ଯାହାଫଳରେ ସାପର ପାଟିରେ ରହିଥିବା ସିଲେଇକୁ ବାହାର କରିଦିଆଯାଇଛି । ବର୍ତ୍ତମାନ ସାପଟି ତାହାର ଖାଦ୍ୟ ସାମଗ୍ରୀ ଖାଇପାରୁଛି । ଏହାସହିତ ମୁହଁକୁ ମଧ୍ୟ ଚଳପ୍ରଚଳ କରିପାରୁଛି । ବର୍ତ୍ତମାନ ସାପଟିକୁ ଖାଦ୍ୟ ଦିଆଗଲେ ତାହାକୁ ସେ ଖାଉଥିବା ବେଳେ ଆଉ କିଛି ଦିନ ପରେ ନିଜ ଖାଦ୍ୟ ନିଜେ ସଂଗ୍ରହ କରିବାରେ ମଧ୍ୟ ସଫଳ ହୋଇପାରିବ ବୋଲି କହିଛନ୍ତି,‘‘ ପ୍ରାଣୀ ଚିକିତ୍ସକ ଡ଼ା.କିରଣ କୁମାର ବିଷୋୟୀ ।

‘‘ସାପଟିକୁ ଉଦ୍ଧାର କରାଯିବା ସମୟରେ ସାପଟି କୋମା ଅବସ୍ଥାରେ ରହିଥିଲା । ସାପଟି ପୁଣି ଥରେ ସୁସ୍ଥ ହେବ କି ନାହିଁ ତାହା କହିବା ମୁସ୍କିଲ ରହିଥିଲା । ତଥାପି ମଧ୍ୟ ନିରନ୍ତର ଭାବେ ବନବିଭାଗ, ପ୍ରାଣୀ ଚିକିତ୍ସା ଓ ସ୍ନେକ ହେଲପ ଲାଇନର ସଦସ୍ୟ ମାନଙ୍କର ଉଦ୍ୟମ ଯୋଗୁଁ ସାପଟି ନୂଆ ଜୀବନ ପାଇଛି । ଅପରେସନ ହେବାର ୨୦ ଦିନ ପର୍ଯ୍ୟନ୍ତ ସାପଟିକୁ ଖାଦ୍ୟ ଦିଆଯାଇନଥିଲା । କିନ୍ତୁ ବର୍ତ୍ତମାନ ସାପଟି ଚିକେନ୍‌ ଖାଉଛି । ଆଉ କିଛି ଦିନ ଧରି ଅବଜରବେସରେ ରଖାଯିବା ପରେ ସାପଟିକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି,‘‘ ସ୍ନେକ ହେଲପ ଲାଇନର ସଦସ୍ୟ ସ୍ୱାଧିନ କୁମାର ସାହୁ । ବନବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ ଓ ସ୍ନେକ ହେଲପ ଲାଇନର ସଦସ୍ୟମାନଙ୍କର ୩୦ ଦିନର ନିଷ୍ଠାପର ସେବା ଦ୍ୱାରା ଅଜଗର ସାପଟି ନୂଆ ଜୀବନ ପାଇଛି । ଉଭୟ ବିଭାଗ ସହ ସ୍ନେକ ହେଲପ ଲାଇନର ସଦସ୍ୟର ଏଭଳି ଉଦ୍ୟମକୁ ମିଳୁଛି ସବୁଠି ଭୂୟସୀ ପ୍ରଶଂସା ।
Published by:Soubhagya Mishra
First published: