News18 Odia Digital
କଟକ: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା ପାଇଁ ମଙ୍ଗଳବାର କଟକ ରେଳ ଷ୍ଟେସନରେ ଏସ.ଓ.ଜି. କମାଣ୍ଡୋ, ଆର.ପି.ଏଫ. ଓ କଟକ ପୋଲିସର ଏକ ମକଡ୍ରିଲ୍ କରାଯାଇଥିଲା । ସତ ଘଟଣା ଭଳି ଲାଗୁଥିବା ଏହି ମୁକାବିଲାର ନାମା ଅରରେସନ୍ 'ବାରବାଟୀ' ରଖାଯାଇଥିଲା।
ଆସନ୍ତୁ ଜାଣିବା କିଭଳି ଥିଲା ଏହି ଅପରେସନ। ସମୟ ଅପରାହ୍ନ ସାଢ଼େ ୧ । କଟକ ରେଳ ଷ୍ଟେସନରେ ହେଲା ଆତଙ୍କବାଦୀ ହାମଲା । ପ୍ଲାଟଫର୍ମ ନମ୍ବର ୪ ଓ ୫ରେ ହୋଇଥିଲା ବଡ଼ ଧରଣର ବିସ୍ପୋରଣ । ଆତଙ୍କୀମାନେ ଗୁଳି ଫୁଟାଇ ସେଠାରେ ଥିବା ଟ୍ରେନକୁ କବଜା କରିନେଲେ । ହଠାତ୍ ହାମଲା ଫଳରେ ଅନେକ ଯାତ୍ରୀଙ୍କ ସମେତ ରେଳ ବିଭାଗ କର୍ମଚାରୀ ହେଲେ ଆହତ। ତୁରନ୍ତ ଉଦ୍ଧାର ଓ ରେସକ୍ୟୁ ପାଇଁ ଅପରେସନ ଆରମ୍ଭ କରିଦେଲେ ଏସ.ଓ.ଜି. କମାଣ୍ଡୋଙ୍କ ସମେତ ଆର.ପି.ଏଫ.ଓ. ପୋଲିସର ମିଳିତ ଟିମ।
ବୋମା ନିଷ୍କ୍ରିୟକାରୀ ଟିମ, ଡଗ ସ୍କୁଆଡ଼, ଡାକ୍ତରୀ ଦଳଙ୍କ ସହ ବରିଷ୍ଠ ଅଧିକାରୀ ମଧ୍ୟ ପହଞ୍ଚିଥିଲେ ଘଟଣା ସ୍ଥଳରେ । ଜଣ ଜଣ କରି ଆତଙ୍କବାଦୀଙ୍କୁ ମିଳିତ ଟିମ ନିଜ ଅକ୍ତିଆରକୁ ନେଇ ରେଳ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସବୁ କିଛି ସତ ଭଳି ଲାଗୁଥିଲା । ହେଲେ ଏହା ଥିଲା ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଏକ ମକଡ୍ରିଲ୍।

ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ପାଇଁ ହେଲା ଅପରେସନ୍ ବାରବାଟୀ
ଭବିଷ୍ୟତରେ ଯଦି କେବେ ଏଭଳି ଘଟଣା ଘଟେ ତାହାର ମୁକାବିଲା କିପରି କରାଯାଇପାରିବ, ଆଉ ସଙ୍ଗେ ସଙ୍ଗେ ଅପରେସନ୍ ଟିମ ଏହାର ମୁକାବିଲା କରିପାରିବ ସେଥିପାଇଁ ଏଭଳି ମକଡ୍ରିଲ ଆୟୋଜନ କରାଯାଇଥିବା କହିଛନ୍ତି କଟକ ଡି.ସି.ପି. ପ୍ରତୀକ ସିଂ ।
ଅପରେସନ ବାରବାଟୀ ନାମରେ ଏହି ଆତଙ୍କୀ ହାମଲା ମୁକାବିଲା କରୁଥିଲେ ଯବାନ । ଅଚାନକ ଏଭଳି ମକଡ୍ରିଲ ଚାଲିଥିବା ବେଳେ ଷ୍ଟେସନର ଯାତ୍ରୀମାନେ କିଛି ଜାଣି ପାରିନଥିଲେ। କ'ଣ ହେଉଛି ଭାବି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ତେବେ ଘଟଣା ସମ୍ପର୍କରେ ଜାଣିଲା ପରେ ଏଭଳି ମକଡ୍ରିଲ ହେବାର ଆବଶ୍ୟକତା ଥିବା କହିଛନ୍ତି ଜଣେ ରେଳଯାତ୍ରୀ ଆଶୁତୋଷ ପଟ୍ଟନାୟକ।
୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନଥିବା ବେଳେ ଆତଙ୍କୀ ରେଲୱେ ଷ୍ଟେସନ ଠାରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟାଇଥିଲେ ଆତଙ୍କ । ଏପରିକି ଅନେକ ସମୟରେ ଆତଙ୍କବାଦୀମାନେ ରେଲୱେ ଷ୍ଟେସନ ,ବିମାନବନ୍ଦର ଭଳି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିଥାନ୍ତି। ଏଣୁ ଖାଲି କଟକରେ ନୁହେଁ ବରଂ ସବୁ ସ୍ଥାନରେ ଏଭଳି ସଚେତନତା ସୃଷ୍ଟି କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିବା ସହ ଯଦି କେବେ ଆକ୍ରମଣ ହୁଏ ସେ ନେଇ ସତର୍କ ରହିପାରିବେ ବୋଲି ଅନ୍ୟ ଜଣେ ରେଳ ଯାତ୍ରୀ ଅମୃତି ସାହୁ କହିଥିଲେ।

ସତ ଘଟଣା ଭଳି ଲାଗୁଥିବା ଏହି ମୁକାବିଲାର ନାମା ଅରରେସନ୍ 'ବାରବାଟୀ' ରଖାଯାଇଥିଲା
ମଙ୍ଗଳବାର ହୋଇଥିବା ମକଡ୍ରିଲ ଖାଲି ଯାତ୍ରୀ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା ବରଂ ଅପରେସନ ରେ ସାମିଲ ହୋଇଥିବା ସୁରକ୍ଷା କର୍ମଚରୀ ଙ୍କ ମନୋବଳକୁ ଆହୁରି ସୁଦୃଢ କରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।