ଜୁଲାଇ ୩୧ ସୁଦ୍ଧା ଝିଅ ନାଁରେ ଖାତା ଖୋଲନ୍ତୁ; ସେ ୨୧ ବର୍ଷର ହେଲେ ୬୪ ଲକ୍ଷ ଟଙ୍କା ଆକାଉଣ୍ଟରେ ଥିବ

ଏହି ସରକାରୀ ଯୋଜନାରେ ନିବେଶ କରି ଆପଣ ନିଜ ଝିଅର ଉଚ୍ଚ ଶିକ୍ଷା ଓ ବିବାହ ଖର୍ଚ୍ଚକୁ ସହଜରେ ପୂରଣ କରିପାରିବେ । ଏହି ସ୍କିମ୍ ଅଧୀନରେ ଆପଣଙ୍କ ଝିଅକୁ ୨୧ ବର୍ଷ ପୂରଣ ହେବା ପରେ ରିଟର୍ଣ୍ଣ ମିଳିବ । ଜାଣନ୍ତୁ ଏହି ସ୍କିମ୍‌ ବିଷୟରେ ।

ଝିଅକୁ ୨୧ ବର୍ଷ ହେଲା ବେଳକୁ ଆଣଙ୍କ ଆକାଉଣ୍ଟରେ ୬୪ ଲକ୍ଷ ଟଙ୍କା ଥିବ ।

ଝିଅକୁ ୨୧ ବର୍ଷ ହେଲା ବେଳକୁ ଆଣଙ୍କ ଆକାଉଣ୍ଟରେ ୬୪ ଲକ୍ଷ ଟଙ୍କା ଥିବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜିର ମହଙ୍ଗା ଯୁଗରେ ଝିଅମାନଙ୍କ ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବା ପିତାମାତାଙ୍କର ସବୁ ଠାରୁ ବଡ଼ ଦାୟିତ୍ୱରୁ ଗୋଟିଏ । ନିଜର ଆର୍ଥିକ ସୁରକ୍ଷା (financial security) ସହିତ ନିଜ ଝିଅର ଭବିଷ୍ୟତ ସୁରକ୍ଷିତ କରିବା ବି ଅତି ଗୁରୁତ୍ୱପୂର୍ଣ୍ଣ । ଝିଅର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା (Sukanya Samriddhi Scheme 2020) ବହୁତ ଲାଭଦାୟକ ।

ସୁକନ୍ୟା ସମୃଦ୍ଧି ଯୋଜନାରେ ବିନିଯୋଗ କରି ଆପଣ ଆପଣଙ୍କ ଝିଅର ଉଚ୍ଚ ଶିକ୍ଷା ଓ ବିବାହ ଖର୍ଚ୍ଚକୁ ସହଜରେ ପୂରଣ କରିପାରିବେ । ଏହି ସ୍କିମ୍ ଅଧୀନରେ ଝିଅକୁ ୨୧ ବର୍ଷ ପୂରଣ ହେବା ପରେ ରିଟର୍ଣ୍ଣ ମିଳେ । ଯଦି ଆପଣ ନିଜ ଝିଅର ଅଳ୍ପ ବୟସରେ ଏହି ଯୋଜନାରେ ବିନିଯୋଗ ଆରମ୍ଭ କରନ୍ତି, ତାହେଲେ ଆପଣ ଏହି ଯୋଜନାରେ ୧୫ ବର୍ଷ ପାଇଁ ବିନିଯୋଗ କରିପାରିବ । ଆସନ୍ତୁ ଜାଣିବା ଆପଣ କିପରି ନିଜ ଝିଅ ପାଇଁ ୬୪ ଲକ୍ଷ ଟଙ୍କା ଜମା କରିପାରିବେ ।

ନୂଆ ଖାତା ଖୋଲିବା ପାଇଁ ସରକାର ରିହାତି ଦେଉଛନ୍ତି

ସୁକନ୍ୟା ସମୃଦ୍ଧି ଖାତା ଖୋଲିବା ପାଇଁ ଯୋଗ୍ୟତା ମାନଦଣ୍ଡରେ ସରକାର କିଛି ସୁବିଧା ଘୋଷଣା କରିଛନ୍ତି । ନୂଆ ଡାକ ଘର (Post Office) ନିର୍ଦ୍ଦେଶାବଳୀ ଅନୁଯାୟୀ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଜୁଲାଇ ୩୧, ୨୦୨୦ ଦିନ ବା ତା’ ପୂର୍ବରୁ ସେହି ଝିଅମାନଙ୍କ ନାମରେ ଖୋଲାଯାଇପାରିବ ଯାହାଙ୍କ ବୟସ ମାର୍ଚ୍ଚ ୨୫, ୨୦୨୦ରୁ ଜୁନ୍ ୩୦ ୨୦୨୦ ଅବଧି ମଧ୍ୟରେ ୧୦ ବର୍ଷ ପୂରା ହୋଇଯାଇଥିବ । ଏହି ସୁବିଧା ଦ୍ୱାରା ସେହି ମାଆବାପାଙ୍କୁ ଲାଭ ମିଳିବ ଯେଉଁମାନେ ଲକଡାଉନ୍ କାରଣରୁ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିପାରି ନାହାନ୍ତି । ନହେଲେ ନିୟମ ମୁତାବକ ସୁକନ୍ୟା ସମୃଦ୍ଧି ଖାତା ଝିଅର ଜନ୍ମ ଦିନ ଠାରୁ ୧୦ ବର୍ଷ ବୟସ ମଧ୍ୟରେ ହିଁ ଖୋଲାଯାଇପାରିବ ।

ଗୋଟିଏ ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ହେଉଛି ୨୫୦ ଟଙ୍କା ।


ସୁକନ୍ୟା ମୃଦ୍ଧି ଆକାଉଣ୍ଟ ଯୋଜନା ୨୦୨୦ରେ ଡିପୋଜିଟ୍‌

ଗୋଟିଏ ଆର୍ଥିକ ବର୍ଷରେ ଗୋଟିଏ ଆକାଉଣ୍ଟରେ ସର୍ବାଧିକ କେବଳ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇପାରିବ । ଗୋଟିଏ ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ହେଉଛି ୨୫୦ ଟଙ୍କା । ଏହାର ଅର୍ଥ ହେଉଛି ଆପଣ ଗୋଟିଏ ଆର୍ଥିକ ବର୍ଷରେ ଗୋଟିଏ ଆକାଉଣ୍ଟରେ ଅତି ବେଶୀରେ ଦେଢ ଲକ୍ଷ ଟଙ୍କା ଓ ଅତି କମରେ ୨୫୦ ଟଙ୍କା ବିନିଯୋଗ କରିପାରିବେ । ଯଦି କୌଣସି ବ୍ୟକ୍ତି ଏହି ଆକାଉଣ୍ଟରେ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଜମା କରନ୍ତି, ତେବେ ଏହି ରାଶି ସୁଧ ପାଇଁ ହିସାବ କରାଯିବ ନାହିଁ । ଏଥି ସହ ଏହି ରାଶି ଜମାକାରୀଙ୍କ ଆକାଉଣ୍ଟକୁ ଫେରସ୍ତ ଦିଆଯିବ । ଏହି ଖାତାରେ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରାଯାଇପାରିବ ।

ଯଦି ଗୋଟିଏ ଆର୍ଥିକ ବର୍ଷରେ ଏହି ଖାତାରେ ସର୍ବନିମ୍ନ ରାଶି ଜମା କରା ନ ଯାଏ, ତେବେ ୧୫ ବର୍ଷ ମଧ୍ୟରେ ଯେକୌଣସି ସମୟରେ ଏହାକୁ ନିୟମିତ କରାଯାଇପାରିବ । ତେବେ ନିୟମର ଅବହେଳା କଲେ ପ୍ରତି ବର୍ଷ ୫୦ ଟଙ୍କା ଜୋରିମାନା ଲାଗିବ ।

କେତେ ସୁଧ ମିଳିବ?

ସୁକନ୍ୟା ସମୃଦ୍ଧି ଯୋଜନାରେ ବର୍ତ୍ତମାନ ୭.୬ ପ୍ରତିଶତ ହାରରେ ସୁଧ ମିଳୁଛି । ଏହି ଯୋଜନାରେ ଖାତା ଖୋଲିବା ସମୟରେ ସୁଧ ହାର ଯାହା ରହିଥାଏ ସେହି ହାରରେ ପୂରା ବିନିଯୋଗ ଅବଧି ମଧ୍ୟରେ ସୁଧ ମିଳେ । ଡାକଘର ସେଭିଂ ଆକାଉଣ୍ଟ ସମେତ ସମସ୍ତ କ୍ଷୁଦ୍ର ସଞ୍ଚୟ ଯୋଜନାରେ (Small Saving Schemes) ହୋଇଥିବା ନିବେଶ ଉପରେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ମିଳିବାକୁ ଥିବା ସୁଧ ହାରରେ ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି  (Interest Rates Unchanged) ।

ମ୍ୟାଚୁରିଟି ସମୟରେ ମିଳିବ ୬୪ ଲକ୍ଷ ଟଙ୍କା

ପ୍ରଚଳିତ ସୁଧ ହାର ଅନୁଯାୟୀ ଯଦି ୧୫ ବର୍ଷ ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷରେ ଦେଢ ଲକ୍ଷ ଟଙ୍କା ଜମା ହୁଏ, ତେବେ ଆପଣଙ୍କ ଦ୍ୱାରା ଜମା ହୋଇଥିବା ମୋଟ ରାଶି ସାଢ଼େ ୨୨ ଲକ୍ଷ ଟଙ୍କା ହେବ, ଆଉ ତା’ ଉପରେ ସୁଧ ୪୧,୩୬,୫୪୩ ଟଙ୍କା ହେବ । ଏହି ଖାତା ୨୧ ବର୍ଷ ପୂରଣ ହେବା ପରେ ପରିପକ୍ୱ (ମ୍ୟାଚୁଅର୍‌) ହେବ । ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ମିଳିଚାଲିବ । ୨୧ ବର୍ଷ ମଧ୍ୟରେ ଏହି ରାଶି ସୁଧ ସହିତ ପ୍ରାୟ ୬୪ ଲକ୍ଷ ଟଙ୍କା ହୋଇଯିବ । ଆପଣଙ୍କୁ ମନେ ରଖିବାକୁ ହେବ ଯେ କେନ୍ଦ୍ର ସରକାର ପ୍ରତି ତିନି ମାସରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ସୁଧ ହାର ସ୍ଥିର କରନ୍ତି । ଏପରି ପରିସ୍ଥିତିରେ ପରିପକ୍ୱତା ପର୍ଯ୍ୟନ୍ତ ସୁଧ ହାର କିଛି ପରିବର୍ତ୍ତନ ହୋଇପାରେ ।
Published by:Anand Shankar Thankur Das
First published: