News18 Odia Digital
ନୂଆ ଦିଲ୍ଲୀ: ଦେଶରେ ସାଇବର ଅପରାଧ (Cyber Crime) ମାମଲା ବୃଦ୍ଧି ପାଉଛି । ଏଥିରେ ବହୁ ସଂଖ୍ୟକ ଅନଲାଇନ୍ ଠକେଇ (Online Fraud) ଅଛି । ବିନା କାର୍ଡ଼ ଓ OTP ନମ୍ବରରେ ବି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିନିଆଯାଉଛି । ନା ପୋଲିସ ନା ବ୍ୟାଙ୍କ, କେହି ସେ ଟଙ୍କା ଫେରସ୍ତ କରାଇବାରେ ସକ୍ଷମ ହେଉନାହାନ୍ତି । ଏବେ ଏମିତି ଜଣେ ମହିଳାଙ୍କୁ ଗିରଫ କରାଯାଇଛି ଯିଏ ଅନଲାଇନ୍ ଠକେଇକାରୀମାନଙ୍କୁ ଭଡ଼ାରେ ବ୍ୟାଙ୍କ ଆକାଉଣ୍ଟ (Bank Account) ଯୋଗାଉଥିଲେ । ଏହି ମହିଳାଙ୍କର ଅନେକ ଅନ୍ତର୍ଜାତୀୟ ଗ୍ୟାଙ୍ଗ (International Gangs) ସହ ସମ୍ପର୍କ ଥିବା ମଧ୍ୟ ଜଣା ପଡ଼ିଛି ।
ଏହି ମହିଳା ଯେଉଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ସହିତ କାମ କରୁଥିଲେ ସେମାନେ ଜାଲିଆତି କରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନଲାଇନରେ ଟଙ୍କା ଉଠାଇନେଉଥିଲେ । ସେହି ମହିଳାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶର ଆଗ୍ରା ପୋଲିସ । ଅଭିଯୁକ୍ତ ମହିଳା ଗାଜିଆବାଦର ବାସିନ୍ଦା । ଆଗ୍ରା ସାଇବର ପୋଲିସ ଦ୍ୱାରା ଏହି ଅନ୍ତର୍ଜାତୀୟ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି।
ଏହି ଗ୍ୟାଙ୍ଗ ଠକେଇରୁ ମିଳୁଥିବା ଟଙ୍କାକୁ ଭାରତର ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଥିଲା । ଇନ୍ସପେକ୍ଟର ଶୈଳେଶ କୁମାର ସିଂ କହିଛନ୍ତି ଯେ ଗାଜିଆବାଦର ତରୁଣ ଯାଦବ ନାମକ ସସେହି ମହିଳା ଅନ୍ତର୍ଜାତୀୟ ଅନଲାଇନ୍ ଠକ ଗ୍ୟାଙ୍ଗକୁ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଦେଉଥିଲେ । ଏହି ମହିଳାଙ୍କର ବିଭିନ୍ନ ଅନ୍ତର୍ଜାତୀୟ ଗ୍ୟାଙ୍ଗ ସହ ସମ୍ପୃକ୍ତି ଥିବା ସମ୍ପର୍କରେ ପୋଲିସ ସୂଚନା ପାଇଛି ।
ପଚରାଉଚରା ବେଳେ ପୋଲିସକୁ ତରୁଣ ଯାଦବ କହିଛନ୍ତି ଯେ ଏକଅନଲାଇନ ଠକେଇ ପାଇଁ ସେହି ଗ୍ୟାଙ୍ଗକୁ ଯେତେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦରକାର ହେଉଥିଲା ତାହା ସେ ସେମାନଙ୍କୁ ଦେଉଥିଲେ । ଏହାର ପ୍ରତିବଦଳରେ ସେ ମୋଟ ଠକେଇର ୧୫ ପ୍ରତିଶତ ପାଉଥିଲେ । ଯଦି କୌଣସି ଆକାଉଣ୍ଟଧାରୀଙ୍କୁ ସିଧାସଳଖ ଗ୍ୟାଙ୍ଗ ସହିତ ସେ ପରିଚିତ କରାଉଥିଲା ତାହେଲେ ଏହି ପରିମାଣ ୭ରୁ ୮ ପ୍ରତିଶତ ମଧ୍ୟରେ ବିଭକ୍ତ ହେଉଥିଲା ।
ପର୍ଦ୍ଦାଫାଶ ହେବା ପରେ ମହିଳାରୁ ପୁରୁଷ ହୋଇଗଲେ
ଇନ୍ସପେକ୍ଟର ଶୈଳେଶ କୁମାର ସିଂ କହିଛନ୍ତି ଯେ ତରୁଣ ଯାଦବ ଜଣେ ମହିଳା । ସେ ଦୀର୍ଘ ଦିନ ଧରି ସାଇବର ଅପରାଧୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଦେବା କାମ କରିଆସୁଥିଲେ। ତଦନ୍ତ ସମୟରେ ପୋଲିସର ରେକର୍ଡରେ ଥିବା ତାଙ୍କ ପରିଚୟ ପ୍ରକାଶ ପାଇଯାଇଥିଲା। ପୋଲିସକୁ ଏଡ଼ାଇବା ପାଇଁ ତରୁଣ ଅନେକ ଅପରେସନ୍ କରାଇଥିଲେ । ସେ ମହିଳାରୁ ପୁରୁଷରେ ପରିବର୍ତ୍ତିତ ହୋଇଯାଇଥିଲେ । ଖାଲି ସେତିକି ନୁହେଁ, ସେ ଚାନ୍ଦନୀ ନାମକ ଏକ ଯୁବତୀ ସହ ବିବାହ ମଧ୍ୟ କରିଥିଲେ । ଆଇଭିଏଫ୍ ଉପାୟରେ ତାଙ୍କ ପତ୍ନୀଙ୍କର ଏକ ପୁଅ ବି ହୋଇଥିଲା ।
ଏହା ବି ପଢ଼ନ୍ତୁ | ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ
ଏହା ବି ପଢ଼ନ୍ତୁ | Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’
ନାଇଜେରିଆ ଗ୍ୟାଙ୍ଗ ଧରାପଡିଛି
ସାଇବର ପୋଲିସ ଯେଉଁ ଗ୍ୟାଙ୍ଗକୁ ଗିରଫ କରିଛି ସେହି ଗ୍ୟାଙ୍ଗର ନେତା ହେଉଛନ୍ତି ନାଇଜେରିଆରେ ରହୁଥିବା ଜନ୍ ଷ୍ଟାନଲି । ତାଙ୍କ ଲୋକେ ଦିଲ୍ଲୀ ଓ ଗୁରୁଗ୍ରାମରେ ରହି ଏହି ଅନଲାଇନ୍ ଠକ ଗ୍ୟାଙ୍ଗ ଚଳାନ୍ତି। ଏହି ଗ୍ୟାଙ୍ଗର କେବଳ ଜଣେ ବ୍ୟକ୍ତି ରବିବା ଦିନ ଗ୍ୟାଙ୍ଗର ନେତାଙ୍କ ସହ କଥାବାର୍ତ୍ତା କରନ୍ତି ।
ପୋଲିସ କହିଛି ଯେ ଏହି ପୂର୍ବରୁ ଯେଉଁ ଗ୍ୟାଙ୍ଗ ସକ୍ରିୟ ଥିଲା ତାହା ୫୦ କୋଟିରୁ ଅଧିକ ଟଙ୍କା ଠକେଇ କରି ନେଇ ଭାରତରୁ ବାହାରକୁ ପଳାଇଯାଇଛି । ଷ୍ଟାନଲି ବର୍ତ୍ତମାନ ସକ୍ରିୟ ଥିବା ଗ୍ୟାଙ୍ଗକୁ ପରିଚାଳିତ କରୁଛି । ପ୍ରତ୍ୟେକ ନୂଆ ଆସୁଥିବା ଗ୍ୟାଙ୍ଗ ତରୁଣ ଯାଦବ ନାମକ ଏହି ମହିଳାଙ୍କ ସହ ଯୋଗାଯୋଗ ସ୍ଥାପନ କରନ୍ତି ବୋଲି ଜଣାପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।