ପୁଣି ସାମ୍ନାକୁ ଆସିଲା ଅନଲାଇନ ଚିଟଫଣ୍ଡ ଠକେଇ ମାମଲା
News18 Odia Digital
ଭୁବନେଶ୍ବର: ଅନଲାଇନରେ ଚିଟଫଣ୍ଡ ଠକେଇ। ଲୋଭନୀୟ ସ୍କିମ ଜରିଆରେ ଜମାକାରୀଙ୍କ ଠାରୁ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା। ଏଭଳି ଏକ ଅନଲାଇନ ଚିଟଫଣ୍ଡ ଠକ ସଂସ୍ଥାର ପର୍ଦ୍ଦା ଫାସ କରିଛି କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟ।
ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଡିଜିଟାଲ ରିଭ୍ୟୁଲୋସନ ଟେକ୍ନୋଲୋଜି ମୁଖ୍ୟ ପ୍ରିନ୍ସ କୁମାରକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟ। ୬ଟି ଆପ ଜରିଆରେ ଜମାକାରୀଙ୍କ ଠାରୁ ଟଙ୍କା ଠକିଥିବା ନେଇ ଇଓଡବ୍ଲ୍ୟରେ ଅଭିଯୋଗ ପରେ ଅଭିଯୁକ୍ତକୁ ବୃନ୍ଦାବନରୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା।
ଦୀର୍ଘ ଦିନ ପରେ ପୁଣି ମୁଣ୍ଡ ଟେକିଲା ଚିଟଫଣ୍ଡ ଠକେଇ। ଦେଶୀ ଆପ ବ୍ୟବହାର କରି ଲୋକଙ୍କୁ ଠକୁଛନ୍ତି କିଛି ଚିଟଫଣ୍ଡ ସଂସ୍ଥା। ପୂର୍ବରୁ ଅଫିସ ଖୋଲି ଠକୁଥିବା ବେଳେ ଏବେ ଅନଲାଇନରେ ହେଉଛି ଠକେଇ। ଡିଜିଟାଲ ଯୁଗରେ ବେନାମୀ ଆପ ଜରିଆରେ ହେଉଛି କୋଟି କୋଟି ଟଙ୍କାର କାରବାର। ଜମାକାରୀଙ୍କୁ ଲୋଭନୀୟ ସ୍କିମ ଦେଖାଇ ଲୁଟି ନେଉଛନ୍ତି ଟଙ୍କା।
"ଡିଜିଟାଲ ରିଭ୍ୟୁଲୋସନ ଟେକ୍ନୋଲୋଜି ନିର୍ଦେଶକ ପ୍ରିନ୍ସ କୁମାରକୁ ଆମେ ଗିରଫ କରିଛୁ। ଗିରଫ ପରେ ତାଙ୍କୁ ଟ୍ରାଞ୍ଜିଟିକ ରିମାଣ୍ଡରେ ଭୁବନେଶ୍ୱର ଆଣିଛୁ। ୟୁଟ୍ୟୁବ ଜରିଆରେ ଇନଭେଷ୍ଟର ଲୋଭ ଦେଖାଉଥିଲା ପ୍ରିନ୍ସ। ଓଡ଼ିଶାରେ ପ୍ରାୟ ୧୦୦ ଜଣ ଜମାକାରୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବେ ନେଇ ଅଭିଯୋଗ ହେବା ପରେ ତାଙ୍କୁ ବୃନ୍ଦାବନରୁ ଗିରଫ କରିଛୁ। ୨୦୨୦ ମାର୍ଚ୍ଚରୁ ପ୍ରିନ୍ସ ଓ ତାଙ୍କ କମ୍ପାନୀ ବହୁ ଜମକାରୀଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଥିଲା। ଵିଶେଷ କରି ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ ପରି ଜିଲ୍ଲାରେ ଏହି ସଂସ୍ଥା ଠକିଛି। ଜମାକାରୀଙ୍କୁ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଜମାକାରୀଙ୍କୁ ଟଙ୍କା ଲୁଟିଥିଲା ସଂସ୍ଥା,’’ କହିଛନ୍ତି କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ।
ଅଭିଯୁକ୍ତ ପ୍ରିନ୍ସ କୁମାର ଠକିବାରେ ମାହିର ଥିଲା। ପବ୍ଲିକ ମିଟିଂ କରି ଲୋକଙ୍କୁ ନିଜର ସଂସ୍ଥା ବିଷୟରେ ବୁଝାଉଥୁଲା। ଫରେନ୍ ଆପ ଗୁଡିକୁ ବ୍ୟବହାର ନ କରି ଦେଶୀ ପ୍ଲାଟଫର୍ମ ବ୍ୟବହାର କରିବାକୁ ପ୍ରବାର୍ତ୍ତାଉ ଥିଲା। ମାଇଁ ପେ, ଭିଟ୍ସକପ, ମାଇଁ ଟ୍ୟୁବ ଭଳି ୬ଟି ଆପ ତିଆରି କରି ବ୍ୟବହାର କରିବାକୁ ଲୋକଙ୍କୁ ଭୁତାଉ ଥିଲା। ଯେଉମାନେ ଏହି ଆପ ବ୍ୟବହାର କରି ଟଙ୍କା ଇନଭେଷ୍ଟ କରିବେ ସେମାନଙ୍କୁ ଏକ ବର୍ଷରେ ଟଙ୍କା ଦୁଇଗୁଣା କରିଦେବାର ଲୋଭ ଦେଖାଉଥିଲା ।
ସେପଟେ ଅଭିଯୁକ୍ତ ଅଧିକ ତଦନ୍ତ ପାଇଁ ପ୍ରିନ୍ସ କୁମାରକୁ ରିମାଣ୍ଡରେ ଆଣି ଜେରା କରିବାକୁ ଅଣ୍ଟା ଭିଡିଛି ଇଓଡବ୍ଲ୍ୟ। ସେହିଭଳି ଅଭିଯୁକ୍ତ ବ୍ୟବହାର କରିଥିବା ବେନାମୀ ଆପ ଗୁଡିକୁ ବ୍ଲକ କରିବାକୁ ପକ୍ରିୟା କରାଯିବ ବୋଲି ତଦନ୍ତକାରୀ ଟିମ ପକ୍ଷରୁ ସୂଚନା ମିଳିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।