୧୦୦ ଟଙ୍କା ଛୁଇଁବ କି ପିଆଜ ଦର? ୨ ମାସ ଲାଗିବ ଦର କମିବାକୁ; ସରକାରୀ ହସ୍ତକ୍ଷେପ ଦାବି ବଢ଼ିଲା
ପିଆଜର ଅହେତୁକ ଦର ବୃଦ୍ଧି ପାଇଁ ରାଜ୍ୟ ବ୍ୟବସାୟୀ ମହାସଙ୍ଘ କିଛି କର୍ପୋରେଟ ହାଉସଙ୍କ ମନମାନିକୁ ଏକ ପ୍ରମଖ କାରଣ ବୋଲି କହିଛି । ଅର୍ଥନୀତି ବିଶେଷଜ୍ଞମାନେ ଏହି ସ୍ଥିତିର ମୁକାବିଲା ଲାଗି ୨୦୧୫ରେ ହୋଇଥିବା ସରକାରୀ ପାଣ୍ଠି କଥା ମନେପକାଇ ଦେଇଛନ୍ତି ।

ଖୁଚୁରା ବଜାରର ପିଆଜର କିଲୋ ପିଛା ଦାମ୍ ୮୦ରୁ ୮୫ ଟଙ୍କାରେ ପହଞ୍ଚଛି ।
- News18 Odia
- Last Updated: October 24, 2020, 9:20 PM IST
ଭୁବନେଶ୍ୱର: ଲୋକଙ୍କୁ କନ୍ଦେଇ ଚାଲିଛି ପିଆଜ। ଏବେ ଦିନକୁ ପିଆଜର କିଲୋ ପିଛା ଦାମ୍ ୧୦ରୁ ୧୫ ଟଙ୍କା ବଢ଼ିବାରେ ଲାଗିଛି । ଶୁକ୍ରବାର ପିଆଜର ପାଇକାରୀ ଦାମ୍ କିଲୋ ପିଛା ୫୦ରୁ ୫୫ ଟଙ୍କା ଥିବା ବେଳେ ଏବେ ଏହାର ଦାମ ୬୦ରୁ ୬୫ ଟଙ୍କାରେ ପହଞ୍ଚିଛି । ଖୁଚୁରା ବଜାରର ପିଆଜର କିଲୋ ପିଛା ଦାମ୍ ୮୦ରୁ ୮୫ ଟଙ୍କାରେ ପହଞ୍ଚଛି । ଏହି ସ୍ଥିତି ଯୋଗୁଁ ଉଭୟ ଖୁଚୁରା ବ୍ୟବସାୟୀ ଓ ଗ୍ରାହକ ହତାଶ ହୋଇଛନ୍ତି ।
ରାଜ୍ୟ ବ୍ୟବସାୟୀ ମହାସଙ୍ଘ କହିଛି ଯେ ଆଗକୁ ଦାମ୍ ଆହୁରି ବଢ଼ିପାରେ। ସ୍ଥିତିରେ ସୁଧାର ଆସିବା ପାଇଁ ଆହୁରି ଦୁଇ ମାସରୁ ଅଧିକ ସମୟ ଲାଗିପାରେ। ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି ଯେ ଏହି କଷ୍ଟଦାୟକ ସ୍ଥିତିର ସ୍ଥାୟୀ ସମାଧାନ ପାଇଁ ସରକାରୀ ଉଦ୍ୟମ ହେବା ଜରୁରୀ ।
ଆଳୁ ପରେ ଏବେ ପିଆଜର ଦାମ୍ ଦିନକୁ ଦିନ ବେଲଗାମ ହେବାରେ ଲାଗିଛି । ଗତ କିଛି ଦିନ ଭିତରେ ହୁ ହୁ ହୋଇ ବଢି ଚାଲିଛି ପିଆଜର ଦର। ସପ୍ତାହକ ତଳେ ପିଆଜର ଦାମ୍ କିଲୋ ପିଛା ୩୫ରୁ ୪୦ ଟଙ୍କା ଭିତରେ ସୀମିତ ଥିବା ବେଳେ ଏବେ କିଲୋ ପିଛା ପିଆଜର ଖୁଚୁରା ଦାମ୍ ୮୫ ଟଙ୍କା ଟପିବାକୁ ବସିଲାଣି। ଅନେକ ସ୍ଥାନରେ ବଛା ଓ ପଚା ପିଆଜ ବି ୮୦ ଟଙ୍କାରେ ବିକ୍ରୀ ହେଉଛି ।

ରାଜ୍ୟ ବ୍ୟବସାୟୀ ମହାସଙ୍ଘର ମହାସଚିବ ସୁଧାକର ପଣ୍ଡା
ବଜାର ସୂଚନା ଅନୁସାରେ ପ୍ରତି ଦିନ ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ବଢ଼ିବାରେ ଲାଗିଛି ପିଆଜ ଦର। ମାତ୍ର ସପ୍ତାହକ ଭିତରେ ପିଆଜର ଦାମ୍ ୮୦ ଟଙ୍କା ଟପିବାକୁ ବସିଛି । ଶନିବାର ଭୁବନେଶ୍ବରର ଆଳୁଗଦି ପାଇକାରୀ ବଜାରରେ କିଲୋ ପିଛା ପିଆଜର ଦାମ୍ ଥିଲା ୬୦ରୁ ୬୫ ଟଙ୍କା । ଖୁଚୁରା ବଜାରରେ ପିଆଜର ଦାମ୍ ଥିଲା ୮୦ରୁ ୮୫ ଟଙ୍କା ।
ଏହା ବି ପଢ଼ନ୍ତୁ | କପିଳ ଦେବ ହସପିଟାଲରେ ଆଡମିଟ୍ ହେଲେ; ହୃଦଘାତ ପରେ ସର୍ଜରୀ ହେଲା; ଏବେ ଭଲ ଅଛନ୍ତି
‘‘ପ୍ରତି ବର୍ଷ ଏହି ସମୟରେ ପିଆଜ ଦାମ୍ ଆକାଶଛୁଆଁ ହେଉଛି। ବଜାରକୁ ମାଲ୍ ଆସୁନି। ଆମେ ଯେତିକି ଦାମରେ କିଣୁଛୁ ଅଳ୍ପ କିଛି ଲାଭ ରଖି ବିକ୍ରି କରୁଛି। ଦାମ୍ ଚଢ଼ା ଥିବାରୁ ଲୋକେ ବି କମ୍ କିଣାକିଣି କରୁଛନ୍ତି। ତେଣୁ ଆମର ବେପାର ନାହିଁ,’ କହିଛନ୍ତି ଭୁବନେଶ୍ୱର ଭି.ଏସ୍.ଏସ୍. ନଗର ହାଟର ବ୍ୟବସାୟୀ ଦିଲ୍ଳୀପ ସାହୁ।
ଗ୍ରାହକ ମନୋରଞ୍ଜନ ସାହୁ କହିଛନ୍ତି, ‘‘ଆଳୁ ଦାମ୍ ୪୦ ଟଙ୍କା, ପିଆଜ ଦାମ୍ ୮୫ ଟଙ୍କା। କେମିତି ଚଳିବ ମଣିଷ? ୫୦୦ ଟଙ୍କା ନେଇ ହାଟକୁ ଆସିଲେ ବି ବ୍ୟାଗ ଭର୍ତ୍ତି ହେଉନାହିଁ । ଏପଟେ କୋଭିଡ, ସେ ପଟେ ମହଙ୍ଗା ମାଡ଼ । ତ୍ରାହି ତ୍ରାହି ଡାକିଲାଣି ମଣିଷ ।’’
ଏହା ବି ପଢ଼ନ୍ତୁ | ଜ୍ୟକଲିନ୍ ଫର୍ଣ୍ଣାଣ୍ଡେସ୍ ଟପଲେସ୍ ହୋଇ ପୁଷ୍ପଗୁଚ୍ଛ ସହ କଲେ ଏପରି କାର୍ଯ୍ୟ; ଭାଇରାଲ୍ ହେଲା Bold Photos
ରାଜ୍ୟ ବ୍ୟବସାୟୀ ମହାସଙ୍ଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ‘‘ଓଡ଼ିଶା ଏକ ଉପଯୋଗକାରୀ ବା ଖାଉଟି ରାଜ୍ୟ ହୋଇଥିବାରୁ ଆଳୁ ଓ ପିଆଜ ଆଦି ବିଭିନ୍ନ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ପ୍ରାକୃତିକ ବିପର୍ଯ୍ୟୟ ତଥା କମ୍ ଉତ୍ପାଦନ କାରଣରୁ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହେଉଛି । ସେଇଥି ପାଇଁ ଅନେକ ସମୟରେ ଏଭଳି ସ୍ଥିତି ଉପୁଜିଛି । ବଡ଼ କଥା ହେଲା କିଛି କର୍ପୋରେଟ ହାଉସଙ୍କ ମନମାନି କାରଣରୁ ଏଭଳି ସ୍ଥିତି ଉପୁଜିଛି। ରାଜ୍ୟରେ ଦୈନିକ ଦେଢ଼ ହଜାର ଟନ୍ ପିଆଜର ଆବଶ୍ୟକତା ଥିବା ବେଳେ ବର୍ଷକୁ ପ୍ରାୟ ୫ ଲକ୍ଷ ୩୦ ହଜାର ଟନ୍ ପିଆଜ ଆବଶ୍ୟକ ହୋଇଥାଏ । ରପ୍ତାନୀକାରୀ ରାଜ୍ୟଗୁଡ଼ିକରେ ଉତ୍ପାଦନ କମ୍ ଥିବା କାରଣରୁ ଏତେ ଚାହିଦା ପୂରଣ ହୋଇ ପାରୁନାହିଁ। ତା’ ଛଡ଼ା କର୍ପୋରେଟ ହାଉସମାନେ ମଧ୍ୟ ହୋର୍ଡ଼ିଂ କରୁଛନ୍ତି । ତେଣୁ ଏ ସବୁ ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ଦେବା ଜରୁରୀ ।’’
ଅର୍ଥନୀତି ବିଶେଷଜ୍ଞ ଚିତ୍ତ ରଞ୍ଜନ ବେହେରା ଏଭଳି ସ୍ଥିତିର ମୁକାବିଲା ଲାଗି ୨୦୧୫ ମସିହାରେ ସରକାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିଥିବା କଥା ମନେପକାଇ ଦେଇଛନ୍ତି । ‘‘ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସମୟରେ ଏହି ପାଣ୍ଠି ବ୍ୟବହାର କରି ସରକାର ସାମଗ୍ରୀ କିଣିବା କଥା ଓ ସୁଲଭ ମୂଲ୍ୟରେ ଲୋକଙ୍କୁ ଯୋଗାଇବା କଥା । ସରକାରଙ୍କର ସେହି ନୀତି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଏହି ସମସ୍ୟା ଉପୁଜିଛି । ସରକାର ବା ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବା ଦରକାର । ସ୍ଥାୟୀ ସମାଧାନର ରାସ୍ତା ବାହାର କରିବା ଦରକାର,’’ ସେ କହିଛନ୍ତି ।