ପିଆଜ ନା ବୋଇତାଳୁ? ଇଜିପ୍ଟରୁ ଆସିଥିବା ବଡ଼ ବଡ଼ ପିଆଜକୁ ଗ୍ରହଣ କରି ପାରୁନାହାନ୍ତି ଓଡ଼ିଶାବାସୀ

ତିନି ଚ଼ାରିଟି ପିଆଜ କିଲେ ହୋଇଯାଉଥିବାରୁ ବ୍ୟାବସାୟିକ କ୍ଷତି ଯୋଗୁଁ ଖୁଚୁରା ବିକ୍ରି ହେଉନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି । ବରଂ ବସ୍ତା ଆକାରରେ ହୋଟେଲକୁ ଯୋଗାଣ ହେଉଛି । କିଲୋ ପିଛା ୭୫ଟଙ୍କାରେ ପିଆଜ ବିକ୍ରି ପାଇଁ ବ୍ୟବସାୟୀ ସଙ୍ଘ କହିଥିବା ବେଳେ ଏତେ ବଡ଼ ବଡ଼ ପିଆଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ସାଧାରଣ ଲୋକେ ।

ପିଆଜ ନା ବୋଇତାଳୁ? ଇଜିପ୍ଟରୁ ଆସିଥିବା ବଡ଼ ବଡ଼ ପିଆଜକୁ ଗ୍ରହଣ କରି ପାରୁନାହାନ୍ତି ଓଡ଼ିଶାବାସୀ
ଭୁବନେଶ୍ବର ଆଇଗିଣିଆ ମାର୍କେଟର ଗୋଦାମରେ ପହଞ୍ଚୁଛି ଇଜିପ୍ଟ ପିଆଜ ।
  • News18 Odia
  • Last Updated: December 27, 2019, 1:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ସୁମନ୍ତ ସୁନ୍ଦରାୟ | News18 Odia Digital

ଭୁବନେଶ୍ବର: ପ୍ରାୟ ମାସକରୁ ଅଧିକ ଦିନ ହେଲା ପିଆଜର ଆକାଶଛୁଆଁ ଦର ଓ ଅଭାବ ସହ ଯୁଝୁଥିବା ଓଡ଼ିଶାବାସୀଙ୍କ ପାଇଁ ଶେଷରେ ଇଜିପ୍ଟରୁ ପିଆଜ ଆସିଛି ସିନା, ସେ ପିଆଜର ମାତ୍ରାଧିକ ବଡ଼ ଆକାର ଓ ଓଜନ ଯୋଗୁଁ ଲୋକେ ତାହା କିଣିବାକୁ ଆଦୌ ମନ ବଳାଉ ନାହାନ୍ତି ।

ପ୍ରାୟ ୫୦ ଟନ୍ ପିଆଜ ଇଜିପ୍ଟରୁ ଆସି ଭୁବନେଶ୍ବର ଆଇଗିଣିଆ ମାର୍କେଟରେ ପହଞ୍ଚିଛି । ଏହା ପହଁଚ଼ିବା ପରେ ଦର ନିୟନ୍ତ୍ରଣ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଇଜିପ୍ଟ ପିଆଜର ବଡ଼ ଆକାର ଉଭୟ ଖାଉଟି ଓ ବ୍ୟବସାୟୀଙ୍କୁ ଚି଼ନ୍ତାରେ ପକାଇଛି । ଗୋଟିଏ ଗୋଟିଏ ପିଆଜର ଓଜନ ଅତି କମ୍‌ରେ ୨୦୦ ଗ୍ରାମ୍ରୁ ଆରମ୍ଭ କରି ୫୦୦, ୮୦୦ ଗ୍ରାମ୍, ଏପରିକି ୧ କିଲୋ ପର୍ଯ୍ୟନ୍ତ ରହିଛି । ଏତେ ବଡ଼ ଆକାରର ପିଆଜ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଓଡ଼ିଶାବାସୀ ।

ତିନିଟି ବଡ଼ ଟ୍ରକରେ ଇଜିପ୍ଟ ପିଆଜ ପହଞ୍ଚିବା ପରେ ଆଇଗିଣିଆ କୁବେରପୁରୀ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିଥିଲା । ପ୍ରତି ବସ୍ତାରେ ୨୨ କିଲୋ ପିଆଜ ଆସିଛି । ଟ୍ରକରୁ ପିଆଜ ବସ୍ତାକୁ ମୁଣ୍ଡାଇ ଗୋଦାମକୁ ନେଉଥିଲେ କର୍ମଚାରୀ । କିନ୍ତୁ ଆଶ୍ଚର୍ଯ୍ୟର କଥା ପିଆଜ କିଣିବା ପାଇଁ ନୁହେଁ ବରଂ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ବ୍ୟବସାୟୀ ତଥା କର୍ମଚ଼ାରୀମାନେ ମଧ୍ୟ ଏତେ ବଡ଼ ବଡ଼ ପିଆଜ ଦେଖି କୌତୁହଳ ପ୍ରକାଶ କରୁଥିଲେ ।

ତିନି ଚ଼ାରିଟି ପିଆଜ କିଲେ ହୋଇଯାଉଥିବାରୁ ବ୍ୟାବସାୟିକ କ୍ଷତି ଯୋଗୁଁ ଖୁଚୁରା ବିକ୍ରି ହେଉନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି । ବରଂ ବସ୍ତା ଆକାରରେ ହୋଟେଲକୁ ଯୋଗାଣ ହେଉଛି । କିଲୋ ପିଛା ୭୫ଟଙ୍କାରେ ପିଆଜ ବିକ୍ରି ପାଇଁ ବ୍ୟବସାୟୀ ସଙ୍ଘ କହିଥିବା ବେଳେ ଏତେ ବଡ଼ ବଡ଼ ପିଆଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ସାଧାରଣ ଲୋକେ ।

ଇଜିପ୍ଟରୁ ଆସିଥିବା ବୃହତାକାର ପିଆଜ


‘‘ପିଆଜ ରେଟ୍ ଖସିଥିବାରୁ ଦୈନିକ ଆବଶ୍ୟକ କରୁଥିବା କିଛି ବଡ଼ ବଡ଼ିଆ ଲୋକେ ପିଆଜ କିଣିବେ । ତେଣୁ ବିକ୍ରି କରିବାରେ କିଛି ଅସୁବିଧା ନାହିଁ,’’ କହିଛନ୍ତି ଭୁବନେଶ୍ବର ଏକ ନମ୍ବର ମାର୍କେଟର ବ୍ୟବସାୟୀ ରୋହିତ ବେହେରା ।

ଇଜିପ୍ଟରୁ ଜଳପଥରେ ସିଧାସଳଖ ମୁମ୍ବାଇ ଆସି ସେଠାରୁ ବିଭିନ୍ନ ରାଜ୍ୟକୁ ପିଆଜ ଯୋଗାଣ ହେଉଛି । ମୁମ୍ବାଇରୁ ରାଞ୍ଚି ଏବଂ ସେଠାରୁ ଭୁବନେଶ୍ବର ଆଇଗିଣିଆକୁ ଆସିଛି ପିଆଜ । ଆହୁରି ୨୫୦ ଟନ୍ ଆସିବ । ତେବେ ଭୁବନେଶ୍ବରକୁ ଦୈନିକ ୩୦୦ ଟନ୍ ପିଆଜର ଆବଶ୍ୟକତା ଥିବା ବେଳେ ଏତେ କମ୍ ପରିମାଣର ପିଆଜ ମାନ୍ଦାବସ୍ଥାକୁ ଅପରିବର୍ତ୍ତିତ ରଖିଛି ।

କିଲୋ ୭୫ ଟଙ୍କା ହିସାବରେ ଓ ବସ୍ତା ପିଛା ୧,୬୫୦ ଟଙ୍କାରେ ବିକ୍ରି ହେଉଛି ପିଆଜ। ଏହା ଗାଁ ଗହଳିରେ ପହଞ୍ଚିବା ବେଳକୁ କିଲୋ ଯେଉଁ ୧୦୦ କୁ ସେହି ୧୦୦ଟଙ୍କା ।

‘‘ଏହି ପିଆଜ ବିଦେଶୀ ହୋଇଥିବାରୁ ଏହାର କୌଣସି ଗୁଣବତ୍ତା ନାହିଁ । ଖାଉଟିଙ୍କ ଆବଶ୍ୟକତାକୁ ମଧ୍ୟ ଏହା ମେଣ୍ଟାଇ ପାରିବ ନାହିଁ । କେବଳ ହୋଟେଲ ଓ ବିବାହ ଭୋଜି ଭଳି କାମରେ ଲାଗିପାରିବ,’’ କହିଛନ୍ତି ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ।

ଆର୍‌ଏମସି ଏବଂ ସିଧାସଳଖ ଚ଼ାଷୀଙ୍କ ପାଖରୁ ପିଆଜ କିଣାଯାଉଥିବା ବେଳେ ଏବେ କମିସନ ଜରିଆରେ ବିକୁଛନ୍ତି ବ୍ୟବସାୟୀ । ମାତ୍ର ଏ ଯାଏଁ ଖାଉଟିଙ୍କୁ ସନ୍ତୁଷ୍ଟ କରିପାରିନି ଇଜିପ୍ଟ ପିଆଜ ।
Published by: Anand Shankar Thankur Das
First published: December 27, 2019, 1:51 PM IST
corona virus btn
corona virus btn
Loading