News18 Odia Digital
ଭୁବନେଶ୍ୱର: ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କମ୍ପାନୀର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି।
"ଆମେ ନୂତନ ସମ୍ପର୍କ ଗଢିବାକୁ ଓ ଆପଣଙ୍କ ସମସ୍ତଙ୍କ ସହ ଆମର ପୁରୁଣା ସମ୍ପର୍କକୁ ଦୃଢ କରିବାକୁ ଚାହୁଁଛୁ। ଆମେ ଚାହୁଁଛୁ ଆପଣ ସମସ୍ତେ ଓଡିଶାର ଅଦ୍ଭୁତ ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହୁଅନ୍ତୁ । ଏହି ବର୍ଷର ଇଭେଣ୍ଟ ଦୃଷ୍ଟିକୋଣରେ ଅଧିକ ଓ ଏହାର ଫଳାଫଳରେ ଏକ ସଫଳତା ନିଶ୍ଚିତ କରିବାକୁ ଆମେ ଆପଣଙ୍କର ସମର୍ଥନ ଓ ସହଯୋଗ ଆବଶ୍ୟକ କରୁ,"ହାଇଦ୍ରାବାଦ ନିବେଶକ ବୈଠକରେ ବରିଷ୍ଠ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବାୟୋଟେକର ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲାଙ୍କୁ ଭେଟି ଓଡ଼ିଶାରେ ପ୍ରସ୍ତାବିତ ଟିକା କାରଖାନା ଉପରେ ଆଲୋଚନା କରିଥିଲେ । ରାମକି ଗ୍ରୁପର ଏମଡି ଓ୍ବାଇଆର. ନାଗରାଜା, ଶ୍ରୀମଲାନି ଫୋମ୍ସର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନି, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରଓ୍ବାଲ, ଡେଲଏଟ ଇଣ୍ଡିଆର ଏମଡି ଏମ.ଭେଙ୍କଟରାମ, ସାନିଭିରା ଇଣ୍ଡଷ୍ଟ୍ରିଜର ଏମଡି ଓ୍ବାଇ.ରାଜୀବ ରେଡ୍ଡୀ, ଆରନ କ୍ୟାପିଟାଲର ଅଧ୍ୟକ୍ଷ ଡେଭିଡ୍ ଓଲଫ, କଣ୍ଟ୍ରୋଲ-ଏସ ଡାଟାସେଣ୍ଟରର ସିଏମଡି ପିଏସ ରେଡ୍ଡୀ , ମାଇକ୍ରୋସଫ୍ଟ ଇଣ୍ଡିଆର ଏମଡି ରାଜୀବ କୁମାର, ଓରାକଲ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର ପ୍ରମୁଖଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବ୍ୟବସାୟିକ ବାତାବରଣ ରହିଛି ବୋଲି କହିଛନ୍ତି।
ଓଡ଼ିଶା, FICCI- ନ୍ୟାସନାଲ ଇଣ୍ଡଷ୍ଟ୍ରି ପାର୍ଟନର ଫର ମେକ୍ ଇନ୍ ଓଡିଶା କନକ୍ଲେଭର ସହଯୋଗରେ ହାଇଦ୍ରାବାଦରେ ଓଡିଶା ଇନଭେଷ୍ଟର୍ସ ମିଟ୍ ଆୟୋଜନ କରିଛି। ମୁମ୍ବାଇ ଓ ବାଙ୍ଗାଲୋରରେ ସଫଳ ରୋଡ୍ ସୋ ପରେ ହାଇଦ୍ରାବାଦରେ ମଧ୍ୟ ସମାନ ଫଳପ୍ରଦ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୪୦ଟି ବୈଠକରେ ୩୫୦ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ।
ଆହୁରି ମଧ୍ୟ ସିଏମ ନବୀନ କହିଛନ୍ତି, “ମେକ ଇନ୍ ଓଡିଶା କନକ୍ଲେଭ’’ ୨୦୨୨ରେ ବ୍ୟବସାୟିକ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ, ଷ୍ଟାର୍ଟ ଅପ୍ ଅଧିବେଶନ ଓ ମହିଳା ଉଦ୍ୟୋଗୀ ଅଧିବେଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ନିଶ୍ଚିତ ରୁପେ ନିବେଶକଙ୍କୁ ଉତ୍ସାହିତ କରିବ। ସେହିପରି ଭୁବନେଶ୍ୱରରେ ଆମେ ଓଡିଶା ଷ୍ଟାର୍ଟ ଅପ୍ ହବ୍ (ଓ-ହବ୍) ପ୍ରତିଷ୍ଠା କରିଛୁ ଯାହା ରାଜ୍ୟକୁ ଏକ ବିଶ୍ୱ ସ୍ତରୀୟ ଇନକ୍ୟୁବେସନ ସହ କାର୍ଯ୍ୟ ସୁବିଧା ଯୋଗାଇବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।