News18 Odia Digital
କଟକ: ଏଣିକି ରାଜ୍ୟର ବିଭିନ୍ନ ରେଳଷ୍ଟସନରେ ମିଳିପାରିବ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଉତ୍ପାଦ। ବିଶେଷ କରି ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି ବା ORMAS ଜରିଆରେ ପ୍ରସ୍ତୁତ ଓ ମାର୍କେଟିଂ ହେଉଥିବା ବିଭିନ୍ନ ପ୍ରକାରର ସାମଗ୍ରୀକୁ ରେଳଯାତ୍ରୀମାନଙ୍କ ପାଇଁ ଉପଲବ୍ଧ କରିବା ପାଇଁ ରେଳବାଇ ବିଭାଗ ଆରମ୍ଭ କରିଛି ଏକ ନୂଆ କାର୍ଯ୍ୟକ୍ରମ। ଯାହାର ନାମ "ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ’’।
ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ତଥା ସଂଗୃହିତ ଜଙ୍ଗଲଜାତ ସାମଗ୍ରୀଗୁଡ଼ିକୁ ରେଳଯାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଯିବ। ଏହା ଦ୍ବାରା ଉତ୍ପାଦର ବ୍ୟବସାୟ କରୁଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଜୀବିକା ବୃଦ୍ଧି ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି କ୍ରମରେ ଗୁରୁବାର ଦିନ କଟକ ରେଳଷ୍ଟସନ ନୂଆ କରି ଏକ ଷ୍ଟଲ ଖୋଲାଯାଇଛି।
ଯେଉଁ ଷ୍ଟଲରେ କଟକ ଜିଲ୍ଲାର ବିଭିନ୍ନ ପ୍ରକାର ଉତ୍ପାଦ ଯଥା ରୂପା ତାରକସୀ ସାମଗ୍ରୀ ସହିତ ଖଣ୍ଡୁଆ ଶାଢୀ ଓ ବିଭିନ୍ନ କାଠ ସାମଗ୍ରୀ ମାନ ବିକ୍ରି କରାଯାଉଛି। ଗୁରୁବାର ଦିନ କଟକ ସହିତ ଭୁବନେଶ୍ବର ଷ୍ଟେସନରେ ମଧ୍ୟ ଆଉ ଏକ ଷ୍ଟଲ ଖେଲାଯାଇଛି। ଯେଉଁଥିରେ କି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ “ବେଲ୍ ମେଟାଲ୍ ପ୍ରଡକ୍ଟ”କୁ ରେଳଯାତ୍ରୀ ପାଇଁ ବିକ୍ରି କାର୍ଯ୍ୟ ଆରମ୍ଭ ହୋଇଛି।
"ରାଜ୍ୟର ପ୍ରତିଟି ଷ୍ଟେସନରେ ସ୍ଥାନୀୟ ଅଞ୍ଚଳ ସାମଗ୍ରୀକୁ ନେଇ ଏକ ଷ୍ଟଲ କରିବା ପାଇଁ ଲକ୍ଷ ରଖିଛି ରେଳବାଇ। ଏଥିପାଇଁ ରେଳବାଇ ଆମକୁ ଷ୍ଟେସନ ଗୁଡ଼ିକର ତାଲିକା ମଧ୍ୟ ପ୍ରଦାନ କରିଛି। ଆମେ ପର୍ଯ୍ୟାୟ କ୍ରମେ ପ୍ରତି ଷ୍ଟେସନରେ ସ୍ଥାନୀୟ ଅଞ୍ଚଳ ସ୍ବଂୟ ସାହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଉତ୍ପାଦକୁ ଗୋଟିଏ ଷ୍ଟଲରେ ରଖି ସେଗୁଡ଼ିକୁ ବିକ୍ରି କରିବୁ। ଏହି କ୍ରମରେ ଆଗକୁ ନରାଜ ଷ୍ଟେସନରେ ମଧ୍ୟ ଏହି ଭଳି ଏକ ଷ୍ଟଲ ଖୋଲିବାର କାର୍ଯ୍ୟକ୍ରମ ରହିଛି," କହିଛନ୍ତି ଓରମାସର ଯୁଗ୍ମ କାର୍ଯ୍ୟ ନିର୍ବାହୀ ବିପିନ ରାଉତ।
ଏହା ପୂର୍ବରୁ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ “ପଟଚ୍ଚିତ୍ର” ଓ “ପିପିଲି ଆପ୍ଲିକ୍” କୁ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଯୋଜନା ଅଧୀନରେ ଗୋଟିଏ ଷ୍ଟଲ୍ ଖୋଲା ଯାଇଥିଲା। ଖୋର୍ଦ୍ଧା ରୋଡ଼ ମଣ୍ଡଳର ୭୮ ରେଳ ଷ୍ଟେସନରେ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍ ପାଇଁ ଲକ୍ଷ ରଖିଛି ରେଳବାଇ। ଯେଉଁ ଠାରେ କି ଯାତ୍ରୀମାନେ କୌଣସି ମଧ୍ୟସ୍ଥିଙ୍କୁ ଜଡିତ ନକରି ସିଧାସଳଖ କାରିଗରମାନଙ୍କଠାରୁ ଏହି ଉତ୍ପାଦ କ୍ରୟ କରିପାରିବେ।
ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ଯୋଜନା ସମ୍ପର୍କରେ ଭାରତ ସରକାର ନିକଟରେ ବଜେଟରେ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ରେଳ ଷ୍ଟେସନରେ ସ୍ଥାନୀୟ କାରିଗରମାନଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ବନ୍ଧୀୟ ପ୍ରସିଦ୍ଧ ସ୍ଥାନୀୟ ଉତ୍ପାଦଗୁଡିକ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଷ୍ଟଲ୍ ଯୋଗାଇ ଦିଆଯାଉଛି। ଲକ୍ଷ୍ୟ ହେଉଛି ରେଳ ଷ୍ଟେସନକୁ ଏକ ପ୍ରମୋସନାଲ୍ ହବ୍ ଓ ଏକ ସ୍ଥାନୀୟ ଉତ୍ପାଦ ପାଇଁ ପ୍ରଦର୍ଶନ ଗନ୍ତବ୍ୟସ୍ଥଳ କରିବା, ଯାହା ଦ୍ଵାରା ସ୍ଥାନୀୟ ଶିଳ୍ପଗୁଡିକ ଏକ ପ୍ରମୁଖ ଉତ୍ସ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।