News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗାର କାରାବର ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆରୁ ଜବତ ହୋଇଛି ୧କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ବାଲେଶ୍ଵରରୁ ଖୋର୍ଦ୍ଧାକୁ ଚୋରା ଚାଲାଣ ବେଳେ ୩ ଡ୍ରଗ୍ସ ମାଫିଆ ସହ ୧ କିଲୋ ୪୨ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।
ଗିରଫ ୩ ମାଫିଆ ଦୀର୍ଘ ଦିନ ଧରି ବ୍ରାଉନସୁଗାର ବେପାର କରୁଥିବା ବେଳେ ଏମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ଜଣା ପଡ଼ିଛି । ଗିରଫ ତିନି ଅଭିଯୁକ୍ତ ହେଲେ ଖୋର୍ଦ୍ଧା ବେଗୁନିଆର ରଞ୍ଜନ ପାଟଶାଣୀ, ଲଷ୍ମୀଧର ସ୍ଵାଇଁ ଓ କଟକ ବାଙ୍କି ଅଞ୍ଚଳରେ ଅମରେନ୍ଦ୍ର ମହାପାତ୍ର । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ତଦନ୍ତକାରୀ ସଂସ୍ଥା।
"ଗିରଫ ତିନି ଅଭିଯୁକ୍ତ ନାମରେ ଏକାଧିକ ମାମଲା ରହିଛି । ଦୀର୍ଘଦିନ ଧରି ରାଜ୍ୟକୁ ଏହି ଗ୍ୟାଙ୍ଗ ବ୍ରାଉନସୁଗର ଚୋରା ଚାଲାଣ କରୁଥିଲେ । ଏମାନେ ବାଲେଶ୍ଵରରୁ ବ୍ରାଉନସୁଗାର ଆଣି ବ୍ୟବସାୟ କରନ୍ତି । କେତେବେଳେ ବାଇକ ତ ଆଉ କେତେବେଳେ ଟ୍ରେନ ଯୋଗେ ରାଜ୍ୟକୁ ଚାଲାଣ କରନ୍ତି ବ୍ରାଉନସୁଗାର । ପରେ ବିଭିନ୍ନ ଜିଲ୍ଲାକୁ ବେଧଡ଼କ ଭାବେ ଚୋରା ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି," କହିଛନ୍ତି ଏସ.ଟି.ଏଫ ଡ଼ି.ଏସ.ପି ସଚ୍ଚିଦାନନ୍ଦ ରଥ ।
ଏହି ତିନି ଜଣଙ୍କ ପୂର୍ଵ ଅପରାଧିକ ରେକର୍ଡ଼ର ତଦନ୍ତ ପାଇଁ ରିମାଣ୍ଡରେ ଆଜି ଜେରା କରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ । ଏହାସହ ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତିର ଖୋଳତାଡ଼ କରାଯିବ ବୋଲି କହିଛନ୍ତି ଏସଟିଏଫ ତଦନ୍ତକାରୀ ଅଧିକାରୀ । ଏମାନଙ୍କ ରାକେଟରେ ଆଉ କେଉଁମାନେ ଅଛନ୍ତି ତାକୁ ନେଇ ତଦନ୍ତ ଚାଲିଥିବା ବେଳେ ଏମାନଙ୍କ ଲିଙ୍କ ରାଜ୍ୟରେ କେଉଁମାନେ ଡ୍ରଗ୍ସ କାରବାର କରୁଛନ୍ତି ତାକୁ ନେଇ ତଦନ୍ତ ଚାଲିଥିବା ଏସଟିଏଫ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରୁ ଡ୍ରଗ୍ସ କାରାବର ରୋକିବା ପାଇଁ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା ଅପରେସନ ବ୍ରାଉନସୁଗାର। ଏବେ ସୁଦ୍ଧା ରାଜ୍ୟରୁ ୫୧କିଲୋ ବ୍ରାଉନସୁଗର, ୨୦୨ଗ୍ରାମ କୋକେନ୍, ୯୩କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ୧୪୪ଜଣ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ମାଫିଆମାନଙ୍କ ମଧ୍ୟରେ ଅନେକଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିବା ବେଳେ ଆଉ କିଛି ଅଭିଯୁକ୍ତ ଙ୍କୁ ମୋଷ୍ଟ ୱାଣ୍ଟେଡ଼ ଘୋଷଣା କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।