ଗୁରୁବାରରେ ଦାଣ୍ତ ଦୁଆରେ ବସି ମା'ଲକ୍ଷ୍ମୀଙ୍କୁ ସୁମରଣା କଲେ ଲକ୍ଷ୍ମୀ

ସ୍ତ୍ରୀ ହକ ଦାବିରେ ଶାଶୁଘର ବାରଣ୍ଡାରେ ଲକ୍ଷ୍ମୀଙ୍କ ଧାରଣା ଆଜି ଦ୍ବିତୀୟ ଦିନରେ । ମାର୍ଗଶୀର ମାସ ଗୁରୁବାର ଯୋଗୁଁ ଲକ୍ଷ୍ମୀଙ୍କୁ ଧାରଣାସ୍ଥଳରେ ସୁମରଣା କରି ଭଲରେ ରୋଷେଇ କରି ଖାଇଲେ ଲକ୍ଷ୍ମୀ ।

ମା'ଲକ୍ଷ୍ମୀଙ୍କୁ ସୁମରଣା କଲେ ଲକ୍ଷ୍ମୀ

ମା'ଲକ୍ଷ୍ମୀଙ୍କୁ ସୁମରଣା କଲେ ଲକ୍ଷ୍ମୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ସ୍ତ୍ରୀ ହକ ଦାବିରେ ଶାଶୁଘର ବାରଣ୍ଡାରେ ଲକ୍ଷ୍ମୀଙ୍କ ଧାରଣା ଆଜି ଦ୍ବିତୀୟ ଦିନରେ । ମାର୍ଗଶୀର ମାସ ଗୁରୁବାର ଯୋଗୁଁ ଲକ୍ଷ୍ମୀଙ୍କୁ ଧାରଣାସ୍ଥଳରେ ସୁମରଣା କରି ଭଲରେ ରୋଷେଇ କରି ଖାଇଲେ ଲକ୍ଷ୍ମୀ ।

ତପସ୍ବିନୀ, ଦୀପିକା, ସ୍ବପ୍ନା ପରେ ଏବେ ସ୍ତ୍ରୀର ହକ ଦାବିରେ ସ୍ବାମୀର ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ଲକ୍ଷ୍ମୀ । ଗତକାଲି ଠାରୁ ଲକ୍ଷ୍ମୀ ସ୍ତ୍ରୀର ହକ ଦାବି ପରି ତାଙ୍କ ସ୍ବାମୀ ନୃସିଂହ ପ୍ରଧାନଙ୍କ ଘର ବାରଣ୍ଡାରେ ଧାରଣାରେ ବସିରହିଛନ୍ତି । ଲକ୍ଷ୍ମୀଙ୍କୁ ସହଯୋଗ କରି ତାଙ୍କ ସହ ଧାରଣାରେ ବସିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ତେବେ ଆଜି ମାର୍ଗଶୀର ମାସ ଗୁରୁବାର ରହିଥିବା ଯୋଗୁଁ ନୃସିଂହଙ୍କ ଘର ବାରଣ୍ଡାରେ ରୋଷେଇ କରି ଖାଇଥିଲେ ଲକ୍ଷ୍ମୀ । ରୋଷେଇ କରିବା ନିମନ୍ତେ ସମସ୍ତ ପ୍ରକାରର ସାମଗ୍ରୀ ସମାଜସେବୀ ପ୍ରମିଳା ତ୍ରିପାଠୀ ଲକ୍ଷ୍ମୀଙ୍କୁ ଯୋଗାଇ ଦେଇଥିଲେ ।

ଲକ୍ଷ୍ମୀ ଧାରଣାରେ ବସିଥିବା ବେଳେ ନା ନୃସିଂହ ନା ତାଙ୍କ ପରିବାର ଲୋକେ କେହି ମଧ୍ୟ ଘରୁ ବାହାରକୁ ବାହାରି ଆଲୋଚନା ନିମନ୍ତେ ଆସିନାହାନ୍ତି । ତଥାପି ମଧ୍ୟ ସେଭଳି ନୃସିଂହଙ୍କ ଘର ବାରଣ୍ଡାରେ ଧାରଣା ଜାରି ରଖିଥିବା ବେଳେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଭଳି ଧାରଣା ଚାଲୁ ରହିବ ବୋଲି କହିଛନ୍ତି ଉଭୟ ଲକ୍ଷ୍ମୀ ଓ ପ୍ରମିଳା ତ୍ରିପାଠୀ ।

ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ଗାଁର ରଙ୍ଗୁଣି ସାହିରେ ସ୍ତ୍ରୀର ହକ ଦାବି କରି ଶାଶୁଘର ବାରଣ୍ଡାରେ ଧାରଣାରେ ବସିଥିବା ଲକ୍ଷ୍ମୀଙ୍କ କଥା। ଲକ୍ଷ୍ମୀଙ୍କ ନିଜ ଗାଁ ପଞ୍ଚମା ହୋଇଥିବା ବେଳେ ତିନି ବର୍ଷ ଧରି ସେହି ଗାଁର ନୃସିଂହ ପ୍ରଧାନ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଦୀର୍ଘ ବର୍ଷ ଧରି ଭଲପାଇବା ପରେ ଲକ୍ଷ୍ମୀଙ୍କ ସହିତ ନୃସିଂହ ଶାରୀରିକ ସମ୍ପର୍କ ରଖିଥିଲେ । ଏନେଇ ପରିବାର ଲୋକେ ଜାଣିବା ପରେ ଉଭୟଙ୍କ ୨୦୨୧ ଡ଼ିସେମ୍ବର ୨୧ ତାରିଖରେ ଗାଁ ମନ୍ଦିରରେ ବିବାହ ହେବା ସହିତ ପରବର୍ତ୍ତୀ ସମୟରେ ତଥା ଡ଼ିସେମ୍ବର ୨୭ରେ ନୋଟାରୀ ଜରିଆରେ ବିବାହ ନେଇ ଶପଥପାଠ କରିଥିଲେ । କିନ୍ତୁ ଏହାପରେ ଲକ୍ଷ୍ମୀଙ୍କୁ ନୃସିଂହ ନିଜ ଘରକୁ ନ ନେବା ଯୋଗୁଁ ଲକ୍ଷ୍ମୀ ଗୋଳନ୍ଥରା ଥାନାର ଦ୍ବାରସ୍ଥ ହେବା ପରେ ଚାରି ମାସ ଜେଲ ଯାଇଥିଲେ ନୃସିଂହ । ଜେଲରୁ ଆସିବା ପରେ ଲକ୍ଷ୍ମୀ ଓ ତାଙ୍କ ପରିବାର ଲୋକଙ୍କୁ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ବର୍ତ୍ତମାନ ନୃସିଂହ ତାଙ୍କୁ ଗ୍ରହଣ କରି ସ୍ତ୍ରୀର ଅଧିକାର ପ୍ରଦାନ କରନ୍ତୁ ଦାବି ନେଇ ଲକ୍ଷ୍ମୀ ଗତକାଲି ଠାରୁ ନୃସିହଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ।

ଲକ୍ଷ୍ମୀଙ୍କୁ ସହ ଧାରଣାରେ ବସିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ


ଲକ୍ଷ୍ମୀଙ୍କୁ ନ୍ୟାୟ ନ ମିଳିବାରୁ ଗତ କିଛି ମାସ ପୂର୍ବରୁ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ କିଛି ଗ୍ରାମବାସୀ ଓ ଲକ୍ଷ୍ମୀଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ଏହି ମାମଲାର ସମାଧାନ ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନିକଟକୁ ଆସିଥିଲେ । ଲକ୍ଷ୍ମୀଙ୍କ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରମିଳା ଲକ୍ଷ୍ମୀଙ୍କ ଶାଶୁଘର ତଥା ନୃସିଂହଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ବୁଝାସୁଝା କରିଥିଲେ।

‘‘ଗତକାଲି ଠାରୁ ନ୍ୟାୟ ପାଇବା ପାଇଁ ଦାବି କରି ଧରାଣା ଦିଆଯାଇଛି । ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଭାବେ ଦିଆଯାଇଥିବା ବେଳେ ଖୁବଶୀଘ୍ର ଯଦି ନୃସିଂହ ଓ ତାଙ୍କ ପରିବାର ଲୋକେ ସାମ୍ନାକୁ ନ ଆସି ମାମଲାର ସମାଧାନ ନ କରନ୍ତି ତେବେ ଲକ୍ଷ୍ମୀ ଦେଇଥିବା ଏତଲା ମୁତାବକ ନୃସିଂହ ଓ ତାଙ୍କ ପରିବାର ଲୋକେ ଗିରଫ ହେବେ । ତେଣୁ ଗିରଫଦାରୀ ପର୍ଯ୍ୟନ୍ତ ନ ଯାଇ ମାମଲାର ସମାଧାନ କରିବା ନିମନ୍ତେ ନୃସିଂହ ଓ ତାଙ୍କ ପରିବାର ଲୋକେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି,‘‘ ସମାଜସେବୀ ପ୍ରମିଳା ତ୍ରିପାଠୀ ।

ଲକ୍ଷ୍ମୀ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ନୃସିଂହଘର ବାରଣ୍ଡାରେ ଧାରଣାରେ ବସିଥିବା ବେଳେ ନୃସିଂହଘରୁ କେହି ବାହାରକୁ ବାହାରିନାହାନ୍ତି । ସେପଟେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋଳନ୍ଥରା ଥାନା ପୋଲିସର କିଛି କର୍ମଚାରୀ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।
Published by:Soumya Das
First published: