ଆଜି ଦେଶ ପାଇଁ ଐତିହାସିକ ଦିନ: ଦେଶର ପ୍ରଥମ ମୋବାଇଲ ଫୋନ୍ କଲ୍କୁ ପୂରିଲା ୨୫ ବର୍ଷ
୧୯୯୫ ମସିହାରେ ଆଜିର ଦିନରେ ପଶ୍ଚିମ ବଙ୍ଗର ତତ୍କାଳୀନ CM ଜ୍ୟୋତି ବସୁ କୋଲକାତାରୁ ଦିଲ୍ଲୀକୁ ଦେଶର ପ୍ରଥମ ମୋବାଇଲ୍ କଲ୍ କରି ତତ୍କାଳୀନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖରାମଙ୍କ ସହ କଥା ହୋଇଥିଲେ।

ଜ୍ୟୋତି ବସୁ ଓ (ଡାହାଣ) ସୁଖ ରାମ୍
- News18 Odia
- Last Updated: July 31, 2020, 2:56 PM IST
ନୂଆ ଦିଲ୍ଲୀ: ଆଜିକୁ ଠିକ୍ ୨୫ ବର୍ଷ ପୂର୍ବେ ଆଜିର ଦିନରେ ଗୋଟେ ଟେଲିଫୋନ୍ କଲ୍ କରାଯାଇଥିଲା । ସେହି କଲ୍ ଆମ ଦେଶ ପାଇଁ ଯୋଗାଯୋଗର ମାର୍ଗ ସବୁ ଦିନ ପାଇଁ ବଦଳାଇ ଦେଇଥିଲା ଓ ଭାରତରେ ଯୋଗାଯୋଗ ବିପ୍ଳବ ଆରମ୍ଭ କରିଥିଲା ।
ଜୁଲାଇ ୩୧, ୧୯୯୫ ମସିହାରେ ପଶ୍ଚିମ ବଙ୍ଗର ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜ୍ୟୋତି ବସୁ (Jyoti Basu) ଏକ ନୋକିଆ ମୋବାଇଲ୍ ଫୋନ୍ ବ୍ୟବହାର କରି ତତ୍କାଳୀନ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ସୁଖ ରାମଙ୍କ (Sukh Ram) ସହ କଥା ହୋଇଥିଲେ। ତାହା ଭାରତ ପାଇଁ ପ୍ରଥମ ମୋବାଇଲ୍ ଫୋନ୍ ବ୍ୟବହାର ଥିଲା । ତାହା ଥିଲା ଦେଶର ପ୍ରଥମ ମୋବାଇଲ୍ କଲ୍ ।
ଜ୍ୟୋତି ବସୁ କଲିକତାର (ବର୍ତ୍ତମାନ କୋଲକାତା) ରାଇଟର୍ସ ବିଲଡିଂରେ ବସି ନୂଆ ଦିଲ୍ଲୀର ସଞ୍ଚାର ଭବନକୁ ମୋବାଇଲ୍ ଫୋନରେ ସେହି କଲ୍ ଲଗାଇଥିଲେ । ଭାରତର ସେହି ପ୍ରଥମ ମୋବାଇଲ୍ ଫୋନ୍ କଲ୍ ମୋଦି ଟେଲଷ୍ଟ୍ରାର ମୋବାଇଲ୍ ନେଟୱାର୍କ ମାଧ୍ୟମରେ ହୋଇଥିଲା। ସେହି ସେଲୁଲାର୍ କଲ୍ କୋଲକାତାରେ ମୋବାଇଲ୍ ନେଟ୍ ସେବା ଉଦ୍ଘାଟନ ପାଇଁ କରାଯାଇଥିଲା ।

ଏବେ ୫ଜି ମୋବାଇଲ୍ ସେବା ଆରମ୍ଭ କରିବା ଲାଗି ଭାରତ ପ୍ରସ୍ତୁତ ହେଉଛି।
ସେହି ସମୟରେ ଦେଶର ପ୍ରଥମ ମୋବାଇଲ୍ ସେବା ପ୍ରଦାନକାରୀ କଂପାନୀ ଥିଲା ମୋଦି ଟେଲେଷ୍ଟ୍ରା ତା’ର ନାମ ପରବର୍ତ୍ତୀ ସମୟରେ ସ୍ପାଇସ୍ ରଖାଯାଇଥିଲା ।
୧୯୯୫ରେ ମୋବାଇଲ୍ ଫୋନରେ କଲ୍ କରିବା ଅତି ମହଙ୍ଗା ଥିଲା। ମିନିଟ୍ ପିଛା ୧୬ ଟଙ୍କା ୮୦ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏବେ ନିଶୁଳ୍କ ମୋବାଇଲ୍ କଲର ଯୁଗ ଚାଲିଛି । କିଛି ସହର ଓ ରାଜ୍ୟରେ ଜନସଂଖ୍ୟା ଠାରୁ ମୋବାଇଲ ସଂଯୋଗ ସଂଖ୍ୟା ଅଧିକ ରହିଛି।
ଭାରତରେ ମୋବାଇଲ୍ ସେବାର ମୁଳଦୂଆ ୧୯୯୪ରେ ପଡ଼ିଥିଲା। ଜାତୀୟ ଟେଲିକମ୍ ନୀତି ଅନୁଯାୟୀ ମୋବାଇଲ୍ ସେବା ପ୍ରଦାନ କରିବା ଲାଗି ଘରୋଇ କଂପାନୀଗୁଡ଼ିକୁ ଅନୁମତି ମିଳିଥିଲା।
୧୯୯୫ ମସିହା ଜୁଲାଇରୁ ଯେଉଁ ବିପ୍ଳବ ଆରମ୍ଭ ହୋଇଥିଲା ତାହା ଏବେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିଛି । ଚୀନ୍ ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ ମୋବାଇଲ୍ ଗ୍ରାହକ ଭାରତରେ ଅଛନ୍ତି । ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତରେ ଏବେ ପ୍ରାୟ ୧୧୫ କୋଟି ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ।
ଭାରତରେ ଟେଲି ଯୋଗାଯୋଗ ୧୯୯୫ ମସିହାରୁ ଏକ ଦୀର୍ଘ ରାସ୍ତା ଅତିକ୍ରମ କରି ଆସିଛି । ମେ ୨୦୧୫ର ଶେଷରେ ଦେଶରେ ସମୁଦାୟ ଟେଲିଫୋନ୍ ସଂଯୋଗ ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଥିଲା । ସେହି ଏକ କୋଟି ଫୋନ୍ ସଂଯୋଗ ମଧ୍ୟରୁ ୯୭.୫୭ କୋଟିରୁ ଅଧିକ ସଂଯୋଗ ବେତାର ଅର୍ଥାତ୍ ମୋବାଇଲ୍ ଥିଲା ।
ଏହା ବି ପଢ଼ନ୍ତୁ: ଅନଲକ୍ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
୨୦୧୪ ପରେ ଦେଶ ମୋବାଇଲ୍ ସେବାର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା । ୪ଜି ସେବା ଆରମ୍ଭ ହେବା ପରେ ୨୦୧୪ ପରେ ଦେଶରେ ୫୦ କୋଟିରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି । ଏବେ ୫ଜି ମୋବାଇଲ୍ ସେବା ଆରମ୍ଭ କରିବା ଲାଗି ଭାରତ ପ୍ରସ୍ତୁତ ହେଉଛି।