News18 Odia Digital
ଭୁବନେଶ୍ବର: ମୋଦି ସରକାରର ୮ ବର୍ଷର ପୂର୍ତ୍ତି ସାରା ଦେଶରେ ପାଳିତ ହେଉଥିବାବେଳେ ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀମାନଙ୍କର ପ୍ରଦର୍ଶନ କେତେ ଲୋକାଭିମୁଖୀ ହୋଇ ପାରିଛି, ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଉ ଏହି ଚର୍ଚ୍ଚା ଅଧିକ।
ରେଳ ବିଭାଗ ସହିତ ଯୋଗାଯୋଗ, ବୈଷୟିକ ଓ ସୂଚନା ପ୍ରଯୁକ୍ତି ବିଭାଗର ଦାୟିତ୍ୱ ମିଳିଛି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ। ଆଉ ଏହି ଦାୟିତ୍ୱକୁ ସଫଳତାର ସହିତ ତୁଲାଇବାରେ ସକ୍ଷମ ହୋଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୋଲି ସବୁ ମହଲରୁ ତାଙ୍କୁ ମିଳୁଛି ଭରପୁର ସମର୍ଥନ।
୨୦୨୧ ଜୁଲାଇ ୭ ତାରିଖରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଥିଲା। ଏହି ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର କ୍ୟାବିନେଟରେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ସମସ୍ତଙ୍କ ନଜର ଥିଲା ତାଙ୍କ ଉପରେ।
ମୁଖ୍ୟ କଥା ହେଲା, ନିଜର ଦାୟିତ୍ୱକୁ ସଫଳ ଭାବେ ତୁଲାଇବାରେ ସକ୍ଷମ ହୋଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୋଲି କୁହାଯାଉଛି। ଏଥିପାଇଁ ଦଳମତ ନିର୍ବିଶେଷରେ ସବୁଆଡ଼ୁ ତାଙ୍କୁ ମିଳୁଛି ଭରପୁର ସମର୍ଥନ। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବିଜେପିର ସାଧାରଣ ସମ୍ପାଦକ ପୃଥିୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ, କେନ୍ଦ୍ର କ୍ୟାବିନେଟ୍ରେ ଦାୟିତ୍ୱ ମିଳିବା ପରେ ବିଭାଗର ପାରଦର୍ଶିକାକୁ ଉଚ୍ଚସ୍ତରରେ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରି ଆସିଛନ୍ତି ଅଶ୍ବିନୀ ବୈଷ୍ଣବ। ରେଳ ବିଭାଗରେ ବର୍ଷ ବର୍ଷ ଧରି ଅଟକି ରହିଥିବା ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି। ବିଶେଷ କରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇ ଆସିଛନ୍ତି, ଯାହାକୁ ସବୁ ସ୍ତରରୁ ଉଚ୍ଚ ପ୍ରଶଂସା ମିଳିଛି। ସେହିଭଳି ବିଏସ୍ଏନ୍ଏଲ୍କୁ ଲାଭବାନ ସଂସ୍ଥାରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ମଧ୍ୟ ତାଙ୍କର ଏ ପର୍ଯ୍ୟନ୍ତ ମନ୍ତ୍ରୀତ୍ୱ ସମୟର ଏକ ବଡ଼ ଉଦ୍ୟମ ବୋଲି କୁହାଯାଇଛି। କେବଳ ଅଶ୍ୱିନୀ ବୈଷ୍ଣବ ନୁହଁନ୍ତି, ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀମାନଙ୍କର ଅନବରତ ଉଦ୍ୟମ ପ୍ରଶଂସନୀୟ।
କଂଗ୍ରେସ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଛି। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘ଓଡ଼ିଶାରେ ବର୍ଷ ବର୍ଷ ଧରି ଅନେକ ରେଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଛି, ଯାହାକୁ ଉପଯୋଗୀ କରିବାର ଆବଶ୍ୟକ ରହିଛି। ତେବେ ଦାୟିତ୍ୱ ଗ୍ରହଣ ପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯେତିକି ଉଦ୍ୟମ କରୁଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ। କାରଣ କାମ ଦେଇ କାମ ଆଦାୟ କରିବା ଫର୍ମୁଲାକୁ ଭଲଭାବେ ବୁଝିଛନ୍ତି ସେ। ଅଧାପନ୍ତରିଆ ହୋଇ ଅଟକି ରହିଥିବା ପ୍ରକଳ୍ପର କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।’’
ବିଜେଡ଼ି ମଧ୍ୟ ରେଳ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛି। ବରିଷ୍ଠ ବିଜେଡ଼ି ନେତା ତଥା କଟକ ମେୟର ସୁବାସ ସିଂ କହିଛନ୍ତି, ‘‘ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଅନେକ ଲୋକାଭିମୁଖୀ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ରେଳବାଇ କ୍ଷେତ୍ରରେ ଓଡ଼ିଶା ଅବହେଳିତ ହୋଇଆସିଛି। କିନ୍ତୁ ଯେଉଁ ଧାରାରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବିଭାଗରେ ପାରଦର୍ଶିତା ଆଣିବା ପାଇଁ ଉଦ୍ୟମ କରୁଛନ୍ତି ତାହା ସ୍ୱାଗତଯୋଗ୍ୟ। ଏହି ଧାରାକୁ ଅଧିକ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି।
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ‘‘ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଣେ ଅନୁଭବୀ ବ୍ୟକ୍ତିତ୍ୱ। ବିଭିନ୍ନ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି। ବିଶେଷକରି ରେଳ ବିଭାଗରେ ଅନୁଶାସନ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ତାକୁ ଯେ କେହି ବି ପ୍ରଶଂସା ନ କରି ରହି ପାରିବ ନାହିଁ। ଏହାର ପ୍ରତିଫଳନ ଧୀରେ ଧୀରେ ଅନୁଭୂତ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।