ବିଧାନସଭାର ପ୍ରଥମ ଦିନ: ମରୁଡ଼ି ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; କହିଲେ ଋଣ ଛାଡ଼ କର
ବିଧାନସଭାର ପ୍ରଥମ ଦିନରେ ମରୁଡ଼ି ତାତିକୁ ନେଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ଋଣଛାଡ଼ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଦଳ ଦାବି କରିଛନ୍ତି।
କୃଷି ଋଣ ଛାଡ଼ କରିବା ପାଇଁ ଦାବି କଲେ ବିରୋଧୀ (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 1, 2021, 7:10 PM IST
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ। ବିଧାନସଭାର ପ୍ରଥମ ଦିନରେ ମରୁଡ଼ି ତାତିକୁ ନେଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ଋଣଛାଡ଼ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଦଳ ଦାବି କରିଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ସେପ୍ଟେମ୍ୱର ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ୬ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିବା ବେଳେ ବିରୋଧୀ କଂଗ୍ରେସର ହୋ ହଲ୍ଲା ଯୋଗୁଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ। ପ୍ରଶ୍ନ କାଳ ବାତିଲ କରି ମରୁ଼ଡ଼ି ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପରେ କଂଗ୍ରେସ ସଦସ୍ୟମାନେ ପୋଡ଼ିଅମ ନିକଟକୁ ଯାଇ ହଟ୍ଟଗୋଳ କରିଥିଲେ। ହୋ ହଲ୍ଲା ମଧ୍ୟରେ କିଛି ସମୟ ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିବା ପରେ ଗୃହକୁ ୧୨ ଟା ୩୪ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସମୟ ଅଭାବରୁ ଶୂନ୍ୟକାଳ ବାତିଲ କରି ବିରୋଧୀ ବିଜେପି ଆଣିଥିବା ମୁଲତବୀ ଉପରେ ଅଲୋଚନା ଆରମ୍ଭ ହୋଇଥିଲା।
"ସରକାରଙ୍କ ଯୋଗୁଁ ଦୁର୍ଦ୍ଦଶାରେ ଚାଷୀକୂଳ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, "ଏବର୍ଷ ରାଜ୍ୟର ୧୪ଟି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଅଗଷ୍ଟ ୨୮ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୧୧ଟି ଜିଲ୍ଲାର ୧୫ ବ୍ଲକରେ ୫୯%ରୁ କମ୍ ବର୍ଷା ହୋଇଛି । କ୍ଷେତ୍ରୀୟ ତଥ୍ୟ ଅନୁସାରେ ୧୪ ଜିଲ୍ଲାର ୪୭ ବ୍ଲକ୍ରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି । ଏହି ୪୭ ବ୍ଲକ୍ରେ ଫସଲର ଅବସ୍ଥା ସ୍ବାଭାବିକଠାରୁ ଖରାପ ଅଛି । ଗତବର୍ଷ ତୁଳନାରେ ୩.୪୫ ଲକ୍ଷ ହେକ୍ଟର କମ୍ ଜମିରେ ଚାଷ ହୋଇଛି । ରାଜ୍ୟରେ ଅଣଧାନ ଫସଲର ଅବସ୍ଥା ଠିକ ଅଛି”।
ଗତ ୨୦ ବର୍ଷ ଭିତରେ ୮ ଥର ରାଜ୍ୟରେ ମରୁଡ଼ି ହୋଇଛି। ଫସଲ ସ୍ଥିତିର ସମୀକ୍ଷା ପାଇଁ ସବୁ ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ସେମାନେ ଫସଲର ଅବସ୍ଥା ଓ ଜଳସେଚନ ବ୍ୟବସ୍ଥାର ଆକଳନ କରୁଛନ୍ତି । ପ୍ରତି ସୋମବାର କୃଷି ଉତ୍ପାଦନ କମିଶନର ଫସଲର ଅବସ୍ଥା ସମୀକ୍ଷା କରୁଛନ୍ତି । ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ଓ ୭ ଦିନ ମଧ୍ୟରେ ସବୁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମନରେଗା ମାଧ୍ୟମରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଦ୍ବିତୀୟ ଫସଲ ପାଇଁ ରିହାତି ଦରରେ ପମ୍ପସେଟ ଯୋଗାଇବାକୁ ଆଲୋଚନା ହେଉଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ।
ମୁଲତବୀ ପ୍ରସଙ୍ଗରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ କହିଛନ୍ତି, “୩୦ଟି ଜିଲ୍ଲାରୁ ୨୭ଟି ଜିଲ୍ଲାରେ ମରୁଡ଼ି ସ୍ଥିତି ହୋଇସାରିଲାଣି ବୋଲି ମନ୍ତ୍ରୀ ସ୍ୱୀକାର କରନ୍ତୁ। ଆଇନ ଅନୁଯାୟୀ ସରକାର ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ି ଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ । ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ଯବସ୍ଥା ହେବ ବୋଲି ସରକାର କହିଥିଲେ”।
ଗୃହ ବାହାରେ ମୋହନ ମାଝୀ କହିଛନ୍ତି, "ମରୁଡ଼ି ପ୍ରସଙ୍ଗରେ ରାଜସ୍ୱମନ୍ତ୍ରୀ ଉତ୍ତର ରଖିବା କଥା । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୟରେ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ରହିବା କଥା। କିନ୍ତୁ କେହି ଉପସ୍ଥିତ ରହିନାହାଁନ୍ତି। ବାଚସ୍ପତି କିଏ ଉତ୍ତର ରଖିବ ସେ ନେଇ ବାଟସ୍ପତି କିଛି କହିଲେନି। କୃଷିମନ୍ତ୍ରୀ ଯେଉଁ ଉତ୍ତର ରଖିଲେ ତାହା ସମ୍ପୂର୍ଣ୍ଣ ବେପାରୁଆ। ୫୦ ପ୍ରତିଶତ ଉଠା ଜଳସେଚନ ପ୍ରକଳ୍ପ ଅଚଳ। ମରୁଡ଼ି ସ୍ଥିତି ଉପଜିଥିଲେ ବି ଗୋଟେ ବି ମରାମତି କରାଗଲା ନାହିଁ। କୃଷକଙ୍କ ପ୍ରତି ସରକାରଙ୍କ ଦରଦ ନାହିଁ। ସରକାର ଋଣ ଛାଡ଼ କରନ୍ତୁ, ସାର, ବିହନ ଓ ଔଷଧ ମାଗଣାରେ ଯୋଗାଇ ଦିଅନ୍ତୁ। ମନ୍ତ୍ରୀଙ୍କ ଉତ୍ତରେରେ ଅସନ୍ତୋଷ ପ୍ରକାଶ କରି ବିଜେପି କକ୍ଷତ୍ୟାଗ କରିଛି"।
ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଧାନସଭା ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ପ୍ରଦୀପ୍ତ ନାଏକ ଆଜି ବିଧାନସଭା କାର୍ଯ୍ୟ ଆରମ୍ଭରୁ ଭିସି ଯୋଗେ ସାମିଲ ହୋଇଛନ୍ତି । ଏଥିସହ ଟ୍ବିଟରରେ ଏ ସମ୍ପର୍କରେ ଲେଖିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । କିନ୍ତୁ ଲୋକେ ଦେଇଥିବା ଦାୟିତ୍ବ ତାଙ୍କ ପାଇଁ ପ୍ରାଥମିକତାରେ ରହିଛି । ବିଧାନସଭା ଗୃହରେ ଉପସ୍ଥିତ ନ ରହିଲେ ଡାକ୍ତରଖାନାରୁ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ରହିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।






