ବିଧାନସଭାର ପ୍ରଥମ ଦିନରେ ବିଜୁ କୃଷକ ଜନତା ଦଳ ତରଫରୁ ବିକ୍ଷୋଭ ସମାବେଶ; ସାର ପାଇଁ କେନ୍ଦ୍ରକୁ ଘେରି ଥିଲା ଦଳ
ବିଧାନସଭାର ପ୍ରଥମ ଦିନରେ ମରୁଡ଼ି ତାତିକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ଟାର୍ଗେଟ କରିଥିବା ବେଳେ ସାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଲଗାଇଥିଲା ବିଜେଡି ।
ସାର ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା BJD
- News18 Odia
- Last Updated: September 2, 2021, 5:24 PM IST
ଭୁବନେଶ୍ବର: ବୁଧବାର ଦିନ ବିଜୁ କୄଷକ ଜନତା ଦଳ ତରଫରୁ ବିକ୍ଷୋଭ ସମାବେଶ ହୋଇଥିଲା । ରାଜଭବନ ନିକଟରେ ସମାବେଶ କରିଥିଲା ବିଜେଡି। ସାର ଯୋଗାଣରେ ଅବହେଳା ନେଇ କେନ୍ଦ୍ର ବିରୋଧରେ ବର୍ଷିଛି ବିଜେଡି । କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ଏବେ ଓଡ଼ିଶାର ଚାଷୀ ଦୁର୍ଦ୍ଦିନରେ ରହିଥିବା ଦଳ ଅଭିଯୋଗ କରିଛି । ତୁରନ୍ତ ଫସଲ ପାଇଁ ସାର ଯୋଗାଇ ଦେବାକୁ ଦାବି କରି ରାଜଭବନ ସମ୍ମୁଖରେ ବିକ୍ଷୋଭ ଧାରଣା ଦେଇଥିଲା ବିଜୁ କୃଷକ ଜନତା ଦଳ । ପ୍ଲାନ ଅନୁସାରେ କେନ୍ଦ୍ର ସାର ଦେଉନହିଁ । ଚାଷୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରହିଛି ।
ରାଜ୍ୟର ଅଧିକାରରୁ ବଞ୍ଚିତ କରାଗଲେ ତାହାକୁ ବରଦାସ୍ତ କରାଯିବନି ବୋଲି କହିଛି ବିଜେଡି । ତୁରନ୍ତ ସାର ଯୋଗାଇ ଦେବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ, "ରାଜ୍ୟକୁ କେତେ ସାର ଦରକାର ସେହି ହିସାବରେ କେନ୍ଦ୍ରକୁ ଆମେ ଆକ୍ସନ ପ୍ଲାନ ଦେଇଥାଉ। କେନ୍ଦ୍ର ସରକାର ଯେତିକି ସାର ଯୋଗାଇ ବା ରାଜି ଥିଲେ ସେତିକି ବି ଦେଉନାହାଁନ୍ତି। ମୁଖ୍ୟ ମନ୍ତ୍ରୀ ବି ସାର ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ବିଜେଡି ସାଂସଦ ମାନେ ବି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ । ଓଡ଼ିଶାର ଚାଷୀ କୁଳ ଏବେ ବିଲରେ । ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ତାଙ୍କ ଦାଇତ୍ବକୁ ନିର୍ବାହ କରନ୍ତୁ। ବିଜୁ କୄଷକ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଏ ଆନ୍ଦୋଳନ ହେଉଛି। ରାଜ୍ୟ ପାଳଙ୍କୁ ଦାବି ପତ୍ର ଦିଆଯାଇଛି । ଚାଷୀ କୁଳର ସ୍ବାର୍ଥ ହାସଲ ନ ହେବାଯାଏ ଏ ଆନ୍ଦୋଳନ ଜାରି ରହିବ ।"

ରାଜଭବନ ନିକଟରେ ସମାବେଶ କରିଥିଲା ବିଜେଡି
ଖରିପ ଋତୁ ପାଇଁ ରାଜ୍ୟକୁ ୪ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ୟୁରିଆ, ଦୁଇ ଲକ୍ଷ ମେଟ୍ରିକ ଟନ୍ ଡ଼ି.ଏ.ପି., ଏକ ଲକ୍ଷ ମେଟ୍ରିକ ଟନ୍ ଏମ. ଓ. ପି. ଓ ଦୁଇ ଲକ୍ଷ ଟନ୍ କମ୍ପ୍ଲେକ୍ସ ସାର ଯୋଗାଇ ଦେବା ପାଇଁ ପତ୍ରିଶ୍ରୁତି ଦେଇଥିଲା କେନ୍ଦ୍ର, କିନ୍ତୁ ମାସିକ ସପ୍ଲାଏ ପ୍ଳାନ ଅନୁଯାଇ ବର୍ତମାନ ଅଗଷ୍ଟ ୩୦ ସୁଦ୍ଧା ୩ ଲକ୍ଷ ୧୦ ହଜାର ମେଟ୍ରିକ ଟନ୍ ୟୁରିଆ, ୧ ଲକ୍ଷ ୮୫ ହଜାର ମେଟ୍ରିକ ଟନ୍ ଡ଼ି. ଏ. ପି., ୮୫ ହଜାର ମେଟ୍ରିକ ଟନ୍ ଏମ. ଓ. ପି. ୧ ଲକ୍ଷ ୮୨ ହଜାର କମ୍ପ୍ଲେକ୍ସ ସାର ଯୋଗାଇଛନ୍ତି । ଆବଶ୍ୟକତା ଠାରୁ କମ୍ ସାର କେନ୍ଦ୍ର ସରକାର ଦେଇଥିବା ବିଜେଡି ଅଭିଯୋଗ କରିଛି ।
ବରଗଡ଼ରେ ମଧ୍ୟ ବିଜୁ କୃଷକ ଜନତା ଦଳର ପରତିବାଦ ଦେଖିବାକୁ ମିଳିଥିଲା । ରାଜ୍ୟରେ ସାରର କୃତ୍ରିମ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି । ବିଭିନ୍ନ ସାରର ବ୍ୟାପକ ଅଭାବ ଯୋଗୁ ଏବେ ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଧାନ ଓ ପନିପରିବା ଚାଷ ପ୍ରଭାବିତ ହୋଇଛି । ରାଜ୍ୟରେ ଏଥର ଖରିଫ ଋତୁରେ ୬୧ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ ହୋଇଛି । ଏଥିସହ ଦେଢ଼ ଲକ୍ଷ ହେକ୍ଟର ଜମିରେ ମକା, କପା, ପନିପରିବା ଚାଷ ହୋଇଛି । ଚାଷ କାମ ପାଇଁ ୪ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ୟୁରିଆ ସାର କେନ୍ଦ୍ର ସରକାର ଯୋଗାଇ ଦେବା କଥା । ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୩ ଲକ୍ଷ ୧୦ ହଜାର ମେଟ୍ରିକ ଟନ୍ ସାର ଯୋଗାଇଛନ୍ତି ।
ଏବେ ବି ଦେଢ଼ ଲକ୍ଷ ମେଟ୍ରିକ ଟନ୍ ସାର ମିଳିନାହିଁ । ଆଉ ରାଜ୍ୟରେ ସାରର ଅଭାବରୁ ଚାଷୀ କୁଳ ବେଶ୍ ପ୍ରଭାବିତ ହେବା ସହ ଚାଷ କାମ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଆବଶ୍ୟକ ଅନୁସାରେ ସାର ପ୍ରଦାନ ନ କଲେ ଆଗାମୀ ଦିନିରେ ବିଜେଡି ପକ୍ଷରୁ ଚାଷୀ ଆନ୍ଦୋଳନ ଜୋରଦାର କରାଯିବ ବୋଲି ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ।
ଜୟପୁରରେ ବି ସାର ପାଇଁ ଆନ୍ଦୋଳନ । ସାରର କୃତିମ ଅଭାବ ବିରୋଧରେ ରାସ୍ତାକୁ ଓହ୍ଲାଇ ଥିଲେ ଚାଷୀ । ରାଜରାସ୍ତାରେ କରିଥିଲେ ଆନ୍ଦୋଳନ। ଜୟପୁର ଆରସିଏମ ସି ଗୋଦାମ ଆଗରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ । ବର୍ଷା ଅଭାବ ଯୋଗୁ ଚାଷ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ସାରର କୃତିମ ଅଭାବକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚାଷୀଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଛି ବିଜେପି । ବିଜେପି ନେତା ଗୌତମ ସାମନ୍ତରାୟ ଚାଷୀଙ୍କ ସ୍ବର ସହ ସ୍ବର ମିଳାଇବା ସହିତ ତୁରନ୍ତ ଚାଷୀଙ୍କୁ ସାର ୟୋଗାଇବାକୁ ଦାବି କରିଛନ୍ତି । ଚାଷୀଙ୍କ ଆନ୍ଦୋଳନ ଯୋଗୁ କିଛି ସମୟ ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା।

ବିକ୍ଷୋଭ ଧାରଣା କରିଥିଲା ଜନତା ଦଳ
କେନ୍ଦ୍ରର ସାର ଅବହେଳା ଅଭିଯୋଗର ପ୍ରତିବାଦ ନେଇ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି.। ମୁଖପାତ୍ର ଗୋଲକ ମହାପାତ୍ର କହିଥିଲେ, "ବିଧାନସଭା ଆରମ୍ଭ ହେବାର ପ୍ରଥମ ଦିନରେ ଶାସକ ଦଳ ବିଭିନ୍ନ ବିଷୟ ଆଲୋଚନା ପାଇଁ ବ୍ୟସ୍ତ ଓ ଆଲୋଚନାରତ ରହିବା କଥା କିନ୍ତୁ ବିଜେଡି ଆନ୍ଦୋଳନ କରୁଛି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡି ଚାହୁଁନାହିଁ ବିଧାନସଭାରେ ଆଲୋଚନା ହେଉ । ସମଗ୍ର ରାଜ୍ୟରେ ମରୁଡ଼ି କରାଳ ଛାୟା ଥିବାବେଳେ ଆଲୋଚନାକୁ ନ ଆସି ଆନ୍ଦୋଳନ କରୁଛି ଶାସକ ଦଳ ।’’
ସେ ଆହୁରି କହିଥିଲେ, ‘‘ନିଜ ଅପାରଗତା ଓ ସ୍ଥାଣୁତା ଲୁଚାଇବାକୁ ଯାଇ ପୁଣି ଆଜି ଆଉ ଗୋଟେ ନାଟକ କରିଛି । ଲୁଚିଚି ନା ଗୋଡ଼ ଦୁଇଟା ଦିଶୁଚି । ନିଜ ଅପାରଗତା ଲୁଚାଇବା ପାଇଁ ବିଜେଡି ଦଳର ପୁରୁଣା ଅଭ୍ୟାସ । ପ୍ରଧାନ ମନ୍ତ୍ରୀ ଚାଷ କ୍ଷେତ୍ର ଅବା ସାର ଯୋଗାଣ ଓଡ଼ିଶାକୁ ପ୍ରାଥମିକତା ଦିଆଯାଇଛି । ଧାର୍ଯ୍ୟ ସାର ଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି । ସାର ଦେଉନାହାନ୍ତି ଯେଉଁ ଅଭିଯୋଗ ବିଜେଡି କରୁଛି ତାହା ସମ୍ପୂର୍ଣ ଭିତ୍ତିହୀନ । ଖରିପ ଋତୁରେ ଆବଶ୍ୟକ ସାର ମହଜୁଦ ଅଛି, ପ୍ରସଙ୍ଗ ନ ଥିବାରୁ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ଦୋଷ ଲଦୁଛି ବେଜିଡି । ସାର ପାଇଁ ରାଜ୍ୟ ସରକାର ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ତାହା ଲୋକ ଦେଖାଣିଆ । "
ରାଜ୍ୟ ସରକାରଙ୍କ କୃଷି ବିଭାଗ ୱେବ ସାଇଟ ରେ ଥିବା ତଥ୍ୟ କହୁଛି..
ୟୁରିଆ ରାଜ୍ୟ ସରକାର ମାଗିଛନ୍ତି ୩.୧୦ ହଜାର ମେଟ୍ରିକ ଟନ୍ କିନ୍ତୁ କେନ୍ଦ୍ର ପକ୍ଷରୁ ଦିଆଯାଇଛି ୩.୬୪ ଲକ୍ଷ ମେଟ୍ରିକ ଟନ୍ ସାର । ସେହିଭଳି ଡି.ଏ.ପି. ସାର ୧.୫୮ ଲକ୍ଷ ମେଟ୍ରିକ ଟନ୍ ମାଗିଥିବାବେଳେ ୧.୭୨ ଲକ୍ଷ ମେଟ୍ରିକ ଟନ୍ ଦିଆଯାଇଛି । ଏମ.ଓ.ପି. ୦.୮୫ ଟନ ମାଗିଥିଲେ, ଦିଆଯାଇଛି ୦.୯୬ ଟନ୍ । ଏମ.ପି.କେ.ଏସ. ମାଗିଛନ୍ତି ୧.୮୨ ଟନ୍ ଦିଆଯାଇଛି ୨.୧୩ ଲକ୍ଷ ମେଟ୍ରିକ ଟନ୍
ମିଥ୍ୟା ତଥ୍ୟର ସୌଦାଗର ହେଉଛନ୍ତି ରାଜ୍ୟ ସରକାର । ମିଛ କଥା ଗୁଡ଼ାଏ କହି ଲୋକଙ୍କୁ ଭ୍ରମିତ କରୁଛି ରାଜ୍ୟ ସରକାର । ବିଜେଡି ସରକାର ଏହି ତଥ୍ୟର ଜବାବ ଦିଅନ୍ତୁ, ଏହି ତଥ୍ୟ ରାଜ୍ୟ ସରକାରଙ୍କ ୱେବ ସାଇଟରେ ଉପଲବ୍ଧ ଅଛି । ଏହି ତଥ୍ୟର ଉତ୍ତର ଦିଅନ୍ତୁ ସରକାର ଓ ବ୍ୟକ୍ତିଗତ ସ୍ତରକୁ ନ ଯାଇ ଉତ୍ତର ରଖୁ ସରକାର ବୋଲି ରାଜ୍ୟ ବିଜେପି କହିଛି ।
କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, "ସାର ପାଇଁ ଚାଷୀ ହଇରାଣ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଦାଇତ୍ଵ ହେଉ ଛି ଚାଷୀଙ୍କ ସ୍ବାର୍ଥ ରକ୍ଷା। ପରସ୍ପର ଉପରକୁ କାଦୁଅ ଫିଙ୍ଗା ରାଜନୀତି ନକରି ଚାଷୀଙ୍କ ସ୍ବାର୍ଥ ରକ୍ଷା ଉପରେ ଗୁରୁତ୍ୱ ଦିଅନ୍ତୁ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ନିଜ ନିଜର ସଠିକ ଦାଇତ୍ବକୁ ଠିକରେ ନିର୍ବାହ କରନ୍ତୁ ।"
ନୂଆପଡ଼ା ଜିଲ୍ଲାରେ ବି ଶ୍ରାବଣ ମାସ ସରି ଭାଦ୍ରବ ମାସ ଆରମ୍ଭ ହୋଇଛି । ନୂଆପଡା ଜିଲ୍ଲାରେ କିନ୍ତୁ ଆଶାନୁରୂପ ବର୍ଷା ହୋଇନି । ଚାଷଜମି ଫାଟି ଆଁ କଲାଣି । ଜଳସେଚନ ମଧ୍ୟ ସୁବିଧା ହୋଇପାରୁନି । ତେଣୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଜଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଶହ ଶହ କୃଷକ ପଦଯାତ୍ରାରେ ଯୋଗ ଦେଇଥିଲେ ।






