News 18 Odia Digital
ପୁରୀ; ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଉଦଯାପନୀରେ ରାଜ୍ୟ ନେତୃତ୍ୱଙ୍କୁ ଗୁରୁମନ୍ତ୍ର । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ ,କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଉପାଧକ୍ଷ ରାଧାମୋହନ ସିଂହ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଓ ଯୋଜନା ବିଷୟରେ ଆଲୋକପାତ କରିଛନ୍ତି । ୨୦୨୪ ନିର୍ବାଚନ ପାଇଁ ପଲିଟିକାଲ ରୁଟ୍ ମ୍ୟାପ ପ୍ରସ୍ତୁତ ହୋଇଛି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବ ଦଳ । ସଂଗଠନକୁ ସୁଦୃଢ଼ କରିବା ସହ ୨୦୨୪ରେ ବାଜିମାତ କରିବା ରହିବ ମୂଳ ଲକ୍ଷ୍ୟ ।
ରାଷ୍ଟ୍ରୀୟ ସାଂଗଠନିକ ମହାମନ୍ତ୍ରୀ ବି ଏଲ ସନ୍ତୋଷ ପୁରୀ ଠାରେ ଭାରତୀୟ ଜନତା ପାର୍ଟିର ତିନିଦିନିଆ ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ରାଜ୍ୟ ନେତୃତ୍ୱଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ୨୦୨୪ ନିର୍ବାଚନ ପାଇଁ ସମରସଜା ସରିଛି । ପ୍ରସ୍ତୁତ ହୋଇଛି ନୂଆ ରଣନୀତି । ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନର ତ୍ରୁଟିକୁ ସୁଧାରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କ୍ଷେତ୍ର ପ୍ରସ୍ତୁତ ହୋଇଛି । ପ୍ରଭାରୀ, ସାଂଗଠନିକ ନେତୃତ୍ୱ, ଜିଲା ସଭାପତି, ସମ୍ପାଦକ, ରାଜ୍ୟ ନେତୃତ୍ୱ,ଏବଂ ୨୦୧୯ ନିର୍ବାଚନରେ ଲଢ଼ିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନେଇ ସରିଛି ତିନି ଦିନର ପ୍ରଶିକ୍ଷଣ । ଶେଷ ଦିନରେ ଦଳକୁ ମହାମନ୍ତ୍ର ସହ ରାଷ୍ଟ୍ର ଗଠନରେ ଭାରତୀୟ ଜନତା ପାର୍ଟିର ଅବଦାନକୁ ନେଇ ନେତୃତ୍ୱଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ବି ଏଲ୍ ସନ୍ତୋଷ ।

ପ୍ରଥମ ଦୁଇ ଦିନରେ ବ୍ବାର୍ମ ଅପ ହୋଇଥିବା ରାଜ୍ୟ ନେତୃତ୍ୱଙ୍କୁ ଶେଷ ଦିନରେ ମିଳିଛି ୨୦୨୪ ନିର୍ବାଚନ ରୋଡ ମ୍ୟାପ । ୪ଟି ସେସନ ସରିଛି ପ୍ରଶିକ୍ଷଣର ତୃତୀୟ ତଥା ଅନ୍ତିମ ଦିନ । ପ୍ରଥମ ସେସନରେ ରାଜ୍ୟ ସଭାପତି ସମୀର ମହାନ୍ତି ପଲିଟିକାଲ ରୋଡ ମ୍ୟାପ ବିଷୟରେ ଆଲୋଚନା କରିଥିବା ବେଳେ ଦ୍ଵିତୀୟ ସେସନରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତୃତୀୟ ସେସନରେ କୃଷି ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ ସିଂହ । ଶେଷ ସେସନରେ ରାଷ୍ଟ୍ରୀୟ ଗଠନରେ ଦଳର ଆଭିମୁଖ୍ୟ ଓ ଅବଦାନ ନେଇ ଅବଲୋକନ କରିଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ । ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ ହୋଇଛି ରୁଟ ପ୍ଲାନ ।
ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରାଯାଉଛି । ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା । ବିଭିନ୍ନ ଯୋଜନାରେ ମିଳୁଥିବା ଅର୍ଥକୁ ହରିଲୁଟ କରାଯାଉଛି ।ଏଭଳି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ଭାରତୀୟ ଜନତା ପାର୍ଟି । ରାଜରାସ୍ତାକୁ ଓହ୍ଲାଇ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଆନ୍ଦୋଳନ କରିବ ଦଳ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖପାତ୍ର ଗୋଲକ ମହାପାତ୍ର ।
୨୦୨୪ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବଢିଥିବା ବେଳେ ବିଜେଡିର ଭୋଟ ପ୍ରତିଶତ କମିଛି । ଗତ ସାଧାରଣ ନିର୍ବାଚନରେ ଅନେକ ପ୍ରାର୍ଥୀ ୧୦ ହଜାରରୁ କମ ବ୍ୟବଧାନରେ ହାରିଥିବା ବେଳେ ଅଧିକାଂଶ ପ୍ରାର୍ଥୀ ୧୦ରୁ ୧୫ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି । ଏଇ ବ୍ୟବଧାନ ହ୍ରାସ କରି ବିଜୟ ଲାଭ କରିବା ପାଇଁ ଲୋକଙ୍କ ପାଖରେ ପହଁଞ୍ଚିବ ବିଜେପି । ବୁଥ ଓ ମଣ୍ଡଳ ସ୍ତରରେ କର୍ମୀ ଓ ନେତାଙ୍କୁ ସଶକ୍ତ କରାଯିବା ସହ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଗତ ପଞ୍ଚାୟତ ନିର୍ବାଚନରେ ଯେଉଁଭଳି ଭାବରେ ଜିତିବା ପାଇଁ ଶାସକ ଦଳ ବୁଥ କ୍ୟାପଚରିଙ୍ଗ ଭଳି ପନ୍ଥାକୁ ଅବଲମ୍ବନ କରିଥିଲା ,ସେଥିରୁ ଶାସକ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି କହିଛି ବିଜେପି । ସ୍ପଷ୍ଟ ଭିଜନ ଓ ରାଜ୍ୟରେ ଥିବା ସମସ୍ୟାକୁ ପ୍ରସଙ୍ଗ କରି ୨୦୨୪କୁ ହାତେଇବା ପାଇଁ ଦଳର ଯୋଜନା ହୋଇଛି ବୋଲି କହିଛନ୍ତି ବିଜେପି ବିରୋଧୀ ଦଳ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ।
ଗତ ସେପ୍ଟେମ୍ବରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଆଗାମୀ ନିର୍ବାଚନ ପାଇଁ ଦଳର ଭିଜନ ସ୍ପଷ୍ଟ କରିଥିଲା । ଆଗାମୀ ୨୯ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦଳର ସଭାପତି ଜେ ପି ନଡ୍ଡା । ଭୁବନେଶ୍ୱରରେ ଶକ୍ତିକେନ୍ଦ୍ରର ପ୍ରଭାରୀଙ୍କ ସମେତ ୮ହଜାର କର୍ମୀଙ୍କୁ ନେଇ ଅଲୋଚନା ହେବ । ତେବେ ଓଡିଶା ଉପରେ ସ୍ୱତନ୍ତ୍ର ଫୋକସ ରଖିଥିବା ଦଳ ଓ ଦଳୀୟ କର୍ମୀ ଏହି ପ୍ରଶିକ୍ଷଣ ଶିବିର ପରେ ଆହୁରି ସଂଗଠିତ ହେବ ବୋଲି ସାଧାରଣ ଜନତା ଆଶା ରଖିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।