CMCର ମେୟର ପଦ ପାଇଁ ନିର୍ବାଚନ ଲଢୁଥିବା ସର୍ବକନିଷ୍ଠ ପ୍ରାର୍ଥୀ ଓମ ପ୍ରକାଶ
News18 Odia Digital
କଟକ: ସିଏମସି ନିର୍ବାଚନକୁ ନେଇ ତୀବ୍ର ହୋଇଛି ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ। ନିଜ ନିଜ ସପକ୍ଷରେ ଜନ ସମର୍ଥନରେ ସୃଷ୍ଟି କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ପ୍ରାର୍ଥୀ। ନିଜର ଶକ୍ତି ପ୍ରଦର୍ଶନ ପାଇଁ କିଏ ବିଶାଳ ବାଇକ ରାଲିର ଆୟୋଜନ କରୁଛନ୍ତି ତ ଆଉ କିଏ ନିଜ ଦଳର ହେଭିୱେଟମାନଙ୍କୁ ଧରି ସହରର ଗଳି କନ୍ଦି ବୁଲି ବୁଲି ଭୋଟର ଭିକ୍ଷା କରୁଛନ୍ତି। କିନ୍ତୁ ପ୍ରାର୍ଥୀମାନଙ୍କ ଏହି ଭିଡ଼ ଓ ପ୍ରଚାରର କୋଳାହଳ ମଧ୍ୟରେ ନିଆରା ଢ଼ଙ୍ଗରେ ଓ ଏକା ଏକା ପ୍ରଚାର କରୁଛନ୍ତି ସ୍ବାଧିନ ମେୟର ପ୍ରାର୍ଥୀ ଓମ ପ୍ରକାଶ ପଣ୍ଡା।
ନାଁ ଅଛି ସମର୍ଥକଙ୍କ ଗହଳି ନାଁ ପ୍ରଚାର ଗାଡ଼ି। ତଥାପି ଚାଲିଛି ପ୍ରଚାର। ନିଜ ସପକ୍ଷରେ ଭୋଟ ଭିକ୍ଷା ପାଇଁ ଚାଲିଛି ପ୍ରୟାସ। ଏକ ଦୁଇ ଚକିଆ ଯାନରେ ମାତ୍ର ଗୋଟିଏ ପୋଷ୍ଟର ଲାଗାଇ ଓ ହାତରେ ପ୍ରଚାର ପତ୍ର ଧରି ଭୋଟ ଭିକ୍ଷା କରିବା ପାଇଁ ସହରର ସାହି ବସ୍ତି ବୁଲୁଛନ୍ତି ଓମ ପ୍ରକାଶ । ଯେଉଁ ସାହିକୁ ଯାଉଛନ୍ତି ସେଠି ଲୋକଙ୍କୁ ଭେଟୁଛନ୍ତି ଓ ତାଙ୍କୁ ଭୋଟ ଦେବା ପାଇଁ ନିବେଦନ ମଧ୍ୟ କରୁଛନ୍ତି।
"ମୁଁ ମାନୁଛି ଅନ୍ୟମାନଙ୍କ ତୁଳନାରେ ମୋ ପାଖରେ ଅର୍ଥବଳ, ଦଳର ବଳ କିମ୍ବା ଲୋକ ବଳ ନାହିଁ। କିନ୍ତୁ ଯେତିକି ବି ଅଛି ତାକୁ ଆଧାର କରି ମୁଁ ଲୋକଙ୍କ ପାଖକୁ ଯାଉଛି। କଟକ ସହରର ବିକାଶ ପାଇଁ ମୁଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି। କେଉଁ ଭଳି ଭାବେ ସହରର ବିକାଶ ହୋଇ ପାରିବ, ସହରବାସୀ ଭୋଗୁଥିବା ସମସ୍ୟାଗୁଡ଼ିକର ସମାଧନ ଓ ଦୁର୍ନୀତି ମୁକ୍ତ ମହାନଗର ନିଗମର ଲକ୍ଷ ନେଇ ମେୟର ପ୍ରାର୍ଥୀ ଭାବେ ନିର୍ବାଚନରେ ଛିଡ଼ା ହୋଇଛି। ମୋର ବିଶ୍ବାସ ରହିଛି ସହରବାସୀଙ୍କର ମୋ ପ୍ରତି ସମର୍ଥନ ରହିବ,’’ ଓମପ୍ରକାଶ ପଣ୍ଡା।
ସିଏମସିର ମେୟର ପଦ ପାଇଁ ମୋଟ ୧୬ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବ କନିଷ୍ଠ ପ୍ରାର୍ଥୀ ହେଉଛନ୍ତି ଓମ ପ୍ରକାଶ। ମାତ୍ର ୨୧ ବର୍ଷ ବୟସ୍କ ଓମ ପ୍ରକାଶ ହେଉଛନ୍ତି ଜଣେ ଆଇନ ଛାତ୍ର। ନିଜ ପରିବାର ସହିତ ଜଗତପୁରରେ ରହୁଛନ୍ତି ଓ ସିଏମସି ନିର୍ବାଚନ ଜରିଆରେ ପ୍ରଥମ ଥର ଲାଗି ରାଜନୀତିରେ ପାଦ ଥାପିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।