News18 Odia Digital
ଭୁବନେଶ୍ୱର: ସ୍କୁଲ ସ୍ତରରୁ ଅଲମ୍ପିକ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ ଟି ସ୍କୁଲରେ ଏହି ଅଲିମ୍ପିକ ଶିକ୍ଷାଦାନ ଆରମ୍ଭ ହେବ ।
ଚିନ ଓ ଜାପାନ ଭଳି ଖେଳାଳୀ ସୃଷ୍ଟି ଉଦ୍ଦେଶ୍ୟରେ ଆରମ୍ଭ ହେବ କସରତ। ରାଜ୍ୟରେ ତୃଣମୂଳ ସ୍ତରରୁ ପିଲାଙ୍କୁ ଅଲିମ୍ପିକି ସମ୍ପର୍କରେ ଶିକ୍ଷା ଦିଆଯିବ। ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ସ୍କୁଲ ପିଲାଙ୍କୁ ଅଲିମ୍ପିକ ମୂଲ୍ୟବୋଧ ବିଷୟରେ ଅବଗତ କରାଯିବା ସହ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯୦ ଟି ସ୍କୁଲରେ ଆରମ୍ଭ ହେବ ଏହି ଯୋଜନା। ରାଉରକେଲାର ୨୭ଟି ଓ ଭୁବନେଶ୍ୱରର ୬୩ ସ୍କୁଲରେ ଏହି ଯୋଜନା ଆରମ୍ଭ ହେବ।
ଆଜି ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଭର୍ଚୁଆଲ ମୋଡ଼ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ମନୋନୀତ ହୋଇଥିବା ସ୍କୁଲରେ ଆୟୋଜନ ହେବ କାର୍ଯ୍ୟକ୍ରମ। "କେବଳ ପାଠପଢ଼ା ନୁହେଁ ଶିକ୍ଷା ସହିତ ଖେଳକୁଦରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବାକୁ ହେଲେ ତୃଣମୂଳ ସ୍ତରରୁ କାର୍ଯ୍ୟ ଆରମ୍ଭ କରିବାକୁ ହେବ। ଏଣୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ," କହିଛନ୍ତି ପୂର୍ବତନ କ୍ରୀଡ଼ା ନିର୍ଦ୍ଦେଶକ।
"ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଚିନ ଓ ଜାପାନରେ ପିଲାଙ୍କୁ ଛୋଟବେଳୁ ପ୍ରସ୍ତୁତ କରାଯାଏ। ସେଥିପାଇଁ ସେମାନେ ସଫଳ ହୁଅନ୍ତି ଓ ମେଡ଼ାଲ ଆଣନ୍ତି। ଯଦି ଓଡ଼ିଶାରେ ମଧ୍ୟ ପିଲାଙ୍କୁ ଠିକ ସେହିଭଳି ପ୍ରସ୍ତୁତ କରାଯାଏ ତେବେ ଏହା ଖୁବ ଫଳପ୍ରଦ ହେବ। ପିଲାମାନେ ମଧ୍ୟ ଖେଳକୁଦକୁ ଗୁରୁତ୍ୱର ସହ ଗ୍ରହଣ କରିବେ," କହିଛନ୍ତି ପୂର୍ବତନ କ୍ରୀଡ଼ା ନିର୍ଦ୍ଦେଶକ ଅଶୋକ ମହାନ୍ତି।
ରାଜ୍ୟରେ ହକି ପ୍ରଶିକ୍ଷଣ ନିମନ୍ତେ ସରକାର ବିଭିନ୍ନ ସ୍କୁଲରେ ହକି ହବ କରିବାକୁ ଲକ୍ଷ୍ୟ ରଖିଛନ୍ତି। କେବଳ ହକି ନୁହେଁ ଅନ୍ୟ ଖେଳକୁ ମଧ୍ୟ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।