News18 Odia Digital
ଭୁବନେଶ୍ବର: ଅଭିନେତାରୁ ପ୍ରଯୋଜକ ସାଜିଛନ୍ତି ସମରେଶ ରାଉତରାୟ। ତାଙ୍କର ନୂଆ ଚଳଚ୍ଚିତ୍ର ‘ନିୟତି’ର ଶୁଭ ମହୁରତ ଶେଷ ହୋଇଛି। ଚନ୍ଦ୍ରଶେଖରପୁର ଇଶାଣେଶ୍ୱର ମନ୍ଦିରରେ ନିକଟରେ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଛି।
ବିଭିନ୍ନ ଭୂମିକାରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ ସାଉଁଟିବାରେ ସଫଳ ହୋଇଥିବା ଅଭିନେତା ସମରେଶ ଏହି ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ଶ୍ରୀଚନ୍ଦନ। ମୁଖ୍ୟ ଭୂମିକାରେ ଦିବ୍ୟ, ସାନୁ, କେକେ, ପୁପୁଲ ଭୁୟାଁ, ବିଶାନ, ଅଭିଜିତ, ଅଙ୍କିତ, ଉଦିତ ଓ ଶୁଭ୍ରାଂଶୁ ନଜର ଆସିବେ।
ସେହିଭଳି ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନାବ୍ସ ଓ ସରୋଜ ମିକ୍ସିଂ କରିଛନ୍ତି। ଅକ୍ଷୟ ଡିଓପି, କେଡି ସିପୁନ ଏଡିଟି, ଲିଙ୍କନ ଆଟୟ ଡିରେକ୍ଟର ଭାବେ ଦାୟିତ୍ୱ ତୁଲାଇଛନ୍ତି। ସିନେମାର ମହୁରତ ସରିଥିବା ବେଳେ, ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ଆକ୍ଟିଂ ପରେ ଏବେ ପ୍ରଯୋଜନ ଦୁନିଆରେ ପାଦ ଥାପିଲେ ଓଲିଉଡ ଆକ୍ଟର ସମରେଶ ରାଉତରାୟ
ଓଡ଼ିଆ ସିନେମାରେ ସମରେଶ ରାଉତରାୟ ଏକ ପରିଚିତ ଚେହେରା। ଦର୍ଶକଙ୍କ ଗ୍ରହଣୀୟତା ପାଇଥିବା ‘ଧଉଳି ଏକ୍ସପ୍ରେସ’, ‘ମୋ ସୁନା ପୁଅ’, ‘ମୁଖ୍ୟମନ୍ତ୍ରୀ’, ସଞ୍ଜୁ ଆଉ ସଞ୍ଜନା’, ‘ପ୍ରେମ ଅଢ଼େଇ ଅକ୍ଷର’, ‘ଦିୱାନା’, ‘ଲୋଫର’, ‘ଏ ମନ ଖୋଜେ ମନଟିଏ’, ‘ଚକଲେଟ’, ’ମୋଷ୍ଟ ୱାଣ୍ଟେଡ’, ‘କଟକ’, ‘ଲୁଚକାଳି’, ‘ହରି ଓମ୍ ହରି’, ‘ଇସ୍କ ତୁ ହି ତୁ’, ‘କେହି ନୁହେଁ କାହାର’, ‘ବାବୁ ଭାଇଜାନ’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି।
ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣିଛନ୍ତି। ଏବେ ଅଭିନେତା ସହ ପ୍ରଯୋଜକ ଭାବେ ନୂଆ ଯାତ୍ରା ଆରମ୍ଭ କରିଛନ୍ତି ସେ। ତେଣୁ ତାଙ୍କୁ ନେଇ ଓଲିଉଡରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି।
ନିଜର ନୂଆ ଅବତାରକୁ ନେଇ ସମରେଶ କହିଛନ୍ତି, ‘‘ମତେ ସବୁବେଳେ କିଛି ଅଲଗା କରିବାକୁ ଭଲ ଲାଗେ। ଜୀବନର ଅଭିଜ୍ଞତାରୁ ଶିଖିଛି ଯେ, ପାରମ୍ପରିକ ରୀତିର ଅନୁକରଣ ନକରି କିଛି ଅଲଗା କଲେ ତାକୁ ଗ୍ରହଣୀୟତା ମିଳିବ। ତେଣୁ ଏହି ସିନେମାରେ ସେଭଳି କିଛି କରିବାକୁ ଉଦ୍ୟମ କରିଛି। ଆଶା ଦର୍ଶକ ଏହାକୁ ଗ୍ରହଣ କରିବେ।’’
ଏବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଏହି ସିନେମାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ବୋଲି ସିନେ ଏକ୍ସପର୍ଟଙ୍କ ମତ ରଖିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।