News18 Odia Digital
ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତର ଉଜ୍ବଳ ତାରକା ବିଜୟ ମହାନ୍ତି ବିଦାୟ ନେଇଛନ୍ତି ପାର୍ଥିବ ଦୁନିଆରୁ । ନିରବି ଯାଇଛି ତାଙ୍କ ଛାତିଥରା ସଂଳାପ । କେନ୍ଦ୍ରାପଡ଼ାରେ ତାଙ୍କ ମୂଳ ଜନ୍ମ ଗାଁ, ସେ ବାଲ୍ୟ କାଳ ବିତାଇଥିବା ମୟୂରଭଞ୍ଜର ବାରିପଦା ସହର, ତାଙ୍କ କାର୍ଯ୍ୟ ଓ ରହଣି ସ୍ଥାନ ଭୁବନେଶ୍ୱର ଓ କଟକ ସମେତ ସାରା ଓଡ଼ିଶା ତାଙ୍କୁ ଝୁରିବା ଆରମ୍ଭ କରିଛି ।
ଭେଟେରାନ୍ ଓଲିଉଡ୍ ଅଭିନେତା ଏନ୍.ଏସ୍.ଡି.ଆନ୍ ବିଜୟ ମହାନ୍ତି ଆଉ ଆମ ଗହଣରେ ନାହାଁନ୍ତି । ସେ ଥିଲେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର । ଚରିତ୍ର ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ ଓ ନାୟକ ଭଳି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ବିଜୟ । ତାଙ୍କ ଜନ୍ମ ୮ ଅପ୍ରେଲ ୧୯୫୦ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ହୋଇଥିଲା । ସେହି ଗାଆଁର କେହି ଭାବି ନ ଥିଲେ ଯେ ବିଜୟ ଦିନେ ଓଡ଼ିଆ ଅଭିନୟ ଜଗତର ଶୀର୍ଷ ସ୍ଥାନକୁ ଛୁଇଁବେ ।
ବିଜୟଙ୍କ ଘର କେନ୍ଦ୍ରାପଡ଼ାରେ, କିନ୍ତୁ ବାରିପଦାରେ ହୋଇଥିଲା ପାଠ ପଢ଼ା । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସ୍କୁଲ ସମୟରୁ ହିଁ ଅଭିନୟ ପ୍ରତି ରୁଚି ଥିଲା ବିଜୟଙ୍କର । ହେଲେ ମାଟ୍ରିକ ପାସ କଲା ପରେ ସେ ରାଜ୍ୟ ପରିବହନ ବିଭାଗରେ ଚାକିରି ଆରମ୍ଭ କରିଥିଲେ । ଚାକିରି ସାଙ୍ଗକୁ ଚାଲିଥିଲା ପାଠପଢା । କଲେଜ ଜୀବନର ପ୍ରଥମ ସୋପାନରେ ନାଟକରେ ଅଭିନୟ କରି ସେ ପାଇଥିଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । ସାଙ୍ଗମାନଙ୍କୁ ନେଇ ଗଢିଥିଲେ ‘ଯୁଗେଚ୍ଛା ନାଟ୍ୟ ସଂସ୍ଥା’ । ଏହା ପରେ ତାଙ୍କର ଅଭିନୟର ଗାଡ଼ି ଆଗକୁ ଓ ଆଗକୁ ବଢ଼ିଚାଲିଥିଲା ।

‘ରୂପା ଶଗଡ଼ିରେ ସୁନା କନିଆ’ ଗୀତରେ ବିଜୟ ମହାନ୍ତି
ନୂଆ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଶିକ୍ଷା ପ୍ରାପ୍ତ ବିଜୟ ମହାନ୍ତି ୧୯୭୭ ମସିହା ଜାନୁଆରୀ ୧୪ତାରିଖରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ‘ଚିଲିକା ତୀରେ’ ଫିଲ୍ମରୁ ଆରମ୍ଭ କରିଥିଲେ ଓଲିଉଡ୍ ଯାତ୍ରା । ଏହା ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହୋଇଥିଲେ ମଧ୍ୟ ପ୍ରଥମେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ନାଗଫାସ’ | ସେହି ଫିଲ୍ମରେ ତାଙ୍କ ଖଳନାୟକ ଚରିତ୍ର ଥିଲା ଦମଦାର ।
୧୯୮୩ ମସିହାରେ ‘କାବେରୀ’ ଚଳଚ୍ଚିତ୍ରରେ ବିଜୟଙ୍କୁ ଲିଡ୍ ରୋଲରେ ଦେଖିଲେ ଦର୍ଶକ । ପଛକୁ ପଛ ଅନେକ ଫିଲ୍ମରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ‘ଭୁଲି ହୁଏନା’ ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ମଧ୍ୟ ଓହ୍ଲାଇଥିଲେ ।

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି
ପାଖାପାଖି ୧୮୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ବିଜୟ ମହାନ୍ତି । ତାଙ୍କ ଅଭିନିତ ପ୍ରମୁଖ ଫିଲ୍ମ ଗୁଡିକ ମଧ୍ୟରେ ୧୯୮୪ରେ ‘ଦଣ୍ଡା ବାଳୁଙ୍ଗା’, ୧୯୮୫ରେ ‘ସମୟ ବଡ଼ ବଳବାନ’, ୧୯୮୯ରେ ‘ଟୋପାଏ ସିନ୍ଦୂର ଦିପଟ ଶଙ୍ଖା’, ‘ସାଗର’ ଓ ‘ମମତାର ଡୋରି’, ୧୯୯୩ରେ ‘ଭାଗ୍ୟ ହାତେ ଡୋରି’, ୧୯୯୪ରେ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ୧୯୯୮ରେ ‘ସନ୍ତାନ’ ଓ ‘ବୋଉ’, ୧୯୯୯ରେ ‘କୃଷ୍ଣା କାବେରୀ’, ‘କିଏ ପୋଛିବ ମାଆ ଆଖିର ଲୁହ’, ୨୦୦୨ରେ ‘ସିନ୍ଦୂର ନୁହେଁ ଖେଳଘର’ ପ୍ରମୁଖ ।
ଏହା ବି ପଢ଼ନ୍ତୁ:
ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲାଦେଖନ୍ତୁ ଫଟୋ:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ଅଭିନୟ କରିଛନ୍ତି ବିଜୟ ମହାନ୍ତି । ଅଭିନୟ ଜଗତକୁ ଅବଦାନ ପାଇଁ ୨୦୧୪ରେ ସେ ପାଇଛନ୍ତି ଜୟଦେବ ସମ୍ମାନ । ଫିଲ୍ମ ‘ଆରତୀ’, ‘ଏଇ ଆମ ସଂସାର’, ‘ମମତା ମାଗେ ମୂଲ’ ଓ ‘ଭାଇ ହେଲା ଭଗାରି’ ଫିଲ୍ମ ପାଇଁ ତାଙ୍କୁ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୨୦୦୯ ମସିହାରେ ନାଟକ ‘ଅଜାତି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ବିଜୟ । ୨୦୧୪ ମସିହା ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ ବିଜୟ ମହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।