ବିରଳ ଅଳିଭ ରିଡ଼ଲେଙ୍କ ମିଳନ ଋତୁ; ଋଷିକୂଲ୍ୟା ମୁହାଣରେ ସୁରକ୍ଷା କଡାକଡି

ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଳିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟାର ମିଳନ କାର୍ଯ୍ୟ ଆରମ୍ଭ ହେଲା । କଇଁଛଙ୍କ ସୁରକ୍ଷା ନିମନ୍ତେ ବନବିଭାଗର ସୁରକ୍ଷା କଡ଼ାକଡ଼ି ।

ବିରଳ ଅଳିଭ ରିଡ଼ଲେଙ୍କ ମିଳନ ଋତୁ; ଋଷିକୂଲ୍ୟା ମୁହାଣରେ ସୁରକ୍ଷା କଡାକଡି

ବିରଳ ଅଳିଭ ରିଡ଼ଲେଙ୍କ ମିଳନ ଋତୁ; ଋଷିକୂଲ୍ୟା ମୁହାଣରେ ସୁରକ୍ଷା କଡାକଡି

  • News18 Odia
  • Last Updated :
  • Ganjam, India
  • Share this:
News 18 Odia Digital

ଗଞ୍ଜାମ; ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଗଭୀର ସମୁଦ୍ର ମଧ୍ୟରେ କଇଁଛଙ୍କ ମିଳନ କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ବନବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ବନବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷିତ ଗଣଅଣ୍ଡାଦାନ ପ୍ରକିୟା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି ଋଷିକୂଲ୍ୟା ମୁହାଣରୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ନୋ ଫିସିଙ୍ଗ୍‌ ଜୋନ୍‌ ଘୋଷଣା କରାଯାଇଛି । ଏହି ନୋ ଫିସିଙ୍ଗ ଜୋନ ସ୍ଥାନରେ ମତ୍ସ୍ୟଜୀବୀ ମେକାନାଇଜ୍‌ ତଥା ମେସିନ୍‌ ବ୍ୟବହୃତ ଡ଼ଙ୍ଗା ବ୍ୟବହାର କରି ମାଛ ମାରିପାରିବେ ନାହିଁ । ଏହି କଟକଣା ଆସନ୍ତା ମେ ମାସ ଶେଷ ପର୍ଯ୍ୟନ୍ତ ଲାଗିଛି । ମତ୍ସ୍ୟଜୀବୀମାନଙ୍କୁ ମତ୍ସ୍ୟବିଭାଗ ପକ୍ଷରୁ ଆର୍ଥକ ସହାୟତା ଯୋଗାଇ ଦିଆଯିବ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରେକର୍ଡ଼ ସଂଖ୍ୟକ ଗଣଅଣ୍ଡାଦାନ ହେବା ନେଇ ଆଶାବାଦୀ ଅଛନ୍ତି ପରିବେଶବିତ୍ ।



ପ୍ରାଥମିକ ପର୍ଯ୍ୟାୟରେ ଚଳିତ ମାସ ପ୍ରାରମ୍ଭରୁ କଇଁଛଙ୍କ ମିଳନ ଆରମ୍ଭ ହୋଇଛି । ମିଳନ ଶେଷ ହେବା ପରେ କଇଁଛ ମାନେ ଲକ୍ଷାଧିକ ସଂଖ୍ୟାରେ ଋଷିକୂଲ୍ୟା ମୁହାଣକୁ ଆସି ଗଣଅଣ୍ଡାଦାନ କରିବେ । ଏହାର କିଛି ମାସ ପରେ ସେହି ଅଣ୍ଡାରୁ କଇଁଛ ଶାବକ ବାହାରି ସମୁଦ୍ରକୁ ଯିବେ । କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହେବାନେଇ ସୂଚନା ପାଇବା ପରେ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ‘‘ଛତ୍ରପୁର ବ୍ଳକ ଆର୍ଯ୍ୟପଲ୍ଲୀ ଠାରୁ ଗଞ୍ଜାମ ବ୍ଳକ ପ୍ରୟାଗୀ ପର୍ଯ୍ୟନ୍ତ ଋଷିକୂଲ୍ୟା ବେଳାଭୂମିରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହାସହିତ ବନବିଭାଗ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଛି । ବନବିଭାଗର ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ କଇଁଛଙ୍କ ମିଳନ ଉପରେ ନଜର ରଖାଯାଇଛି । ଆର୍ଯ୍ୟପଲ୍ଲୀରୁ ପ୍ରୟାଗୀ ପର୍ଯ୍ୟନ୍ତ ଋଷିକୂଲ୍ୟା ମୁହାଣରୁ ସମୁଦ୍ରର ୨୦ କିଲୋମିଟର ଯାଏଁ ସ୍ଥାନକୁ ନୋ ଫିସିଂ ଜୋନ ଘୋଷଣା କରାଯାଇଛି । ଏହି ସ୍ଥାନ ମଧ୍ୟରେ ମତ୍ସ୍ୟଜୀବୀ ମାନେ ନିଜର ପାରମ୍ପାରିକ ଡ଼ଙ୍ଗା ବ୍ୟବହାର କରି ମାଛ ଧରିପାରିବେ । କିନ୍ତୁ ମେକାନାଇଜ ତଥା ମେସିନ୍‌ ଜନିତ ଡ଼ଙ୍ଗା ଓ ଟ୍ରଲରକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏହି ସମୟରେ ପ୍ରତ୍ୟେକ ମତ୍ସ୍ୟଜୀବୀ ପରିବାରଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହା ସତ୍ୱେ ମଧ୍ୟ ଯଦି କୌଣସି ମତ୍ସ୍ୟଜୀବୀ ନିୟମକୁ ଉଲ୍ଲଂଘନ କରିବେ ତେବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଡ଼ିଏଫଓ ଅମ୍ଳାନ ନାୟକ ।



ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଦିଗରେ କେବଳ ବନବିଭାଗ ନୂହେଁ ବରଂ ସ୍ଥାନୀୟ ମତ୍ସ୍ୟଜୀବୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ମଧ୍ୟ କାମ କରୁଛନ୍ତି । ସେହିପରି ଇକୋ କ୍ଲବ ମଧ୍ୟ ଦୀର୍ଘ ବର୍ଷ ଧରି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଦିଗରେ କାମ କରିଆସୁଛି । ‘‘କଇଁଛଙ୍କ ଆଗମନ ପୂର୍ବରୁ ଋଷିକୂଲ୍ୟା ମୁହାଣକୁ ସଫା ରଖିବା ପାଇଁ ଇକୋ କ୍ଳବ ପକ୍ଷରୁ ନିୟମିତ ଭାବେ ସଫେଇ କରାଯାଉଛି । ଏହାସହିତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କଇଁଛଙ୍କ ସୁରକ୍ଷା ନେଇ ସଚେତନ ମଧ୍ୟ କରାଯାଉଛି । ଚଳିତ ବର୍ଷ ଭଲ ଗଣଅଣ୍ଡାଦାନ ହେବ ବୋଲି ଆଶା ରଖାଯାଇଛି ବୋଲି କହିଛନ୍ତି,‘‘ ଇକୋ କ୍ଳବର ସଂଯୋଜକ ଶଙ୍କର ନାରାୟଣ ବେଜ । ‘‘ଗତ ବର୍ଷ ରେକର୍ଡ଼ ସଂଖ୍ୟକ ୫ ଲକ୍ଷ ୫୦ ହଜାର କଇଁଛ ଋଷିକୂଲ୍ୟା ମୁହାଣକୁ ଆସି ଗଣଅଣ୍ଡାଦାନ କରିଥିଲେ । କିନ୍ତୁ ଚଳିତ ବର୍ଷ ଏପ୍ରିଲ ମାସରେ ହୋଇଥିବା ବାତ୍ୟା ଅସାନି ଫଳରେ ସମୁଦ୍ର ଅଶାନ୍ତ ଯୋଗୁଁ ହଜାର ହଜାର କଇଁଛଙ୍କ ଅଣ୍ଡା ନଷ୍ଟ ହୋଇଥିଲା । ଚଳିତ ଥର ମଧ୍ୟ ପୂର୍ବ ଭଳି ରେକର୍ଡ଼ ସଂଖ୍ୟକ କଇଁଛ ଋଷିକୂଲ୍ୟା ମୁହାଣକୁ ଆସି ଗଣ ଅଣ୍ଡାଦାନ କରିବେ ବୋଲି ଆଶା ରଖାଯାଇଥିବା କହିଛନ୍ତି,‘‘ ପରିବେଶବିତ୍ ସାଗର କୁମାର ପାତ୍ର ।
ଗତ ୨୦୧୧ରୁ ୨୦୨୧ ମସିହା ମଧ୍ୟରେ ୨୦୧୭-୧୮ ମସିହାରେ ୪ ଲକ୍ଷ ୨୮ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିଲେ । ଏହାପରେ ୨୦୨୧-୨୨ ମସିହାରେ ୫ ଲକ୍ଷ ୫୦ ହଜାରରୁ ଅଧିକ କଇଁଛ ଋଷିକୂଳ୍ୟା ମୁହାଣରେ ଗଣଅଣ୍ଡାଦାନ କରିଥିଲେ । ସେହିଭଳି ପୁଣି ଥରେ ଚଳିତ ବର୍ଷ ମଧ୍ୟ ସବୁ ରେକର୍ଡ଼କୁ ଭାଙ୍ଗି ଅଧିକ ପରିମାଣରେ କଇଁଛ ଆସି ଋଷିକୂଲ୍ୟା ମୁହାଣରେ ଗଣଅଣ୍ଡାଦାନ କରିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।
Published by:Soubhagya Mishra
First published: