ତପନ ସ୍ୱାଇଁ | News18 Odia Digital
ଭଦ୍ରକ: ତାଙ୍କ ସ୍ୱାମୀ ଓ ଭେଣ୍ଡିଆ ପୁଅ ଦୁହେଁ ଅନ୍ଧ, ଆଉ ଘରେ ଅଛି ମା’ ଛାଡି଼ ପଳାଇ ଯାଇଥିବା ଚାରି ବର୍ଷର ନାତୁଣୀ । ଏମିତି ଏକ ପରିବାରର ସାହାରା ପାଲଟିଛନ୍ତି ୭୦ ବର୍ଷୀୟା ସବେରା ବିବି । ଭିକ ମାଗି ଚାରି ପ୍ରାଣୀଙ୍କ ପେଟ ପାଇଁ ଦାନା ଯୋଗାଡ଼ କରୁଛନ୍ତି ଧାମରା କଇଥକୋଲା ଗାଁର ଏହି ବୃଦ୍ଧା ।
ଏକଦା ସ୍ୱାମୀ, ପୁଅ, ବୋହୂ ଓ ନାତୁଣୀଙ୍କୁ ନେଇ ହସୁଥିଲା ସବେରାଙ୍କ ପରିବାର । ହେଲେ କାମ କରୁକରୁ ଆକସ୍ମାତ ଦୃଷ୍ଟି ଶକ୍ତି ହରାଇ ବସିଥିଲେ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି – ତାଙ୍କ ପୁଅ ଫିରୋଜ ଅଲ୍ଲୀ । ସାଧ୍ୟ ମତେ ଚିକିତ୍ସା ସତ୍ତ୍ୱେ ତାଙ୍କ ଆଖି ଭଲ ହେଲାନି । ଫିରୋଜ୍ ଅନ୍ଧ ହୋଇ ଘରେ ବସି ରହିବା ଯୋଗୁଁ ତାଙ୍କ ଚାରି ବର୍ଷର ଝିଅକୁ ଛାଡ଼ି ବାପଘରକୁ ପଳାଇଗଲେ ତାଙ୍କ ସ୍ତ୍ରୀ । ବୟସ ସାଙ୍ଗକୁ ଆଖିର ଦୃଷ୍ଟି ଶକ୍ତି ଚାଲିଯିବାରୁ କାମଧନ୍ଦା କରି ନ ପାରି ଘରେ ବସିରହିଛନ୍ତି ସବେରାଙ୍କ ସ୍ୱାମୀ ଶେଖ୍ ଜାମ୍ସେଦ୍ । ଏପରି ସ୍ଥଳେ ପରିବାର ପ୍ରତିପୋଷଣ କରିବାକୁ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଛନ୍ତି ୭୦ ବର୍ଷିୟୀ ସବେରା ବିବି ।
ଏହା ବି ପଢ଼ନ୍ତୁ | ଅଶ୍ୱିନ୍ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ନ ଥିଲେ’’‘‘ମୋ’ ପରିବାର ଆଗରୁ ଏମିତି ନ ଥିଲା । ପୁଅ ଫିରୋଜ ଗାଡିରେ ହେଲ୍ପର ଭାବେ କାମ କରୁଥିଲା । ସେଥିରେ ଯାହା ରୋଜଗାର ହେଉଥିଲା କୌଣସି ମତେ ଆମେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲୁ । ହେଲେ କିଛି ବର୍ଷ ପୂର୍ବେ ଫିରୋଜକୁ ଆଉ ଠିକ୍ ଭାବେ ଦେଖାଗଲା ନାହିଁ । ତାକୁ ଡାକ୍ତର ଦେଖାଇଲୁ, ଅପରେସନ ବି କରାଇଲୁ । ହେଲେ ଆଖି ଠିକ୍ ହେବା ପାଇଁ ଯେତିକି ଚିକିତ୍ସା ଦରକାର ଥିଲା, ଟଙ୍କା ଅଭାବରୁ ତାହା ହୋଇ ପାରିଲା ନାହିଁ । ଧିରେ ଧିରେ ସେ ପୂରା ଅନ୍ଧ ହୋଇଗଲା,’’ ଆଖିରୁ ଲୁହ ଗଡ଼ାଇ କହିଛନ୍ତି ସବେରା ବିବି ।

ଆଖି ଠିକ୍ ହେବା ପାଇଁ ଯେତିକି ଚିକିତ୍ସା ଦରକାର ଥିଲା ତାହା ହୋଇ ନ ପାରିବାରୁ ଫିରୋଜ୍ ପୂରା ଅନ୍ଧ ହୋଇଗଲା ।
ଆଗରୁ ସ୍ୱାମୀ ଶେଖ୍ ଜାମସେଦ୍ ଅନ୍ଧ ଥିବା ବେଳେ ପୁଅ ଫିରୋଜ୍ ବି ଅନ୍ଧ ହୋଇଯିବା ପରେ ସବେରାଙ୍କ ଚିନ୍ତା ବଢ଼ିଥିଲା । ଫିରୋଜ ଅନ୍ଧ ହୋଇଯିବା ଦେଖି ତା’ ସ୍ତ୍ରୀ ଚାରି ବର୍ଷର ଝିଅକୁ ଛାଡି ବାପଘରକୁ ଚାଲିଗଲା ଯେ ଆଉ ଫେରିଲା ନାହିଁ । ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇଯିବା ଯୋଗୁଁ ଶେଷରେ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିଲେ ସବେରା । ମାଗି ଯାଚି ଯାହା ଆଣନ୍ତି ସେଥିରେ ପରିବାର ଓଳିଏ ଖାଇ ଓଳିଏ ଓପାସରେ ରହି ଦିନ କାଟନ୍ତି । ତା’ ଉପରେ ପୁଣି ଚାରି ବର୍ଷର ନାତୁଣୀର ବୋଝ ବି ସମ୍ଭାଳନ୍ତି ସେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେସକାଳୁ ଉଠିବା ଠାରୁ ସଞ୍ଜ ପର୍ଯ୍ୟନ୍ତ ସବେରାଙ୍କ ପାଖରେ ଟିକିଏ ଫୁର୍ସତ୍ ନ ଥାଏ । ଅନ୍ଧ ପୁଅକୁ ଖାଇବାକୁ ଦେବା ଓ ନିତ୍ୟକର୍ମ କରାଇବା ସାଙ୍ଗକୁ ଅନ୍ଧ ସ୍ୱାମୀଙ୍କ ସେବା କରିବା ଓ ନାତୁଣୀର ଅଳି ରଖିବା ସହ ସବୁ କାମ କରନ୍ତି ସେ । ଭିକ୍ଷା ମାଗିବାକୁ ଗଲେ ସାଙ୍ଗରେ ନାତୁଣୀଟିକୁ ମଧ୍ୟ ନେଇ ଯାଆନ୍ତି ସେ । କାରଣ ଘରେ ଦୁଇ ଅନ୍ଧ ଲୋକ ତା’ ଯତ୍ନ ନେଇ ପାରନ୍ତି ନାହିଁ । ସଞ୍ଜକୁ ଫେରିଲେ ନୂଆଣିଆ ଚାଳ ଝୁମ୍ପୁଡି଼ ଘରେ ରୋଷେଇବାସ କରି ସାଙ୍ଗ ହୋଇ ଖାଇ ପିଇ ଶୋଇ ପଡ଼ନ୍ତି ଏହି ପରିବାର ।
‘‘ଆମେ ଗାଁ ଲୋକେ ଏହି ପରିବାରକୁ ସାହାଯ୍ୟ କରୁ, ହେଲେ କେତେ ବି ସାହାଯ୍ୟ କରିବେ ଲୋକେ? ଯାହା ଯେତିକି ସାହାଯ୍ୟ କରିବା କଥା କରି ସାରିଲେଣି । ଏହି ଅସହାୟ ପରିବାର ପ୍ରତି ସରକାର ଦୃଷ୍ଟି ନ ଦେଲେ ସେମାନେ ଭାସିଯିବେ । କୁନି ଝିଅଟିର ଜୀବନ ବି ନଷ୍ଟ ହୋଇଯିବ,’’ କହିଛନ୍ତି ଗ୍ରାମବାସୀ ବିଶ୍ୱନାଥ ମାଇତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ଜମି ରହିଛନ୍ତିଅସହାୟ ସବେରା ବିବି ୱାର୍ଡ଼ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଦୁଃଖ ଜଣାଇ ନିରାଶ ହୋଇଛନ୍ତି । ନା ତାଙ୍କ ପାଇଁ ପକ୍କା ଘରର ବ୍ୟବସ୍ଥା ହୋଇପାରିଛି ନା ତାଙ୍କୁ କୌଣସି ସରକାରୀ ଭତ୍ତା ମିଳୁଛି । କୁନି ନାତୁଣୀଟି ପାଇଁ ବି ଅଙ୍ଗନବାଡ଼ି ପକ୍ଷରୁ କୌଣସି ସୁବିଧା କରାଯାଇ ନାହିଁ ।
ପୁଅ ଫିରୋଜର ଅନ୍ଧ ଅବସ୍ଥାକୁ ନେଇ କିଛି ଗ୍ରାମବାସୀଙ୍କ ସହ ଧାମରା ମେଡିକାଲ ଅଫିସରଙ୍କୁ ନିକଟରେ ଭେଟିଥିଲେ ସେ । ‘‘ଏହି ଅସହାୟ ପରିବାରକୁ ସରକାରୀ ସହାୟତା କେମିତି ଯୋଗାଇ ଦିଆଯିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ,’’ କହିଥିଲେ ଧାମରା ମେଡିକାଲ ଅଫିସର ଜନ୍ମେଜୟ ବେହେରା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋଦି ଓ ମମତାଙ୍କ ମଧ୍ୟରେ ତିକ୍ତତା ବଢ଼ିଲା; ନେତାଜୀ ଜୟନ୍ତୀ ‘ପରାକ୍ରମ ଦିବସ’ ନା ‘ଦେଶ ନାୟକ ଦିବସ’?‘‘ମୋ’ ପୁଅଟା ଯଦି ଭଲ ହୋଇ ଯାଆନ୍ତା ତେବେ ଆମର ସୁଖର ସଂସାର ପୁଣି ଫେରି ଆସନ୍ତା । ଏବେ ଆମେ କେବଳ ଉପରବାଲାଙ୍କ ଭରସାରେ ଦିନ ଗଣୁଛୁ,’’ କହିଛନ୍ତି ସବେରା ବିବିଙ୍କ ୭୩ ବର୍ଷୀୟ ସ୍ୱାମୀ ଶେଖ୍ ଜାମ୍ସେଦ୍ ।
ସରକାର ଗରିବ ଅସହାୟ ଓ ଭିନ୍ନକ୍ଷମ ଲୋକଙ୍କୁ ସାହାରା ଦେବାକୁ ଅନେକ ଯୋଜନା କରିଛନ୍ତି । ହେଲେ ଏହି ଅସହାୟ ପରିବାର ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମାସିକ କେଇ କିଲୋ ଚାଉଳ ସେମାନଙ୍କ ପରିବାର ପାଇଁ ଏକ ମାତ୍ର ସମ୍ବଳ । ଘର ଓ ସରକାରୀ ଭତ୍ତା ପାଇଁ ସେମାନଙ୍କୁ କେବଳ ପ୍ରତିଶୃତି ମିଳି ଚାଲିଛି । ତଥାପି ଆଶା ହରାଇ ନାହାନ୍ତି ସବେରା । ତାଙ୍କ ପୁଅ ଦିନେ ଭଲ ହେବ, ବୋହୂ ପୁଣି ଘରକୁ ଫେରିଆସିବ ଓ ତାଙ୍କ ଉଜୁଡା ସଂସାର ଆଉ ଥରେ ହସିଉଠିବ ବୋଲି ସେ ବିଶ୍ୱାସ କରୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।